Uncategorized

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କେନ୍ଦୁଝର ଜିଲ୍ଲା ଗସ୍ତ : ଆସନ୍ତା ସାଧାରଣ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା

କେନ୍ଦୁଝର,/12/04/24//(ଉତ୍କଳ ସମାଚାର) // ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ଶ୍ରୀକାନ୍ତ ପୃଷ୍ଟି ଏବଂ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ସାହୁ ଆଜି କେନ୍ଦୁଝର ଜିଲ୍ଲା ଗସ୍ତରେ ଆସି ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ବିଭିନ୍ନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ବିଭିନ୍ନ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରଖି ନିର୍ବାଚନ ଗୁରୁ ଦାୟିତ୍ଵ ତୁଲାଇବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହ, ପଶ୍ଚିମାଞ୍ଚଳ ଡ଼ିଆଇଜି ଶ୍ରୀ ନୀତି ଶେଖର, ଆରକ୍ଷୀ ଅଧିକ୍ଷକ ଶ୍ରୀ ନୀତିନ କୁଶଲକର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯଦୁମଣି ମହଲା ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଓ କେନ୍ଦୁଝର ଲୋକସଭା ଅନ୍ତର୍ଗତ ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର, ଅତିରିକ୍ତ ରିଟର୍ଣ୍ଣିଂ ଅଫିସର ତଥା ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲାସ୍ତରୀୟ ବିଭିନ୍ନ ନୋଡାଲ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ ।ବୈଠକ ପ୍ରାରମ୍ଭରେ ଜିଲ୍ଲାପାଳ ଶ୍ରୀ ସିଂହ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ପ୍ରଦାନ କରିଥିଲେ।ନିର୍ବାଚନ ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଓ ପରିଚାଳନାରେ ଯେପରି କୌଣସି ତ୍ରୁଟି ନ ହୁଏ ତାହା ତଦାରଖ କରିବା, ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ନିର୍ବାଚନ ଆଚରଣ ଵିଧିକୁ କଡାକଡି ପାଳନ କରିବା ଉପରେ ରାଜସ୍ୱ ଆୟୁକ୍ତ ଶ୍ରୀ ପୃଷ୍ଟି ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସାହୁ ଜୋର ଦେଇ ଜିଲ୍ଲାରେ ଅବାଧ, ନିରପେକ୍ଷ, ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ନିର୍ବାଚନ ପାଇଁ ଜନସାଧାରଣଙ୍କ ମନରେ ବିଶ୍ଵାସ ସୃଷ୍ଟି କରିବା ପାଇଁ ପ୍ରଶାସନକୁ ପରାମର୍ଶ ଦେଇଥିଲେ। ଏହା ସହିତ ଭୋଟ ଗ୍ରହଣ କେନ୍ଦ୍ର ଗୁଡିକରେ ପାନୀୟ ଜଳ, ପରିମଳ ବ୍ୟବସ୍ଥା, ଆବଶ୍ୟକ ଶୌଚାଳୟ ସୁବିଧା ସହ ବିଜୁଳି ଆଲୋକ ବ୍ୟବସ୍ଥା ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଗତ ନିର୍ବାଚନରେ ଯେଉଁ ସବୁ ବୁଥରେ ଭୋଟ ହାର କମ ଥିଲା ସେସବୁଥିରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଭୋଟଦାନ ପାଇଁ ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରି ଯେପରି କେହି ମଧ୍ୟ ଏହି ଭୋଟଦାନ ପ୍ରକ୍ରିୟାରୁ ବାଦ ନପଡ଼ନ୍ତି ତାହା ନିଶ୍ଚିତ କରିବା ପାଇଁ ପରାମର୍ଶ ଦେଇଥିଲେ। ଆଲୋଚନା ବୈଠକ ପୂର୍ବରୁ ରାଜସ୍ୱ ଆୟୁକ୍ତ ଶ୍ରୀ ପୃଷ୍ଟି ଇଭିଏମ୍ ସଂରକ୍ଷିତ କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସମସ୍ତ ମେସିନ୍‌ର କାର୍ଯ୍ୟକାରିତା ଏବଂ ଏହାର ପ୍ରେରଣ ବ୍ୟବସ୍ଥାର ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ । ଆଲୋଚନାରେ ନିର୍ବାଚନ ଦାୟିତ୍ୱରେ ସମ୍ପୃକ୍ତ ସମସ୍ତ ଅଧିକାରୀ ପ୍ରଶାସନ ସହିତ ଉତ୍ତମ ସମନ୍ଵୟ ରଖି ନିଜ ନିଜର ଦାୟିତ୍ଵ ସୂଚାରୁ ରୂପେ ତୁଲାଇବାକୁ ପରାମର୍ଶ ଦେଇଥିଲେ

Leave a Reply

Your email address will not be published. Required fields are marked *