ରାଉରକେଲା ୩୧/୭,(ଉତ୍କଳ ସମାଚାର) ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ଯରେ ଆଜି ସିପିଆଇ(ଏମ୍) ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଓ ବଞ୍ଚିବା ଅଧିକାର ଦାବିରେ ପାନପୋଷ ଉପଜିଲ୍ଲାପାଳ ଚନ୍ଦ୍ରକାନ୍ତ ମଲ୍ଲିକଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡିଶାରେ ବିଜେପିର ମୋହନ ଚରଣ ମାଝିଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ସାଧାରଣ ଲୋକଙ୍କ ଜୀବନ ଅଧିକ ଯନ୍ତ୍ରଣାଦାୟକ ହୋଇପଡ଼ିଛି । ନିର୍ବାଚନ ସମୟରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକ ପ୍ରତାରଣାରେ ପରିଣତ ହୋଇଛି ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, କୃଷି ସଙ୍କଟ, ଶ୍ରମିକ ଶୋଷଣ, ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର, ଆଦିବାସୀ ଓ ଦଳିତଙ୍କ ଉପରେ ଦମନ, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଶିକ୍ଷାରେ ଅରାଜକତା, ଭୁଷୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା, ବିଦ୍ୟୁତ୍ ଦରବୃଦ୍ଧି, ସାମାଜିକ ସୁରକ୍ଷା ଯୋଜନାରେ କଟକଣା ଏବଂ କର୍ପୋରେଟ୍ ସ୍ୱାର୍ଥ ପାଇଁ ଜମି, ଜଙ୍ଗଲ ଓ ଖଣିଜ ସମ୍ପଦର ଲୁଣ୍ଠନ ଆଜି ଜନଜୀବନକୁ ବିପର୍ଯ୍ୟସ୍ତ କରିଦେଇଛି । ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସିପିଆଇଏମ୍ ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନମଣ୍ଡଳୀ ସମେତ ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟ ବିଧାନସଭା କ୍ଷେତ୍ରରେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଓ ବଞ୍ଚିବାର ଦାବୀ ଉପସ୍ଥାପନ କରାଯାଇଛି।ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ତୃଟିମୁକ୍ତ ପାଠ୍ୟପୁସ୍ତକ ଯୋଗାଣ। ବିଜ୍ଞାନସମ୍ମତ, ଧର୍ମନିରପେକ୍ଷ ଓ ସମ୍ବିଧାନସମ୍ମତ ଶିକ୍ଷା ବ୍ୟବସ୍ଥା ଚାଲୁକରିବା। ପାଠ୍ୟପୁସ୍ତକରେ ଥିବା ଅକ୍ଷମଣୀୟ ତୃଟି ପାଇଁ ଉତ୍ତରଦାୟିତ୍ୱ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଏବଂ ଗଣଶିକ୍ଷା ବିଭାଗର ସଚିବଙ୍କୁ ବଦଳାଇ ଓଡ଼ିଆ ଭାଷାର ପାରଦର୍ଶୀତା ଥିବା ଅଧିକାରୀଙ୍କୁ ନିଯୁକ୍ତ କରିବାକୁ ଦାବି କରାଯାଇଛି। ଚାଷୀଙ୍କ ସମସ୍ତ ଫସଲ ପାଇଁ ସ୍ଵାମୀନାଥନ କମିଶନଙ୍କ ସୁପାରିଶ ଅନୁଯାୟୀ ମୋଟ ଉତ୍ପାଦନ ଖର୍ଚ୍ଚ(ସି- ୨)ଏବଂ ୫୦ ପ୍ରତିଶତ ଆଧାରରେ ସର୍ବନିମ୍ନ ସହାୟକ ମୂଲ୍ୟ (MSP) ନିଶ୍ଚିତ କରାଯିବା ସହିତ ଚାଷୀ ଓ ଭାଗଚାଷୀଙ୍କୁ ରିହାତି ଦରରେ ବିହନ, ସାର, କୀଟନାଶକ, ବିଦ୍ୟୁତ୍ ଓ କୃଷି ଉପକରଣ, ଫସଲ ବୀମା ସୁବିଧା ଏବଂ ମଣ୍ଡିରେ ଫସଲ ବିକ୍ରୟର ଅଧିକାର ଦିଆଯିବା ସହିତ ଚାଷୀ ଆତ୍ମହତ୍ୟା ରୋକିବା ପାଇଁ କୃଷି ଋଣ ଛାଡ଼ କରାଯିବାକୁ ଦାବି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ନିୟନ୍ତ୍ରଣ ସହ ବିଶ୍ଵ ବଜାରରେ ଅଶୋଧୀତ ତୈଳର ଦର କମିବା ଅନୁପାତରେ ରନ୍ଧନ ଗ୍ୟାସ୍, ଡ଼ିଜେଲ ଓ ପେଟ୍ରୋଲ୍ର ଦର ହ୍ରାସ କରାଯିବାକୁ ଦାବି କରାଯାଇଛି । ମନରେଗା ତଥା ଭି.ବି.ଜି. ରାମଜି ଯୋଜନାରେ ବର୍ଷକୁ ୨୦୦ ଦିନର କାମ ଓ ଦୈନିକ ୭୦୦ଟଙ୍କା ମଜୁରୀ ଦିଆଯିବା ସହିତ ଅନ୍ତତଃ ରାଜ୍ୟ ସରକାରଙ୍କ ଘୋଷିତ ସର୍ବନିମ୍ନ ମଜୁରୀ ପ୍ରଦାନ କରାଯିବାକୁ ଦାବି କରାଯାଇଛି। କୃଷି ଶ୍ରମିକ ଓ ଭାଗଚାଷୀଙ୍କ ପାଇଁ ସାମାଜିକ ସୁରକ୍ଷା ଓ ପେନସନ୍ ବ୍ୟବସ୍ଥା କରାଯିବାକୁ ଦାବି କରାଯାଇଛି । ଶ୍ରମିକ ବିରୋଧୀ ଚାରିଟି ଶ୍ରମକୋଡ଼ ପ୍ରତ୍ୟାହାର କରାଯିବା ସହିତ ସମସ୍ତ ଠିକା, ଆଉଟସୋସିଂ ଓ କାଜୁଆଲ୍ ଶ୍ରମିକ-କର୍ମଚାରୀଙ୍କୁ ସ୍ଥାୟୀ କରାଯିବାକୁ ଦାବି କରାଯାଇଛି। ସମସ୍ତଙ୍କୁ କାମ ଦିଆଯିବା ସହ ସର୍ବନିମ୍ନ ମଜୁରୀ ଓ ସମାନ କାମ ପାଇଁ ସମାନ ମଜୁରୀ ସୁନିଶ୍ଚିତ କରାଯିବାକୁ ଦାବି କରାଯାଇଛି। ସମସ୍ତ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣ କରାଯିବାକୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ବଣାଇଁର ସାମଗ୍ରିକ ବିକାଶ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି(DMF)ର ସଠିକ୍ ବିନିଯୋଗ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ନିର୍ବାଚନୀ ପ୍ରତିଶ୍ରୁତି ଅନୁଯାୟୀ ବୃଦ୍ଧ, ବିଧବା, ଭିନ୍ନକ୍ଷମ ଓ ଏକକ ମହିଳାଙ୍କୁ ମାସିକ ୩,୦୦୦ ଟଙ୍କା ଭତ୍ତା ପ୍ରଦାନ କରାଯିବା ସହ ବକେୟା ସାମାଜିକ ସୁରକ୍ଷା ଭତ୍ତା ତୁରନ୍ତ ପ୍ରଦାନ କରାଯିବାକୁ ଦାବି କରାଯାଇଛି। ୬୦ବର୍ଷ ପୂରଣ କରିଥିବା ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଭତ୍ତା ଦିଆଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଗଣବଣ୍ଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ସମସ୍ତଙ୍କୁ ରାଶନ୍କାର୍ଡ଼ ଯୋଗାଇଦେବାକୁ ଦାବି କରାଯାଇଛି। ସେଲ ଅଧିନରେ ଥିବା କାଲଟା ଲୌହଖଣିରେ କନ୍ଭେୟର ବେଲ୍ଟ ଯୋଗେ ମାଲ ପରିବହନ ପରିବର୍ତ୍ତେ ସ୍ଥାନୀୟ ଶ୍ରମିକ ଓ ପରିବହନ ସଂସ୍ଥାମାନଙ୍କ ଜରିଆରେ ଏହି କରାଯିବାକୁ ଦାବି କରାଯିବା ସହ କୋଇଡ଼ା ଅଞ୍ଚଳରେ ସମସ୍ତ ରାସ୍ତା ନିର୍ମାଣ ଓ ପାନୀୟଜଳ ସଂକଟ ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । RSPର ସଂପ୍ରସାରଣ କାର୍ଯ୍ୟରେ ସ୍ଥାନୀୟ ବେକାର ଯୁବକ ଯୁବତୀମାନଙ୍କୁ ଅଗ୍ରାଧିକାର ଭିଭିରେ ନିଯୁକ୍ତି ଦିଆଯିବା ସହିତ ରାଉରକେଲା ଇ.ଏସ୍.ଆଇ ମଡ଼େଲ ହସ୍ପିଟାଲରେ ସମସ୍ତ ବିଭାଗର ଅଭିଜ୍ଞ ଡାକ୍ତର, ନର୍ସ ଓ ପାରାମେଡ଼ିକାଲ ଷ୍ଟାଫ୍ ପର୍ଯ୍ୟାପ୍ତ ଭାବରେ ନିଯୁକ୍ତି ଦେବା ସହ ସମସ୍ତ ଡିସ୍ପେନ୍ସେରି ଗୁଡ଼ିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି ଜନବିରୋଧୀ ସ୍ମାର୍ଟ ମିଟର ଯୋଜନା ଓ ବିଦ୍ୟୁତ୍ ସଂଶୋଧନ ବିଲ୍ ପ୍ରତ୍ୟାହାର କରି ଲାଗିଥିବା ସ୍ମାର୍ଟ ମିଟର ହଟାଇବା ସହିତ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ଓ ମାସିକ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ମହିଳା ଓ ଶିଶୁଙ୍କ ସହିତ ବଳାତ୍କାର, ନିର୍ଯ୍ୟାତନା ଓ ହତ୍ୟା ରୋକିବା ପାଇଁ କଡ଼ା ପଦକ୍ଷେପ ନେବା ସହ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଅଣାଯିବାକୁ ଦାବି କରାଯାଇଛି। ଲୋକଙ୍କ ଧନ-ଜୀବନର ସୁରକ୍ଷା ସୁନିଶ୍ଚିତ କରି ସାମ୍ପ୍ରଦାୟିକ ବିଭାଜନ, ଘୃଣାର ରାଜନୀତି ଓ ସମ୍ବିଧାନ ବିରୋଧୀ କାର୍ଯ୍ୟ ବନ୍ଦ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଆଦିବାସୀ ଓ ଦଳିତଙ୍କ ଉପରେ ଘଟୁଥିବା ଅତ୍ୟାଚାରର ଦ୍ରୁତ ବିଚାର କରି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ସହିତ ପୀଡ଼ିତଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବାକୁ ଦାବି କରାଯାଇଛି । ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦ ଉପରେ ଆଦିବାସୀଙ୍କ ସାମ୍ବିଧାନିକ ଅଧିକାର ସୁନିଶ୍ଚିତ କରାଯିବାକୁ ଦାବି କରାଯାଇଛି । ଜଙ୍ଗଲ ଅଧିକାର ଆଇନ – ୨୦୦୬ ଅନୁଯାୟୀ ଜଙ୍ଗଲ ଅଧିକାର ପଟ୍ଟା ପ୍ରଦାନ କରି ଆଦିବାସୀଙ୍କ ସମ୍ମତି ବିନା ଜମି ଅଧିଗ୍ରହଣ ଓ ଖଣି ଖନନ ବନ୍ଦ କରାଯିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି । ପୋଲିସ୍ ଦମନ ବନ୍ଦ କରି ଗ୍ରାମସଭାର ସାମ୍ବିଧାନିକ ଅଧିକାରକୁ ସମ୍ମାନ ଦିଆଯିବାକୁ ଦାବି କରାଯାଇଛି ।ବିସ୍ଥାପିତଙ୍କ ସମସ୍ୟାର ସମାଧାନ କରି ସମସ୍ତ ବିସ୍ଥାପିତଙ୍କୁ ସଂପୃକ୍ତ କାରଖାନା, ଖଣି ଓ ରେଳ ବିଭାଗରେ ତୁରନ୍ତ ନିଯୁକ୍ତି ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଜ୍ଯରେ ଖାଲି ପଡ଼ିଥିବା ସମସ୍ତ ସରକାରୀ ପଦବୀ ତୁରନ୍ତ ପୂରଣ କରାଯିବା ସହ ବେକାର ଯୁବକ-ଯୁବତୀଙ୍କ ପାଇଁ ସ୍ଥାୟୀ ରୋଜଗାର ସୃଷ୍ଟି କରାଯିବା ସହ ନିଯୁକ୍ତି ମିଳିବା ପର୍ଯ୍ୟନ୍ତ ସମସ୍ତ ବେକାରଙ୍କୁ ବଞ୍ଚିବାଯୋଗ୍ୟ ବେକାରୀ ଭତ୍ତା ଦିଆଯିବାକୁ ଦାବି କରାଯାଇଛି । ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପାଇଁ ପୁରୁଣା ପେନ୍ସନ୍ ବ୍ୟବସ୍ଥା (ଓ.ପି.ଏସ.) ପୁନଃ ଲାଗୁ କରିବା ପାଇଁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ସରକାରୀ ଡ଼ାକ୍ତଖାନାର ସଂପ୍ରସାରଣ ଓ ଖାଲି ପଡ଼ିଥିବା ଡ଼ାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀ ପଦବୀ ପୂରଣ କରାଯିବା ସହିତ ପର୍ଯ୍ୟାପ୍ତ ଔଷଧ ଓ ସମସ୍ତ ପରୀକ୍ଷା ସୁବିଧା ଉପଲବ୍ଧ କରାଯିବାକୁ ଦାବି କରାଯିବା ସହ ଆବଶ୍ୟକୀୟ ଚିକିତ୍ସା ଉପକରଣ ସହିତ ଟେକ୍ନିସିଆନମାନଙ୍କୁ ନିଯୁକ୍ତି ଦେବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ଘରଡ଼ିହ ନଥିବା ସମସ୍ତ ବାସହୀନ ପରିବାରଙ୍କୁ ବସୁନ୍ଧରା ଯୋଜନା ମାଧ୍ୟମରେ ଘରଡ଼ିହ ପଟ୍ଟା ଓ ଆବାସ ଯୋଜନାରେ ଘର ପ୍ରଦାନ କରି ସମସ୍ତଙ୍କ ପାଇଁ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁନିଶ୍ଚିତ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରାକୃତିକ ସମ୍ପଦ ଓ ସରକାରୀ ସମ୍ପତ୍ତିର ଘରୋଇକରଣ ବନ୍ଦ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ।ସମ୍ପ୍ରତି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ରେ ୧୮ବର୍ଷରୁ ଉର୍ଦ୍ଧ୍ଵ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରି ନାଗରିକତା ଅଧିକାରକୁ ନେଇ ଅନାବଶ୍ୟକ ଦ୍ୱନ୍ଦ ଓ କଟକଣା ସୃଷ୍ଟି ବନ୍ଦ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି।ପଞ୍ଚାୟତବାସୀଙ୍କ ଉପରେ ପ୍ରସ୍ତାବିତ ବାର୍ଷିକ ୧୨୦୦ ଟଙ୍କା କର ପ୍ରତ୍ୟାହାର କରାଯିବା ସହିତ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ବନ୍ଦ କରାଯିବାକୁ ଦାବି କରାଯାଇଛି । ବିକଳ୍ପ ଥଇଥାନ ବ୍ୟବସ୍ଥା ନକରି ବସ୍ତିବାସିନ୍ଦା ଓ ଉଠାଦୋକାନୀଙ୍କୁ ଉଚ୍ଛେଦ ବନ୍ଦ କରି ଗ୍ରାମାଞ୍ଚଳ ଭଳି ସହରାଞ୍ଚଳରେ ମଧ୍ଯ ନିଶ୍ଚିତ କାମ ରୋଜଗାର ଆଇନ ପ୍ରଣୟନ କରାଯିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ସ୍ପେସାଲିଷ୍ଟ ଡାକ୍ତର, ନର୍ସ ଓ ଷ୍ଟାଫ ନିଯୁକ୍ତି ସହିତ ବେଡ୍ ସଂଖ୍ୟା ବୃଦ୍ଧି ଓ ଟିକଟ କାଉଣ୍ଟରଗୁଡ଼ିକ ଅଧିକ ସଂଖ୍ୟାରେ ଖୋଲାଯିବାକୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ରାଉରକେଲା ଆଞ୍ଚଳିକ କମିଟିର ସମ୍ପାଦକ ରାଜକିଶୋର ପ୍ରଧାନଙ୍କ ସମେତ ସୁମନ୍ତ ବେହେରା, ବି ପି ମହାପାତ୍ର, ଅଜୟ ଶର୍ମା, ଚନ୍ଦ୍ରଭାନୁ ଦାସ, ଲକ୍ଷ୍ମୀଧର ମାଝି, କବି ପ୍ରଧାନ, ସି ଦିବାକର ରାଓ, ଅଜିତ୍ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ସ୍ମାରକପତ୍ର ପ୍ରଦାନ ପୂର୍ବରୁ ସିପିଆଇ(ଏମ୍) ରାଉରକେଲା ଆଞ୍ଚଳିକ କମିଟି ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏକ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

