ମହାନଗରମୁଖ୍ୟ ଖବରରାଜ୍ୟ

 ଜାନୁଆରୀ ୨୭ ତାରିଖରେ ହେବ ସମଲେଇ ପ୍ରକଳ୍ପର ଭବ୍ୟ ଲୋକାର୍ପଣ

କେନ୍ଦୁଝର,୧୭/୧ (ଉତ୍କଳ ସମାଚାର): ଚଳିତ ଜାନୁଆରୀ ୨୭ ତାରିଖରେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମା’ ସମଲେଶ୍ୱରୀ ଦେବୀଙ୍କ ମୂଳ ପୀଠର ସୁରକ୍ଷା ଓ ବିକାଶ ପାଇଁ ହୋଇଥିବା “ସମଲେଶ୍ୱରୀ ପ୍ରକଳ୍ପର ଭବ୍ୟ ଲୋକାର୍ପଣ ଉତ୍ସବ ପାଇଁ କେନ୍ଦୁଝରର ଅଧିଷ୍ଟାତ୍ରୀ ଦେବୀ ମା’ତାରିଣୀଙ୍କ ପାଖକୁ ଆସିଛି ନିମନ୍ତ୍ରଣ । ମା’ ସମଲେଶ୍ୱରୀ ମନ୍ଦିରର ବରିଷ୍ଠ ପୂଜକ ପ୍ରକାଶ ରାୟଙ୍କ ନେତୃତ୍ୱରେ ନିର୍ବାହୀ ଅଧିକାରୀ ପ୍ରେମରାଜ ପାଣିଗ୍ରାହୀ ଘଟଗାଁ ଆସି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।  ସମ୍ବଲପୁର ଜିଲ୍ଲା ପ୍ରଶାସନର ଆସିଷ୍ଟାଂଟ୍ କଲେକ୍ଟର ସୂର୍ଯ୍ୟ କୁମାର ବରାଳଙ୍କ ତତ୍ୱାବଧାନରେ ଉକ୍ତ ଟିମ୍ ମା’ତାରିଣୀଙ୍କ ପୀଠ ଘଟଗାଁଠାରେ ପହଂଚିବା ପରେ ପରିବେଶ ଭକ୍ତିମୟ ହୋଇଯାଇଥିଲା । ଜିଲ୍ଲା ପ୍ରଶାସନ, ବ୍ଲକ୍ ପ୍ରଶାସନ ଏବଂ ମା’ତାରିଣୀ ମନ୍ଦିର ଟ୍ରଷ୍ଟ୍ ତଥା ଜନସାଧାରଣଙ୍କ ତରଫରୁ ବରେଣ୍ୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଘଟଗାଁ ବିଡିଓ ଭାଗବତ ପ୍ରସାଦ ମହାପାତ୍ରଙ୍କ ତତ୍ୱାବଧାନରେ ମନ୍ଦିର ଟ୍ରଷ୍ଟ୍ ବୋର୍ଡର କର୍ମକର୍ତା ଏବଂ ପୂଜକମାନଙ୍କ ସହଯୋଗରେ ଘଂଟ, ଘଂଟା, ସଂକୀର୍ତନ ଓ ଲୋକକଳା ନୃତ୍ୟ ମାଧ୍ୟମରେ ପ୍ରତିନିଧିମାନଙ୍କୁ ମା’ତାରିଣୀଙ୍କ ମନ୍ଦିରକୁ ପାଛୋଟି ନିଆଯାଇଥିଲା । ମା’ସମଲେଶ୍ୱରୀ ମନ୍ଦିରର ପ୍ରତିନିଧିମାନେ ମନ୍ଦିରରେ ମା’ତାରିଣୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ତତ୍‌ପରେ ମା’ତାରିଣୀ ମନ୍ଦିରର ପୂଜକମାନଙ୍କୁ ମା’ସମଲେଶ୍ୱରୀଙ୍କ ମନ୍ଦିରରୁ ଆସିଥିବା ପୂଜକ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଜିଲ୍ଲାପାଳ ଆଶିଷ ଠାକରେ ଅନୁମୋଦନ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲାଙ୍କ ତତ୍ୱାବଧାନରେ ଏବଂ ଡେପୁଟି କଲେକ୍ଟର ଶିବବ୍ରତ ତ୍ରିପାଠୀଙ୍କ ସଂଯୋଜନାରେ ମା’ସମଲେଶ୍ୱରୀ ମନ୍ଦିରର ପୂଜକ ତଥା ପ୍ରତିନିଧିମାନଙ୍କୁ କେନ୍ଦୁଝର ସର୍କିଟି ହାଉସଠାରେ ଜିଲ୍ଲା ପ୍ରଶାସନ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ସଂଜୀବ ବାରିକ, ସହ-ନିର୍ଦ୍ଦେଶକ ପର୍ଯ୍ୟଟନ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ଚନ୍ଦ୍ର ନାୟକ ନୋଡାଲ୍ ଅଫିସର ଭାବେ ମା’ସମଲେଶ୍ୱରୀ ମନ୍ଦିରରୁ ଆସିଥିବା ପ୍ରତିନିଧିମାନଙ୍କର କେନ୍ଦୁଝର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *