ରାଉରକେଲା/କୋଇଡା ୨୭/୧୨ (ଉତ୍କଳ ସମାଚାର)::ଦିନକୁ ଦିନ ଜାତୀୟ ରାଜପଥ ୫୨୦ ଏକ ମରଣଯନ୍ତାରେ ପରିଣତ ହେବାରେ ଲାଗିଛି। ଗତକାଲି ରାତିରେ ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର କେ. ବଲାଙ୍ଗ ଥାନା ସୀମା ଅନ୍ତର୍ଗତ ଚୁନାଘାଟିରେ ଏକ କୋଇଲା ବୋଝେଇ ଟ୍ରକ୍ ଏବଂ ଏକ ଲୁହା ବୋଝେଇ ହାଇଓ୍ୱା ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଡ୍ରାଇଭରଙ୍କ ଜୀବନ ଯାଇଛି।

ସୂଚନା ଅନୁସାରେ ମଧ୍ୟରାତ୍ରିରେ କୁଣ୍ଡୁରୁପାଣି ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଧକ୍କାର ପ୍ରଭାବ ଏତେ ତୀବ୍ର ଥିଲା ଯେ ଦୁର୍ଘଟଣା ପରେ ତୁରନ୍ତ ଟ୍ରକଟି ନିଆଁ ଲାଗିଯାଇଥିଲା। ସୂଚନା ପାଇବା ପରେ କେ. ବଲାଙ୍ଗ ଥାନାର ପୋଲିସ୍ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ କୋଇଡା ଅଗ୍ନିଶମ ସେବା ସଂସ୍ଥାର ସହାୟତା ଲୋଡ଼ିଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ ଏବଂ କଟର ବ୍ୟବହାର କରି ଫସି ରହିଥିବା ଗାଡ଼ିଗୁଡ଼ିକରେ ଫସି ରହିଥିବା ଦୁଇ ଡ୍ରାଇଭରଙ୍କୁ ବାହାର କରିଥିଲେ। ଉଦ୍ଧାର ହେବା ବେଳକୁ ଉଭୟ ଡ୍ରାଇଭରଙ୍କ ମୃତ୍ୟୁ ହୋଇସାରିଥିଲା।
ଏହି ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ବ୍ୟାପକ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା, ଘଣ୍ଟା ଘଣ୍ଟା ଧରି ଯାନବାହାନର ଲମ୍ବା ଧାଡ଼ି ଲାଗି ରହିଥିଲା। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି।
