Uncategorized

 ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ  ପୌରପାଳିକାରେ ନିର୍ବାଚନ ସଚେତନତା ଉଦ୍ଦେଶ୍ୟରେ ଏକ ବାଇକ୍ ରାଲି ଅନୁଷ୍ଠିତ

କେନ୍ଦୁଝର,୩/୫ (ଉତ୍କଳ ସମାଚାର): ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ପରିକଳ୍ପନାରେ ଶୁକ୍ରବାର କେନ୍ଦୁଝରଗଡ଼ ପୌରପାଳିକାରେ ନିର୍ବାଚନ ସଚେତନତା ଉଦ୍ଦେଶ୍ୟରେ ଏକ ବାଇକ୍ ରାଲି ଅନୁଷ୍ଠିତ ହୋଇଯାଇଛି। ଏହାଦ୍ୱାରା ସହରୀ ଭୋଟର୍ ଏବଂ ବିଶେଷ କରି ଯୁବ ଭୋଟରମାନଙ୍କୁ ଆସନ୍ତା ମେ ୨୫ ତାରିଖରେ ବହୁ ସଂଖ୍ୟାରେ ଆସି ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ଲାଗି ବାର୍ତ୍ତା ଦିଆଯାଇଛି।ଶୁକ୍ରବାର ସକାଳ ୭ ଟା ୩୦ ମିନିଟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ରାଲି ବାହାରିଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ସବୁଜ ପତାକା ଦେଖାଇ ଏହି ସଚେତନତା ରାଲିର ଶୁଭାରମ୍ଭ କରିବା ସହ ନିଜେ ବାଇକ୍ ଚଲାଇ ଏହାର ନେତୃତ୍ୱ ନେଇଥିଲେ। ଏହି ଅବସରରେ ୧୨୦ ରୁ ଉର୍ଦ୍ଧ୍ୱ ବାଇକ୍ ଆରୋହୀ ସାମିଲ୍ ହୋଇଥିବା ବେଳେ କେନ୍ଦୁଝର ରୟାଲ୍ ଏନଫିଲ୍ଡ କ୍ଲବର ୨୦ ରୁ ଉର୍ଦ୍ଧ୍ୱ ସଦସ୍ୟ ଏଥିରେ ଯୋଗ ଦେଇଥିଲେ। ସମସ୍ତେ ନିର୍ବାଚନୀ ସଚେତନତା ସ୍ଲୋଗାନ୍ ଲେଖାଥିବା ସ୍ୱତନ୍ତ୍ର ଟି-ସାର୍ଟ ପିନ୍ଧିବା ସାଙ୍ଗକୁ ହାତରେ ପ୍ଲାକାର୍ଡ଼ ଧରି ପୁରୁଣା ବଜାର ସ୍ଥିତ ହାଡ଼ବନ୍ଧ ପୋଖରୀ ଅଭିମୁଖେ ବାହାରିଥିଲେ। କେନ୍ଦୁଝରଗଡ଼ ପୌରପାଳିକା ତରଫରୁ ଏକ ସଚେତନତା ରଥ ମଧ୍ୟ ଏହି ରାଲିରେ ସାମିଲ୍ ହୋଇଥିଲା।କେନ୍ଦୁଝରର ରାଷ୍ଟ୍ରଦେବତା ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ଆଗରେ ମିଳିତ ଫଟୋ ଉତ୍ତୋଳନ ସହିତ ବଡ଼ଦାଣ୍ଡ ଶେଷରେ ଥିବା ହାଡ଼ବନ୍ଧ ପୋଖରୀ ଠାରେ ଏହି ସଚେତନତା ରାଲି ଶେଷ ହୋଇଥିଲା। ସେଠାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଓସ୍କା’ର ସଦସ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ‘ଷ୍ଟ୍ରିଟ୍ ପ୍ଲେ’ ପରିବେଷଣ ହୋଇଥିଲା, ଯାହାକି ଉପସ୍ଥିତ ଦେଖଣାହାରୀଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବା ସହ ନିର୍ବାଚନ ସଚେତନତାର ନିଆରା ବାର୍ତ୍ତା ପ୍ରଦାନ କରିଥିଲା। ଏହି ଅବସରରେ ସମସ୍ତେ ଆସନ୍ତା ମେ ୨୫ ତାରିଖରେ ମତଦାନ କରିବାର ସଙ୍କଳ୍ପ ନେଇ ଦସ୍ତଖତ ଅଭିଯାନରେ ସାମିଲ୍ ହୋଇଥିଲେ ଏବଂ ସେଲ୍ଫି ପଏଣ୍ଟରେ ଫଟୋ ଉଠାଇଥିଲେ। କେନ୍ଦୁଝରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଶ୍ରୀ ବସନ୍ତ କୁମାର ସେଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ଏବଂ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, କେନ୍ଦୁଝରର ବରିଷ୍ଠ ଅଧିକାରୀଗଣ ଏହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *