Uncategorized

ମଧୁବାବୁ ଆଜିପର୍ଯ୍ୟନ୍ତ ଜୀବିତ ଅଛନ୍ତି -ଜଷ୍ଟିସ ଏସ. କେ. ମିଶ୍ର 

ଅନୁଗୁଳ,୩୦/୪ (ଉତ୍କଳ ସମାଚାର): ଅନୁଗୁଳ ଓକିଲ ସଂଘ ଆନୁକୂଲ୍ୟରେ ଆୟୋଜିତ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ୧୭୬ତମ ଜୟନ୍ତୀ ଓ ଆଇନଜୀବି ଦିବସ ସ୍ଥାନୀୟ ସଭାଘର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟ, କଟକର ନ୍ୟାୟାଧୀଶ ଶ୍ରୀଯୁକ୍ତ ଶଶୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେ ମଧୁବାବୁ ଆଜିପର୍ଯ୍ୟନ୍ତ ଆଇନଜୀବି ମାନଙ୍କ ମଧ୍ୟରେ ଜୀବିତ ଅଛନ୍ତି। ଆଇନଜୀବି ମାନେ ମଧୁବାବୁଙ୍କ ସ୍ୱାଭିମାନ, ସିଦ୍ଧାନ୍ତ, ଓଡ଼ିଆ ଭାଷା ଓ ଓଡ଼ିଆକୁ ଭଲ ପାଇବା ଗୁଣ ଗୁଡିକ ଆମ ଓକିଲ ମାନଙ୍କ ଭିତରେ ଅଛି। ଆଇନଜୀଵି ମାନେ ମଧୁବାବୁଙ୍କ ପରି କାର୍ଯ୍ୟ କଲେ ତାଙ୍କ ଜୟନ୍ତୀ ପାଳନ ସାର୍ଥକ ହେବ। ଆଇନଜୀବୀ ମାନେ ମକଦ୍ଦମାରେ ହାରିବା ନିମନ୍ତେ ଶିକ୍ଷିବା ପଡିବ ତେବେ ସେମାନେ ଆଗକୁ ଜିତିବେ ନିଶ୍ଚିତ କହିବା ସହ ମଧୁବାବୁଙ୍କ ଜୀବନୀ ସମ୍ପର୍କରେ କହିବା ସହିତ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସରସ୍ବତୀ ବିଦ୍ୟା ମନ୍ଦିର, ନାଲକୋନଗରର ଅଧ୍ୟକ୍ଷ ଡ଼. ଶତ୍ରୁଘନ ବେହେରା ମୁଖ୍ୟ ବକ୍ତା ଯୋଗ ଦେଇ କହିଲେ ଯେ ମଧୁବାବୁ ଓଡିଶା ମାଟିର ଯୋଗ୍ୟତମ ସନ୍ତାନ, ସ୍ୱତନ୍ତ୍ର ଓଡିଶା ଗଠନର ପ୍ରତିଷ୍ଠାତା, ଓଡ଼ିଆ ଭାଷାର ସୃଷ୍ଟିକର୍ତ୍ତା ଥିଲେ। ନାଗରିକ ମାନଙ୍କୁ ସୁରକ୍ଷା ଦେବା ହେଉଛି ଆଇନଜୀବି ମାନଙ୍କ କାର୍ଯ୍ୟ। ଏପରିକି ଆଇନଜୀଵି ମାନେ ହେଉଛନ୍ତି ସ୍ଵଂୟ ଭଗବାନ ସଦୃଶ କହିବା ସହ ସମ୍ଭିଧାନରେ ଥିବା ତିନୋଟି ସ୍ତମ୍ଭ ସମ୍ପର୍କରେ ଆଲୋକପାତ କରିଥିଲେ।ସଭା କାର୍ଯ୍ୟ ପୂର୍ବରୁ ଓକିଲ ସଂଘର ଦିବଂଗତ ଆଇନଜୀଵିଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର ଓକିଲ ସଂଘର ସ୍ମରଣିକା -୨୦୨୪ କୁ ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଓକିଲ ସଂଘର ବରିଷ୍ଠ ଆଇନଜୀବି ହେମନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀଵି ସଞ୍ଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଆଇନଜୀବି ସରିତା ମିଶ୍ର, ଶ୍ରିୟଙ୍କା ନନ୍ଦ, ଶୁଭସ୍ମିତା ସାହୁ, ଜ୍ୟୋସ୍ନାମୟୀ ସାହୁ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଓକିଲ ସଙ୍ଘର ଉପ ସଭାପତି ଶିବାଶିଷ କର, ସହ ସମ୍ପାଦକ ପ୍ରଦୀପ୍ତ କୁମାର ଭୁତିଆ, ସାଂସ୍କୃତିକ ସମ୍ପାଦକ ବିନୋଦ ବିହାରୀ ପ୍ରଧାନ, କୋଷାଧକ୍ଷ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ସଭାରେ ମଞ୍ଚାସିନ ଥିଲେ। ସନ୍ଧ୍ୟାରେ ଅନୁଗୁଳ ଓକିଲ ସଂଘର ସଭ୍ୟ ମାନଙ୍କ ଦ୍ୱାରା ନାଟକ ଆସାମୀ ମଞ୍ଚସ୍ଥ ହୋଇଥିଲା।

Leave a Reply

Your email address will not be published. Required fields are marked *