ମହାନଗରମୁଖ୍ୟ ଖବରରାଜ୍ୟ

ଇଣ୍ଡୋ ଇଂରାଜୀ ସ୍କୁଲର ସ୍ୱର୍ଣ୍ଣ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମ

ରାଉରକେଲା, ୧୨/୧ (ଉତ୍କଳ ସମାଚାର): ବିଶ୍ରା ଡ଼ାହାର ରୋଡ଼ ସ୍ଥିତ ଇଣ୍ଡୋ ଇଂରାଜୀ ସ୍କୁଲର ସ୍ୱର୍ଣ୍ଣ ଜୟନ୍ତୀରେ ବିଭିନ୍ନ କାର୍ଯ୍ୟକ୍ରମ ସେକ୍ଟର-୫ ସ୍ଥିିତ ଭଜଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଶ୍ରମ ଓ ଇଏସଆଇ ବିଭାଗୀୟ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସମ୍ମାନୀତ ଅତିଥି ଭାବରେ ଏନଆଇଟି ନିର୍ଦ୍ଦେଶକ ଉମା ମେହଶ୍ୱର ରାଓ, ସ୍କୁଲର ନିର୍ଦ୍ଦେଶକ ମଂଜୁ ମୁଖାର୍ଜୀ ସମେତ କଚଂନ ମିଶ୍ର, ସ୍ୱାତୀ ମୁଖାର୍ଜୀ, ଧୂବ ଜ୍ୟୋତି ମୁଖାର୍ଜୀ, ମହାଦେବ ଓରାମ ମଂଚାସୀନ ଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକଙ୍କ ଦ୍ୱାରା ଦ୍ୱୀପ ପ୍ରଜ୍ଜଳିତ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କୁ ଗଢ଼ିବା ମନ୍ଦିର ହେଉଛି ସ୍କୁଲ । ଏହି ସ୍କୁଲ ବହୁ କମ୍ ଛାତ୍ରଛାତ୍ରୀଙ୍କୁ ନେଇ ୧୯୭୪ରେ ସ୍ଥାପିତ ହୋଇଥିଲା । ବର୍ତମାନ ଏହି ସ୍କୁଲରେ ୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏହା ସହ ଛାତ୍ରଛାତ୍ରୀମାନଙ୍କୁ ଜୀବନର ଲକ୍ଷ ରଖିବା ଆବଶ୍ୟକ । ରାଜ୍ୟ ସରକାରଙ୍କ ଦ୍ୱାରା ଅତିଶୀଘ୍ର ରାଉରକେଲାରେ ଆଇଟି ହବ୍ ନିର୍ମାଣ କରାଯିବ । ଯେଉଁଥିରେ ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଓ ଯୁବବର୍ଗମାନେ ଉପକୃତ ହେବେ । ଏହା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ପ୍ରକାରର ଯୋଜନା ମଧ୍ୟ କରାଯାଉଛି । ଛାତ୍ରଛାତ୍ରୀଙ୍କୁ ଅନୁଶାସନ ପ୍ରିୟ ହେବା ଆବଶ୍ୟକ । ଏହି ଅବସରରେ ସମ୍ମାନୀତ ଅତିଥି ଶ୍ରୀ ରାଓ କହିଥିଲେ ଯେ, ଛାତ୍ର ଜୀବନ ବାରମ୍ବାର ଆସି ନଥାଏ ।ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢ଼ିଥାନ୍ତି ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ । ପୂର୍ବକାଳର ଶିକ୍ଷା ବର୍ତମାନର ଶିକ୍ଷାରେ ବହୁ ପାର୍ଥକ୍ୟ ରହିଛି । ବର୍ତମାନ ସମୟରେ କମ୍ପ୍ୟୁଟର ସହ ଟେକ୍ନୋଲୋଜି ଉପରେ ପ୍ରାଧାନ୍ୟ ଦିଆଯାଉଛି । ଏହି ଅବସରରେ ସ୍କୁଲର ନିର୍ଦ୍ଦେଶକ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ । ଅତିଥିମାନଙ୍କୁ ଉପଢ଼ୌକନ ଦିଆଯାଇ ସ୍କୁଲର ପରିଚାଳନା ଟ୍ରଷ୍ଟି ଓ ପୂର୍ବ ଛାତ୍ର ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।  ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀମାନଙ୍କ ଅଭିଭାବକଙ୍କ ସହ ପୂରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *