Uncategorized

ଛାତ୍ରାବସ୍ଥାରୁ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ମୋର ଆକର୍ଷଣ ଅଛି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର,୨୯/୪ (ଉତ୍କଳ ସମାଚାର): ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ଲୋକକଳା, ଲୋକପରମ୍ପରା, ଖାଦ୍ୟପେୟ ପ୍ରତି ମୋର ଛାତ୍ରାବସ୍ଥାରୁ ଆବେଗ ଓ ଆକର୍ଷଣ ଅଛି । ସମ୍ବଲପୁରୀ ସାହିତ୍ୟର ମୁଁ ଜଣେ ପାଠକ, ଅନୁଗତ ଓ ବିଶ୍ୱାସୀ ବୋଲି ରବିବାର ସମ୍ବଲପୁରରେ ‘ମହାନଦୀ ସାହିତ୍ୟ ଉତ୍ସବ’ ଏବଂ ‘ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମ୍ବଲପୁର ଜିଲ୍ଲାର ଏକାଧିକ ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ମହାନଦୀ ସାହିତ୍ୟ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ ଯିବା ମୋତେ ପସନ୍ଦ ଲାଗେ । ପ୍ରସିଦ୍ଧ ରଙ୍ଗବତୀ ଗୀତ ଓ ଲୋକପ୍ରିୟ ନୃତ୍ୟ ଡାଲଖାଇ ପ୍ରତି ମୋର ବିଶେଷ ଆକର୍ଷଣ ଅଛି । ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ଏହି ମହାନଦୀ ଅବବାହିକା ପ୍ରାଚୀନ ମାନବ ସଭ୍ୟତାର ମୂଳସ୍ଥାନ ଥିଲା । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ଏଠାରେ ଥିବା ଗୁମ୍ଫାର ପ୍ରସ୍ତର ଗୁଡ଼ିକ ଉପରେ ଅନେକ ଚିତ୍ର ରହିଛି । ଏଗୁଡ଼ିକ ପ୍ରାୟ ୧୦ ହଜାର ବର୍ଷ ପୂର୍ବର ବୋଲି ଐତିହାସିକମାନେ କହନ୍ତି । କିନ୍ତୁ ଆନ୍ତରିକତା ଅଭାବରୁ ଆମେ ଆମ ସଭ୍ୟତାକୁ ଯେମିତି ବିଶ୍ୱ ଦରବାରରେ ପରିଚିତ କରିବା କଥା ତାହା କରିପାରିନୁ । ସମ୍ବଲପୁରୀ ଗୀତ, ସଂସ୍କୃତି, ଲୋକବାଦ୍ୟ, ଲୋକନୃତ୍ୟ ଓ ପରିଧାନ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ଆସିଲାଣି । ତେବେ ଏହାର ପ୍ରଚାର ପ୍ରସାର ପାଇଁ ନିକଟ ଭବିଷ୍ୟତରେ ସମ୍ବଲପୁରରେ ଏକ ଆଧୁନିକ କେନ୍ଦ୍ର ସ୍ଥାପନ ହେବ । ଯାହା ମାଧ୍ୟମରେ ଏଠାକାର ଭାଷା,ସାହିତ୍ୟ, ସଂସ୍କୃତି, ନାଟକ ଓ ଖାଦ୍ୟପେୟର ମଧ୍ୟ ପ୍ରସାର ହେବ।ଭାଷା ଆମର ପରିଚୟ । ଆଜି ଜାତୀୟ ଶିକ୍ଷା ନୀତିରେ ସମ୍ବଲପୁରୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । କୌଣସି ଭାଷା ଆଂଚଳିକ ଭାଷା ନୁହେଁ । ସବୁ ଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏନସିଇଆରଟି ପକ୍ଷରୁ ଆଞ୍ଚଳିକ ଭାଷାରେ ବହି ପ୍ରକାଶ କରାଯିବ । ଭାରତକୁ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତିରୁ ବାହାରି ବର୍ତ୍ତମାନ ସମୟରେ ଆମ ମାତୃଭାଷା ଓ ସ୍ଥାନୀୟ ସଂସ୍କୃତିର ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁଳ ପ୍ରଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସ୍ୱଭାବ କବି ଗଙ୍ଗାଧର ମେହେର, ସନ୍ଥକବି ଭୀମଭୋଇଙ୍କ ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ଅତୁଳନୀୟ । ଏମାନଙ୍କ ସୃଷ୍ଟି ଥିଲା କାଳଜୟୀ । ଇଂରେଜ ଶାସନ ସମୟରେ ଭାଷାସାହିତ୍ୟକୁ ନଷ୍ଟ କରିବାକୁ ଉଦ୍ୟମ କରାଗଲା ଓ କିଛି ଜାଗାରେ ସଫଳ ମଧ୍ୟ ହେଲେ । କିନ୍ତୁ ଏବେ ସେ ସମୟ ବଦଳିଯାଇଛି । ଡାଲଖାଇ ନାଚ ବିଶ୍ୱସ୍ତରରେ ପହଞ୍ଚିଲାଣି । ପ୍ୟାରିସର ଆଇଫଲ ଟାୱାର ତଳେ ଶାଶ୍ୱତ ଯୋଶୀ ନୃତ୍ୟ କଲେଣି । ଦେଶବିଦେଶରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହେଉଛି । ସମ୍ବଲପୁର ଅଞ୍ଚଳ ସାମର୍ଥ୍ୟ, ଶକ୍ତି ଓ ଗଭୀରତାରେ ପରିପୂର୍ଣ୍ଣ । ସମ୍ବଲପୁରର ସାହିତ୍ୟ ସ୍ଥାନୀୟ ଜୀବନ ପଦ୍ଧତିକୁ ଆଗକୁ ନେବାର ଶିକ୍ଷା ଦେଇଥାଏ । ଏହାକୁ ଉପଯୋଗ କରି ମହାନଦୀ ସାହିତ୍ୟ ଉତ୍ସବକୁ ଆୟୋଜନ କରୁଥିବା ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆମେମାନେ ଭୀମ ଭୋଇ କବିତା ମାଧ୍ୟମରେ ଦେଇଥିବା କ୍ରାନ୍ତିକାରୀ ବିଚାର ସହ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।ସେହିପରି ସମ୍ବଲପୁରରେ ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାବକୁ ସରଳ ଢଙ୍ଗରେ ଉପସ୍ଥାପନ କରିବାର ନାଁ ହେଲା କବିତା । କଥାଟି ସଠିକ୍ ଢଙ୍ଗରେ ପରିପ୍ରକାଶ କରିପାରିଲେ ହିଁ ତାହା ବେଶ୍ ପ୍ରଭାବିତ କରିଥାଏ । ସେ ଦୃଷ୍ଟିରୁ ସମ୍ବଲପୁର ଭାଷା ଏବଂ ଦୃଷ୍ଟିଭଙ୍ଗୀ ହିଁ କବିତାର ରୂପ ଦିଏ । କବି ସମ୍ମିଳନୀରେ ବ୍ୟଙ୍ଗକବିମାନେ କୌତୁକ ଓ ବ୍ୟଙ୍ଗ ମାଧ୍ୟମରେ ପ୍ରକାଶିତ କରିଥିବା କବିତା ଗୁଡିକ ଖୁବ ରୋଚକ ଥିଲା କହି ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *