ସମ୍ବଲପୁର,୩୦/୦୯(ଉତ୍କଳ ସମାଚାର),(ସରୋଜ ସାହୁ):କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍ଆଇ)ର ରାଉରକେଲା ଓ ଭୁବନେଶ୍ୱର ଚାପ୍ଟର ସମ୍ମିଳନୀରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍)ର ୨୬ଟି ଟିମ୍ ପୁରସ୍କୃତ ହୋଇଛନ୍ତି। ସେଥିମଧ୍ୟରୁ ୨୧ଟି ଟିମ୍ ସ୍ୱର୍ଣ୍ଣ ଓ ୫ଟି ଟିମ୍ ରୌପ୍ୟ ପୁରସ୍କାର ପାଇଛନ୍ତି। ‘ଟିମ୍ ଅର୍ଥସିଦ୍ଧି’ କାଇଜେନ୍ ବର୍ଗରେ ଜେକେ ଦାସ ରୋଲିଂ ଟ୍ରଫି–ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଛି।ସେପ୍ଟେମ୍ବର ୨୬ ଓ ୨୭ରେ ଯଥାକ୍ରମେ ରାଉରକେଲାର ବିପିୟୁଟି ଏବଂ ଭୁବନେଶ୍ୱରର ସୋଆ ବିଶ୍ୱବିଦ୍ୟାଳୟରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଟିପିଡବ୍ଲ୍ୟୁଓଡିଏଲ୍ର ବିଭିନ୍ନ ବିଭାଗର ଟିମ୍ଗୁଡ଼ିକ ବିଦ୍ୟୁତ୍ ଯୋଗାଣର ବିଶ୍ୱସନୀୟତା, ଗ୍ରାହକ ସେବା, ସୁରକ୍ଷା, ଭୋଲ୍ଟେଜ୍ ଓ ଇନ୍ଭେଣ୍ଟୋରି ପରିଚାଳନାରେ ଉନ୍ନତି ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଓଏଚ୍ପିସି କଲୋନୀକୁ ଅସ୍ଥାୟୀ ବିଦ୍ୟୁତ୍ ଯୋଗାଣ ପାଇଁ ଏନର୍ଜି ବାଲାନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ବିଲିଂ ସମାଧାନ ପ୍ରସ୍ତୁତ କରିଥିବା ‘ଟିମ୍ ଅର୍ଥସିଦ୍ଧି’ କାଇଜେନ୍ ବର୍ଗର ୨୨୮ଟି ଟିମ୍ ମଧ୍ୟରେ ଦ୍ୱିତୀୟ ସ୍ଥାନ ପାଇଥିଲା। ରାଉରକେଲା ଚାପ୍ଟରର ନଲେଜ ଟେଷ୍ଟରେ କମ୍ପାନୀର ଆଉ ୭ଟି ଟିମ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସଫଳତା ପାଇଁ କମ୍ପାନୀର ସିଇଓ ପ୍ରବୀଣ ବର୍ମା ସମସ୍ତ ଟିମ୍, ମେଣ୍ଟର ଓ ଫାସିଲିଟେଟରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

