ମହାନଗରମୁଖ୍ୟ ଖବରରାଜ୍ୟ

ଓଡିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଡେରଜେଂଗ୍ ଜଳଭଣ୍ଡାରରେ ପକ୍ଷୀ ଗଣନା 

ଅନୁଗୁଳ,୧୫/୧ (ଉତ୍କଳ ସମାଚାର): ଡେରଜେଂଗ୍ ଜଳଭଣ୍ଡାରରେ ୩୦ ପ୍ରଜାତିର ପକ୍ଷୀ ସମେତ ୬ ପ୍ରଜାତି ବିଦେଶାଗତ ପକ୍ଷୀ ।ପକ୍ଷୀ ଚିହ୍ନଟ ଏବଂ ସଂରକ୍ଷଣ କ୍ଷେତ୍ରରେ ବିଏମସି ଯତ୍ନଶୀଳ ହେବାକୁ ପରାମର୍ଶ ।ଓଡିଶା ଜୈବବିବିଧତା ବୋର୍ଡ ପକ୍ଷରୁ ଅନୁଗୋଳ ଜିଲ୍ଲାର ଡେରଜେଂଗ୍  ଜଳଭଣ୍ଡାରରେ ଏସିଆନ୍ ଜଳଚର ପକ୍ଷୀ ଗଣନା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପକ୍ଷୀ ଗଣନା କାର୍ଯ୍ଯକ୍ରମରେ ସ୍ଥାନୀୟ ଜୈବବିବିଧତା ପରିଚାଳନା ସମିତିର କର୍ମକର୍ତ୍ତା ଏବଂ ବନ ବିଭାଗର କର୍ମଚାରୀ ମାନେ ସାମିଲ୍ ହୋଇଥିଲେ । ଅନୁଗୁଳ ବନଖଣ୍ଡ ଏବଂ ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ଗଣନା କାର୍ଯ୍ଯକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ଜଳଭଣ୍ଡାରର ଦୁଇ ପାର୍ଶ୍ବରେ  ଥିବା ଘାସ ଓ ଦଳ ଅଂଚଳକୁ ବୁଲି ବୁଲି ଗଣନାକାରୀ ମାନେ ବିଭିନ୍ନ କୌଶଳପୂର୍ଣ୍ଣ ଗଣନା କରିଥିଲେ । ଜଳଭଣ୍ଡାରରେ ୩୦ ପ୍ରଜାତିର ପକ୍ଷୀ ଦୃଶ୍ଯମାନ ହୋଇଥିବା ବେଳେ ୬ ପ୍ରକାରର ବିଦେଶାଗତ ପକ୍ଷୀ ଥିଲେ । ସମୁଦାୟ ୪୧୬ ପକ୍ଷୀ ଥିବାର ଗଣନାରେ ଆକଳନ କରାଯାଇଥିଲା । ଅନୁଗୁଳ ରେଂଜ୍ ଅଫିସର୍, ଓଡିଶା ଜୈବବିବିଧତା ବୋର୍ଡର ଗବେଷକ ଭବାନୀ ଶଂକର ମହାପାତ୍ର, ସୁଦୀପ୍ କୁମାର ବେହେରା ଏବଂ ବନ୍ଯଜୀବ ବିଶେଷଜ୍ଞ ପ୍ରସନ୍ନ କୁମାର ବେହେରାଂକ ପ୍ରତ୍ଯେକ୍ଷ ତତ୍ତ୍ବାବଧାନ ଓ ପରିଚାଳନାରେ ପକ୍ଷୀ ମାନଂକର ଗଣନା କରାଯାଇଥିଲା । ବିଦେଶାଗତ ପକ୍ଷୀ ମାନଂକ ମଧ୍ଯରେ ରେଡ୍ କ୍ରେଷ୍ଟେଡ୍ ପୋଚାଡ, କମନ୍ ସାଣ୍ଡ୍ ପାଇପର୍, ଲିଟଲ୍ ରିଂଗିଡ୍ ପ୍ଲୋଭର୍ ଗଣନା ସମୟରେ ଦୃଶ୍ଯମାନ ହୋଇଥିଲା । ଅନ୍ଯମାନଂକ ମଧ୍ଯରେ ପିଜାଣ୍ଟ ଟେଲଡଜାକାନା, ଗ୍ରେ ହେରୋନ୍ ଓ କଟନଟିଲ୍ ପକ୍ଷୀ ଦେଖିବାକୁ ମିଳିଥିଲା । ପକ୍ଷୀ ମାନଂକର ଗଣନାପରେ ବିଏମସିର ଅଂଶଗ୍ରହଣକାରୀ ମାନଂକୁ ପକ୍ଷୀ ମାନଂକର  ବ୍ଯବହାରିକ ଚଳଣି, ଖାଦ୍ଯପାନୀୟ, ପ୍ରକୃତି ପାଇଁ ରହିଥିବା ସନ୍ତୁଳନ ପ୍ରକ୍ରିୟା ସହିତ ଆମ ସଂସ୍କୃତି ଐତିହ୍ଯ ସହିତ ରହିଥିବା ସଂପର୍କ ଉପରେ ଆଲୋଚନା କରିଥିଲେ । ପକ୍ଷୀ ମାନଂକ ପାଇଁ ରହିଥିବା  ବିପଦ ଏବଂ ବିପଦରୁ ଉଦ୍ଧାର କାର୍ଯ୍ଯକ୍ରମ ଓ ସଂରକ୍ଷଣ ର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଗ୍ରାମବାସୀମାନେ ପକ୍ଷୀ ମାନଂକ ବିଷୟରେ ଅଧିକା ଜାଣିବା ଏବଂ ସେମାନଂକର  ସଂରକ୍ଷଣ ରେ ସହଯୋଗ କରାଯିବା  ଉପରେ ଆଲୋଚନା କରାଯାଇଥିଲା । ବଡକେରା, ମାଟିଆସାହି, ରନ୍ତଲେଇ, ନୂଆମୌଜା, ସାନକେରେଜଂଗ୍ , ତୁବେ ଏବଂ କନ୍ତପଡା ଜୈବ ବିବିଧତା ପରିଚାଳନା ସମିତିର ୧୭ ଜଣ କର୍ମକର୍ତ୍ତା ଗଣନାରେ ସାମିଲ୍ ହୋଇଥିଲେ । ଅନୁଗୁଳ ବନଖଣ୍ଡର ବନଖଣ୍ଡ ଅଧିକାରୀ ବିବେକ୍ କୁମାରଂକ ନିର୍ଦ୍ଦେଶରେ ସ୍ଥାନୀୟ ବନାଂଚଳ ଅଧିକାରୀ, ବନପାଳ ଓ ବନରକ୍ଷୀ ୧୦ ରୁ ଅଧିକ ଗଣନାରେ ଅଂଶଗ୍ରହଣ କରିଥିଲେ । ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତି ପକ୍ଷରୁ ସୁବ୍ରତ କୁମାର ପ୍ରଧାନ, ପ୍ରିୟବ୍ରତ ବେହେରା, ରବିନ୍ଦ୍ର କୁମାର ସାହୁ , ଚନ୍ଦନ ନାଏକ  ଏବଂ ବିନୟ ସାହୁ କାର୍ଯ୍ଯକ୍ରମକୁ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *