Uncategorized

ନିଶା ଦେଇ ବୃଦ୍ଧ ମହିଳାଙ୍କ ଅଳଙ୍କାର ଲୁଟ୍ ଘଟଣାରେ ପୂଜକଙ୍କ ସ୍ତ୍ରୀ ଓ ଝିଆରି ଗିରଫ

ସମ୍ବଲପୁର,୧୯/୦୩(ଉତ୍କଳ ସମାଚାର),(ସରୋଜ ସାହୁ): ଧନୁପାଲି ଥାନା ଗୋବିନ୍ଦତୋଳା ରାଣୀସତୀ ମନ୍ଦିର ରେ ନିଶା ଦେଇ ଜଣେ ବୃଦ୍ଧ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଚୋରି କରାଯାଇଥିବା ଚୋରି ମାମଲାରେ ଧନୁପାଲି ପୋଲିସକୁ ବଡ଼ ସଫଳତା ମିଳିଛି I ଚୋରି ପଛର ମୁଖ୍ୟ ରାଣୀସତୀ ମନ୍ଦିରର ପୂଜକ ଦେବେନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ମଞ୍ଜୁଲତା ପାଢ଼ୀ (୫୦) ଓ ତାଙ୍କ ଝିଆରି ଅନୁକାନ୍ତି ମିଶ୍ର(୩୦)ଙ୍କୁ ଗିରଫ କରାଯାଇଥିବା ନେଇ ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ସଦର ଏସ୍‌ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି I ସୂଚନା ଅନୁଯାୟୀ, ଗୋବିନ୍ଦତୋଲାର ମନୋରମା ଆଚାର୍ଯ୍ୟ (୮୦) ଶନିବାର ଦିନ ସାଢ଼େ ୧୦ଟା ସମୟରେ ବଜାରକୁ ଫଳ କିଣିବା ପାଇଁ ଯାଇଥିଲେ I ଫଳ କିଣିବା ବେଳେ ମଞ୍ଜୁ ଓ ଅନୁ ତାଙ୍କ ଉପରେ ନଜର ରଖିଥିଲେ I ଯୋଜନା କରି ମନୋରମାଙ୍କ ସହ ଉଭୟେ କଥା ହୋଇଥିଲେ ଏବଂ ତାଙ୍କୁ ମନ୍ଦିରକୁ ଡାକି ନେଇଥିଲେ I ସେଠାରେ ଯୋଜନା ମୁତାବକ ଏକ ପଇଡରେ ନିଶା ଦେଇ ମନୋରମାଙ୍କୁ ପିଇବା ପାଇଁ ଦେଇଥିଲେ I ପଇଡ଼ ପାଣି ପିଇବା ପରେ ମନୋରମା ଅଚେତ ହୋଇଯାଇଥିଲେ I ମଞ୍ଜୁ ଓ ଅନୁ ସେହି ଅବସ୍ଥାରେ ମନୋରମା ପିନ୍ଧିଥିବା ହଳେ ସୁନା କାନଫୁଲ ଓ ସୁନା ଚୁଡ଼ି ଚୋରି କରି ନେଇଥିଲେ I ପରିବାର ଲୋକେ ମନୋରମାଙ୍କ ଫେରିବାରେ ବିଳମ୍ବ ହେବାରୁ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ I ବହୁତ ଖୋଜାଖୋଜି କରିବା ପରେ ଦିନ ୨ଟା ବେଳେ ରାଣୀସତୀ ମନ୍ଦିର ଭିତରୁ ମନୋରମା ମିଳିଥିଲେ I ମନ୍ଦିରର ପଛପାର୍ଶ୍ଵରେ ଥିବା ଏକ ଘରେ ସେ ଅଚେତ ହୋଇ ପଡ଼ି ରହିଥିଲେ I ମନୋରମାଙ୍କୁ ନିଶା ଦେବା ପରେ ୨ ଅଭିଯୁକ୍ତ ନିଜକୁ ବଞ୍ଚାଇବା ପାଇଁ ଅତି ଚତୁରତାର ସହ ପୂଜକ ଦେବେନ୍ଦ୍ର ପାଢ଼ୀଙ୍କୁ ମଧ୍ୟ ନିଶା ଦେଇଥିବା କହାଯାଉଛି I କାରଣ ସେ ମଧ୍ୟ ମନୋରମାଙ୍କ ନିକଟରେ ଅଚେତ ଅବସ୍ଥାରେ ମିଳିଥିଲେ I ତେବେ ଦେବେନ୍ଦ୍ରଙ୍କୁ ସତରେ ନିଶା ଦିଆଯାଇଥିଲା, ନା ସେ ମଧ୍ୟ ଯୋଜନାରେ ସାମିଲ ଥିଲେ ତାକୁ ନେଇ ତଦନ୍ତ ଜାରି ରହିଥିବା ଜଣାଯାଇଛି I ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇ ମନୋରମା ଓ ପୂଜକଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଅନ୍ୟପଟେ ମନୋରମାଙ୍କ ବୋହୂ ଏ ନେଇ ଧନୁପାଲି ଥାନାରେ ଶନିବାର ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଥିଲା I ସମ୍ବଲପୁର ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଧନୁପାଲି ଥାନାଧିକାରୀ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା I ୨୪ ଘଣ୍ଟା ମଧ୍ୟରେ ୨ ଅଭିଯୁକ୍ତଙ୍କୁ ଏହି ସ୍ବତନ୍ତ୍ର ଟିମ୍ ଧରିବା ସହ ଚୋରି ହୋଇଥିବା ସୁନା ଅଳଙ୍କାର ଜବତ କରିଥିଲା I ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି I

Leave a Reply

Your email address will not be published. Required fields are marked *