Uncategorized

ସମ୍ବଲପୁରରେ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର,୨/୫ (ଉତ୍କଳ ସମାଚାର): ଏପ୍ରିଲ ୩୦: ମୁଖ୍ୟମନ୍ତ୍ରୀ ଭଡାରେ ଯେଉଁ ନେତା ଆଣିଛନ୍ତି, ସେ ରଜ୍ୟରେ ବିଜେପି କ୍ଷମତାକୁ ଆସିଲେ ବିଜୁ ସ୍ୱାସ୍ଥ୍ୟ ଯୋଜନା ବନ୍ଦ ହୋଇଯିବ ବୋଲି ମିଛ ପ୍ରଚାର କରୁଛନ୍ତି  । ସେମାନେ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି କାହିଁକି ?  ମୂଳ ବିଷୟ ଓଡ଼ିଆ ଲୋକମାନେ ଚିକିତ୍ସା ସେବା ପାଇବା ଦରକାର ।  ବିଜେପି ସରକାର ଆସିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ କରିବ ନାହିଁ । ଲୋକଙ୍କ ହିତ ପାଇଁ ଚାଲୁଥିବା ଯୋଜନା ସହ ଆୟୁଷ୍ମାନ ଭାରତ ଯୋଜନାକୁ ଯୋଡ଼ିବ । ଓଡ଼ିଆ ଲୋକ ଦୁଇ ଗୁଣା ଲାଭ ପାଇବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ମଙ୍ଗଳବାର ସମ୍ବଲପୁରର ଚେରୁଆପଡ଼ା ହାଉସିଂ କଲୋନୀରେ ଆୟୋଜିତ ମିଶ୍ରଣ ପର୍ବରେ ଶ୍ରୀ ପ୍ରଧାନ କହିଛନ୍ତି, ମା’ ସମଲେଇଙ୍କ ଭୂମି ସମ୍ବଲପୁର ଓଡ଼ିଶାର ପ୍ରମୁଖ ଆଧ୍ୟାତ୍ମିକ ସହର । ଅନେକ ମଠ ମନ୍ଦିରର ସହର ସମ୍ବଲପୁର କିନ୍ତୁ ଆଜି ଯେଉଁ ଅବସ୍ଥାରେ ଥିବା କଥା, ସେହି ଅବସ୍ଥାରେ ନାହିଁ । ଦୁର୍ଭାଗ୍ୟବଶତଃ ଦୀର୍ଘ ୨୪ ବର୍ଷ ଶାସନରେ ବହୁତ ଖରାପ ଅବସ୍ଥାରେ ଅଛି ।  ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦ ଅଂଚଳରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ସରକାର ବିଫଳ । ସମ୍ବଲପୁର ସହରକୁ ମହାନଗର ନିଗମ କରାଗଲା । ସମ୍ବଲପୁରର ଉନ୍ନତି ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ରାଜ୍ୟ ସରକାର ସମ୍ବଲପୁରକୁ ମହାନଗର ନିଗମ କଲେ । ଏହା ସତ୍ତ୍ୱେ ୧୦ ବର୍ଷ ହେବ ସ୍ଥାନୀୟ ଲୋକମାନଙ୍କୁ ମହାନଗର ନିଗମ ନିର୍ବାଚନ ପାଇଁ ସୁଯୋଗ ଦିଆଯାଇନାହିଁ । ରାଜ୍ୟ ସରକାର କୋର୍ଟର ବାହାନାରେ ଏହି ପ୍ରସଙ୍ଗରୁ ମୁହଁ ଲୁଚାଉଛନ୍ତି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।   ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟରେ ଅଫିସର ରାଜ୍ ଚାଲିଛି । ଗରିବ ଲୋକଙ୍କ କଥା କିଏ ବୁଝୁଛି ? ଏ ସରକାର ଗଣତନ୍ତ୍ର ବିରୋଧୀ ସରକାର । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ସମ୍ବଲପୁରର ଶତାବ୍ଦୀ ଶତାବ୍ଦୀର ମର୍ଯ୍ୟାଦାକୁ ପୁନପ୍ରତିଷ୍ଠା କରାଯିବ । ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରିବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଯୁବ ସମାଜସେବୀ ରାମଦାସ ପଣ୍ଡାଙ୍କ ସମେତ ଅନେକ ଗଣମାନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । ସେ କହିଥିଲେ ସମ୍ବଲପୁର ଜିଲ୍ଲାରେ ବିଜେପିର ସଂଗଠନାତ୍ମକ ଶକ୍ତି ମଜଭୂତ ସହ ଜନାଧାର ବୃଦ୍ଧି ହେବ । ମିଶ୍ରଣ ପର୍ବରେ ଗୁରୁଜନଙ୍କ ଆଶୀର୍ବାଦ, ମା’ ମାନଙ୍କ ଉତ୍ସାହ, ଯୁବ ବନ୍ଧୁ ମାନଙ୍କ ଉନ୍ମାଦନା ଓଡ଼ିଶାରେ ରାଜନୀତିର ଦିଶା ଓ ଭବିଷ୍ୟତର ପ୍ରମାଣ ଦେଉଛି । ଓଡ଼ିଶାରେ ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ସମ୍ବଲପୁର ଚେରୁଆପଡା ହାଉସିଂ କୋଲୋନୀରେ ଆୟୋଜିତ ମିଶ୍ରଣ ପର୍ବରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ଜିଲ୍ଲା ସଭାପତି ଗିରିଶ ପଟେଲ, ବରିଷ୍ଠ ବିଜେପି ନେତା ଡ଼ ପ୍ରମୋଦ ରଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *