ରାଉରକେଲା,୨୮/୩(ଉତ୍କଳ ସମାଚାର):ରାମନବମୀ ଉପଲକ୍ଷେ ସହରର ମୁଖ୍ୟ ମାର୍ଗରେ ୧୫ଟି ଅଖାଡ଼ାର ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ହନୁମାନଙ୍କ ଝାଙ୍କି ସମେତ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ବୋର୍ଡଗୁଡ଼ିକ ମୁଖ୍ୟ ଆକର୍ଷଣ ସାଜିଥିଲା। ଶୁକ୍ରବାର ଅପରାହ୍ନ ୩ଟା ସମୟରେ ବିର୍ସା ଚୌକରୁ ୧୫ଟି ଅଖାଡ଼ା କମିଟି ପକ୍ଷରୁ ଏହି ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏଥିରେ ହନୁମାନଙ୍କ ମୂର୍ତ୍ତି, ବିଭିନ୍ନ ଦେବାଦେବୀଙ୍କ ଝାଙ୍କି ଏବଂ ଅଖାଡ଼ା କମିଟିଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଅସ୍ତ୍ରଶସ୍ତ୍ର ସଜ୍ଜିତ ବୋର୍ଡଗୁଡ଼ିକ ଅତି ଚିତ୍ତାକର୍ଷକ ହୋଇଥିଲା। ରାଉରକେଲା ଏସପି ନୀତେଶ ୱାଧୱାନୀ ନଡ଼ିଆ ଫାଟାଇ ଏହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ, ଅତିରିକ୍ତ ଏସପି ରାଜକିଶୋର ମିଶ୍ରଙ୍କ ସମେତ ପୋଲିସର ବରିଷ୍ଠ ଅଧିକାରୀ, ‘ରାଉରକେଲା ଇଣ୍ଟିଗ୍ରେସନ ଫୋରମ୍’ର କର୍ମକର୍ତ୍ତା ଏବଂ ବିଭିନ୍ନ ଅଖାଡ଼ାର ସଦସ୍ୟମାନେ ଉପସ୍ଥିତ ଥିଲେ। ଶୋଭାଯାତ୍ରା ସମୟରେ ଅଖାଡ଼ା ଖେଳାଳିମାନଙ୍କ ଦ୍ୱାରା ଲାଠି ଖେଳ ପ୍ରଦର୍ଶିତ ହୋଇଥିଲା। ଡଙ୍କା ଓ ବାଜାର ଶବ୍ଦରେ ପୂରା ସହର ପ୍ରକମ୍ପିତ ହୋଇଉଠିଥିଲା। ଏହି ଶୋଭାଯାତ୍ରାରେ ଉଦିତନଗର କୁମ୍ଭାରପଡ଼ାର ଶ୍ରୀ ଶ୍ରୀ ବାବା ଶମ୍ଭୁନାଥ ଅଖାଡ଼ା, ମାଲଗୋଦାମର ରାଣା ପ୍ରତାପ ଅଖାଡ଼ା, ବିର୍ସା ଦହର ରୋଡର ଜୟ ଶ୍ରୀ ହନୁମାନ ଅଖାଡ଼ା, ଶିବାଜୀ ମାର୍ଗର ଶିବାଜୀ ଅଖାଡ଼ା, ଡେଲି ମାର୍କେଟର ନବଯୁବକ ସଂଘ ଅଖାଡ଼ା, ସବଜି ମଣ୍ଡିର ଜୟ ମା’ ଦୁର୍ଗା ଅଖାଡ଼ା, ଓଲ୍ଡ ଟ୍ୟାକ୍ସି ଷ୍ଟାଣ୍ଡର ବାବା ଭୂତନାଥ ଅଖାଡ଼ା, ଡିଲକ୍ସ ଗଳିର ମହାକାଳ ଓ ଶିବ ଶକ୍ତି ଅଖାଡ଼ା, ଜି.ଟି. ଲେନର ଜୟ ବଜରଙ୍ଗ ଅଖାଡ଼ା, ଟ୍ରାଫିକ ମାର୍କେଟ ପଞ୍ଚମନ୍ଦିରର ଶ୍ରୀ ଶ୍ରୀ ଜୟ ବଜରଙ୍ଗ ଅଖାଡ଼ା, ବିର୍ସା ଚୌକର ଜୟ ମହାବୀର ଅଖାଡ଼ା, ନ୍ୟୁ ବସଷ୍ଟାଣ୍ଡର ତ୍ରିନାଥ ଅଖାଡ଼ା ଏବଂ କୁମ୍ଭାରପଡ଼ାର ରୁଦ୍ର ବାବା ଅଖାଡ଼ା ସାମିଲ ହୋଇଥିଲେ।


ଟ୍ୟାକ୍ସି ଷ୍ଟାଣ୍ଡ ସମ୍ମୁଖରେ ‘ରାଉରକେଲା ଇଣ୍ଟିଗ୍ରେସନ ଫୋରମ୍’ ପକ୍ଷରୁ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ବିଭିନ୍ନ ସାମାଜିକ ସଂଗଠନ ଓ ସମାଜସେବୀଙ୍କ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି, ସର୍ବତ, ଫଳ ଏବଂ ଜଳପାନର ବ୍ୟବସ୍ଥା କରାଯାଇଥିଲା। ଶୋଭାଯାତ୍ରା ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ଏବଂ ପ୍ରତ୍ୟେକ ଛକରେ ପୋଲିସ ମୁତୟନ ହୋଇଥିଲେ।
