Uncategorized

ରାଉରକେଲା ଓ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ

ରାଉରକେଲା ୩୦/୪,(ଉତ୍କଳ ସମାଚାର): ସୁନ୍ଦରଗଡ ଜିଲ୍ଲା ଅନ୍ତର୍ଭୁକ୍ତ ରଘୁନାଥପାଲ୍ଲୀ ଓ ରାଉରକେଲା ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ଏକ ଶୋଭାଯାତ୍ରାରେ ଆସି ରଘୁନାଥପାଲ୍ଲୀ ନିର୍ବାଚନ ଅଧିକାରୀ ତଥା ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସିଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେହିପରି ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଦଳର ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ବିର୍ସା ଛକ ଠାରୁ ବିରାଟ ଶୋଭାଯାତ୍ରାରେ ଆସି ନିଜର ନାମାଙ୍କନ ପତ୍ର ରାଉରକେଲା ନିର୍ବାଚନ ଅଧିକାରୀ ତଥା ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକଙ୍କ କାର୍ଯ୍ଯାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକଙ୍କ ପ୍ରସ୍ତାବକ ଭାବରେ ରାଉରକେଲା ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ରଶ୍ମିରଞ୍ଜନ ପାଢୀ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଥିବା ବେଳେ ସମର୍ଥକ ଭାବରେ ରାଉରକେଲା ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରବୋଧ ଦାଶ ନାମାଙ୍କନ ପତ୍ରରେ ସ୍ବାକ୍ଷର କରିଛନ୍ତି। ରାଉରକେଲା କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, କଂଗ୍ରେସ କ୍ଷମତାକୁ ଆସିଲେ ଗ୍ଯାରେଣ୍ଟି କାର୍ଡରେ ଦିଆଯାଇଥିବା ଗ୍ଯାରେଣ୍ଟିକୁ କାର୍ଯ୍ଯକାରୀ କରିବ। କଂଗ୍ରେସ ଯେଉଁଠାରେ ଗ୍ଯାରେଣ୍ଟି ଦେଇଛି ସେଠାରେ କାର୍ଯ୍ଯକାରୀ କରୁଛି। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ କର୍ଣ୍ଣାଟକ, ତେଲେଙ୍ଗାନା ଓ ହିମାଚଳ ପ୍ରଦେଶରେ ଦେଇଥିବା ଗ୍ଯାରେଣ୍ଟିକୁ କାର୍ଯ୍ଯକାରୀ କରୁଛି। କଂଗ୍ରେସ ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବ ଏବଂ ସଭାସମିତି ମାଧ୍ୟମରେ ଲୋକଙ୍କ ପାଖରେ ମୁଦା ଉପସ୍ଥାପିତ କରିବ। କଂଗ୍ରେସ ଏଥର ନିଶ୍ଚିତ ଜୟଯୁକ୍ତ ହେବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ରଘୁନାଥପାଲ୍ଲୀ ବିଧାୟକ ପ୍ରାର୍ଥୀ ଗୋପାଳ ଦାସ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ, ସେ କଂଗ୍ରେସର ମୁଦା ନେଇ ପ୍ରତ୍ଯେକ ବସ୍ତି, ପ୍ରତ୍ଯେକ ଘରକୁ ଏବଂ ପ୍ରତ୍ୟେକ ଅଞ୍ଚଳରେ ସେ ବୁଲିବା ସହିତ ରଘୁନାଥପାଲ୍ଲୀର ସର୍ବାଙ୍ଗୀନ ଉନ୍ନତି ପାଇଁ କଂଗ୍ରେସ କାମ କରିବ।

Leave a Reply

Your email address will not be published. Required fields are marked *