Uncategorized

ବିଜେପି ସରକାର ହେଲେ ଦେବଗଡରେ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ କରି ରେଳଲାଇନ କାମକୁ ତ୍ୱରାନ୍ୱିତ କରାଯିବ –  ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼, //08//05//2024///(ଉତ୍କଳ ସମାଚାର) // ଦେବଗଡ ସମେତ ଓଡ଼ିଶାରେ ରେଳ ଲାଇନ କାମରେ ଜମି ଅଧିଗ୍ରହଣରେ ରାଜ୍ୟ ସରକାର ବାଧକ ସାଜିଛନ୍ତି । ଓଡ଼ିଶାରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ରହିବ ନାହିଁ । ଏଠାରେ ତାଳଚେର-ବିମଳଗଡ଼ ଓ ବାରକୋଟ-ଝାରସୁଗୁଡ଼ା ରେଳଲାଇନ କାମ ତ୍ୱରାନ୍ୱିତ ହେବ ବୋଲି ବୁଧବାର ଦେବଗଡ଼ର ତିଲେଇବଣି, ଟିଙ୍କବୀର ଏବଂ ଛତାବରରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶ ଓ ପଦଯାତ୍ରାରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଦେବଗଡ ବିଧାୟକ ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି, ବିଗତ ୨୫ ବର୍ଷ ହେଲା ଦେବଗଡ଼ ବିଜେପିକୁ କିଛି ନା କିଛି ଦାୟିତ୍ୱ ଦେଇଛି । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଜାତୀୟ ରାଜପଥ ସହ ଦେବଗଡ଼ ଯୋଡ଼ି ହେଲା । କୃଷି ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହେଲା । ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ରେଳ ସଂଯୋଗୀକରଣ କାର୍ଯ୍ୟ ଜାରି ରହିଛି । ତାଳଚେର-ବିମଳାଗଡ଼ ରେଳ ଲାଇନ କାର୍ଯ୍ୟ ଚାଲୁ ରହିଥିବା ବେଳେ ବାରକୋଟ-ଝାରସୁଗୁଡ଼ା ରେଳଲାଇନ କାମ ପାଇଁ ସର୍ଭେ ସରିଛି । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ କାମ ତ୍ୱରାନ୍ୱିତ ହେବ । ଜମି ଅଧିଗ୍ରହଣରେ ବିଳମ୍ବ ଓ ସମସ୍ୟା ରେଳ ଲାଇନ କାମରେ ବାଧା ସୃଷ୍ଟି କରୁଛି । ରାଜ୍ୟରେ ବିଜେପି ସରକାର ଆସିଲେ ଜମି ଅଧିଗ୍ରହଣ ସମସ୍ୟା ହଟିବ ଏବଂ ରେଳ ଲାଇନ କାମ ଶୀଘ୍ର ଶେଷ ହେବ ।ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର କରିଲେ ଦେବଗଡ଼ରେ ମେଡିକାଲ କଲେଜ ଓ ହସପିଟାଲ କରାଯିବ । କେନ୍ଦୁପତ୍ର ତୋଳାଳିଙ୍କୁ ୩୫ ପ୍ରତିଶତ, କେନ୍ଦୁପତ୍ର ବାନ୍ଧୁଥିବା ଲୋକଙ୍କୁ ୧୦ ପ୍ରତିଶତ ବୋନସ ଦିଆଯିବ ଏବଂ କେନ୍ଦୁପତ୍ର ବିଡାକୁ ୧.୬୦ ଟଙ୍କାରୁ ୨ ଟଙ୍କା ବୃଦ୍ଧି କରାଯିବ । ଦେଶୀ ମଦ କାରଣରୁ ଅଞ୍ଚଳର ମା’ ଭଉଣୀଙ୍କ ଉପରେ ଅତ୍ୟାଚାର ବଢୁଥିବାରୁ ଦେଶୀ ମଦ ରନ୍ଧା ଓ ବିକ୍ରି ବନ୍ଦ କରାଯିବ । ଦେଶ ମଦ ବିକ୍ରି ଉପରେ କଡା କଟକଣା ଲଗାଯିବ ।  ବର୍ତ୍ତମାନ ଧାନ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କା ଥିବା ବେଳେ ଓଡ଼ିଶାରେ ମୋଦୀଙ୍କ ସରକାର ହେଲେ ଛତିଶଗଡ ଭଳି ଧାନର ଏମଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ହେବ । ଧାନ କିଣିବାର ୪୮ ଘଣ୍ଟା ମଧ୍ୟରେ  ବ୍ୟାଙ୍କ ଖାତାରେ ଏହି ଅର୍ଥ ଦିଆଯିବ । କଟନୀଛଟନୀ ନାଁରେ ଚାଷୀଙ୍କୁ ଯେଉଁ ଶୋଷଣ ହେଉଛି, ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ । ଧାନରେ ପ୍ରଥମ ଥର ପାଇଁ ରାଜ୍ୟ ତରଫରୁ ବୋନସ ଦିଆଯିବ । ସବୁ ଚାଷ ଜମି ଜଳସେଚନ ହେବ । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ଟଙ୍କା ମୂଲ୍ୟର ଭାଉଚର ଦିଆଯିବ । ଦୁଇ ବର୍ଷ ମଧ୍ୟରେ ଏହି ଟଙ୍କାକୁ ମହିଳାମାନେ ଏକକାଳୀନ କିମ୍ବା ଭିନ୍ନ ଭିନ୍ନ ସମୟରେ ଟଙ୍କା ଖର୍ଚ୍ଚ କରିପାରିବେ । ସବୁ ଗରିବଙ୍କୁ ପଟ୍ଟା ସହ ପକ୍କା ଘର ଦିଆଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ୧୫ ଲକ୍ଷ ଘର ଦିଆଯିବ । ରାଜ୍ୟର ଘରେ ଘରେ ନଳ ଯୋଗେ ପାନୀୟ ଜଳ ପହଞ୍ଚାଯିବ । ଶୌଚାଳୟ ଓ ଉଜ୍ଜ୍ୱଳା ଗ୍ୟାସ ସହ ସବୁ ପ୍ରକାର ସୁବିଧା ଦିଆଯିବ ।  ଓଡ଼ିଶାରେ ବକେୟା ଥିବା ୧.୫ ଲକ୍ଷ ସରକାରୀ ନିଯୁକ୍ତି ପୂରଣ ସହିତ ୩.୫ ଲକ୍ଷ ନୂଆ ନିଯୁକ୍ତି ଦିଆଯିବ । ଦାଦନ ଯନ୍ତ୍ରଣାରୁ  ମୁକ୍ତି ଦିଆଯିବ । ପିଏମ ସୂର୍ଯ୍ୟଘର ଯୋଜନାରେ ସୌର ବିଦ୍ୟୁତ ସୁବିଧା ପ୍ରଦାନ କରାଯିବ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଦିବ୍ୟାଙ୍ଗ, ନିରାଶ୍ରୟ ଓ ବାର୍ଦ୍ଧକ୍ୟ ଭତ୍ତାକୁ ତିନି ହଜାର ଟଙ୍କା କରାଯିବ । ଶତକଡା ୮୦ ଭାଗ ଥିବା ଦିବ୍ୟାଙ୍ଗଙ୍କୁ ୩୫୦୦ ଟଙ୍କା ଭତ୍ତା ଦିଆଯିବ । ବିଜେପି ସରକାର ହେବାର ପ୍ରଥମ ମାସରେ ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାରେ ଲାଗୁ ହେବ । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି ଲାଗୁ କରି ଶିକ୍ଷକ ଅଭାବ ପୂରଣ କରିବା ସହ ଗରିବ ପିଲାଙ୍କୁ ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯିବ । ଟିଙ୍କବୀରଠାରେ ପରିବର୍ତ୍ତନ ପଦଯାତ୍ରାରେ ସାମିଲ ହୋଇ ଶ୍ରୀ ପ୍ରଧାନ ଏକ ଶିକ୍ଷାନୁଷ୍ଠାନ ସ୍ଥାପନ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଭାବେ ଝିଅ ପିଲା ଏକାଦଶ ଓ ଦ୍ୱାଦଶ ପଢିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।ଆଜି ମୁଖ୍ୟମନ୍ତ୍ରୀ ଭିଡିଓରେ ଥିବାବେଳେ ରିମୋଟ୍ ବାହାର ନେତା ଗୁମାସ୍ତା ପାଖରେ ଅଛି । ଅପରପକ୍ଷରେ ଓଡ଼ିଶା ସମେତ ଦେଶରେ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କ ଆସ୍ଥାର ପ୍ରତୀକ ଓ ସ୍ୱାଭିମାନର ଛବି ହୋଇଛନ୍ତି । ଗୋଟିଏ ପଟେ ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ବିପରୀତରେ ମୋଦୀଙ୍କ ପ୍ରତି ଓଡ଼ିଶାବାସୀଙ୍କର ସମର୍ଥନ ବୃଦ୍ଧି ପାଉଛି । ଏଥର ଓଡ଼ିଶାରେ ନିଶ୍ଚୟ ପରିବର୍ତ୍ତନ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବା ପାଇଁ ପଦ୍ମଫୁଲରେ ଦୁଇ ଥର ଭୋଟ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *