Uncategorized

ଯୁଯୁମରା ନିଲଡୁଙ୍ଗୁରିରେ ସମ୍ବଲପୁର ଟର୍ମିନାଲ ମାର୍କେଟ୍ କମ୍ପଲେକ୍ସ ସ୍ଥଳରେ କେନ୍ଦ୍ରମନ୍ତ୍ରୀ

ଯୁଯୁମୁରା, ୯/୫ (ଉତ୍କଳ ସମାଚାର) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ସମ୍ବଲପୁର ଯୁଯୁମୁରା ବ୍ଲକ ନିଲଡୁଙ୍ଗୁରିରେ ପ୍ରଚାର କରିବା ବେଳେ ସ୍ଥାନୀୟ ବାସୀଙ୍କ ଅନୁରୋଧ କ୍ରମେ ସେଠାରେ ୨୦୧୪ ମସିହା ସେପ୍ଟେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଶିଳାନ୍ୟାସ ହୋଇଥିବା ସମ୍ବଲପୁର ଟର୍ମିନାଲ ମାର୍କେଟ କମ୍ପଲେକ୍ସ ସ୍ଥଳ ପରିଦର୍ଶନ କରିଛନ୍ତି । ତେବେ ଦୀର୍ଘ ୧୦ ବର୍ଷ ହେବ ନିଲଡୁଙ୍ଗୁରିରେ ସମ୍ବଲପୁର ଟର୍ମିନାଲ ମାର୍କେଟ କମ୍ପଲେକ୍ସର କାମ ହୋଇନଥିବା ବେଳେ ନାମଫଳକ ବି ଉଭାନ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।  ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ନିଲଡୁଙ୍ଗୁରିରେ ଗୋଟିଏ ଟର୍ମିନାଲ ବା ମାର୍କେଟ୍ କମ୍ପଲେକ୍ସ ତିଆରି କରିବାକୁ ନିଷ୍ପତ୍ତି ହୋଇଥିଲା । ୭୪ କୋଟି ଟଙ୍କା ବ୍ୟୟରେ ଏଠାରେ ମାର୍କେଟିଂ, ପ୍ରସେସିଙ୍ଗର ବ୍ୟବସ୍ଥା ରହିବାର ଥିଲା । ପଶ୍ଚିମ ଓଡ଼ିଶାର ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି ଆଦି ୧୦ଟି ଜିଲ୍ଲାର ପନିପରିବା ଚାଷୀ, ଫୁଲ ଚାଷୀଙ୍କ ସୁବିଧା ପାଇଁ ଜାତୀୟ ଉଦ୍ୟାନ ବିଭାଗ ଓ ରାଜ୍ୟ ସରକାର ପକ୍ଷରୁ ଏହା ନିର୍ମାଣ କରାଯିବାର ଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତତ୍କାଳୀନ କୃଷିମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀ, ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ୨୦୧୪ ମସିହା ସେପ୍ଟେମ୍ବର ମାସରେ ଶୁଭ ଦେଇଥିଲେ । ଏ ଭିତରେ ୧୦ ବର୍ଷ ବିତିଗଲାଣି । କୌଣସି କାର୍ଯ୍ୟ ହୋଇନାହିଁ । ଫଳକ ବି ଉଭାନ ହୋଇଗଲାଣି । ଏ ସମ୍ପର୍କରେ ଚାଷୀମାନେ ଜାନୁଆରୀ ୨୦୨୪ରେ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ଓଡ଼ିଶା ସରକାରଙ୍କ ସ୍ୱଚ୍ଛ ଶାସନ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଏହି ସ୍ଥାନକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଜଣେ ଆସିଥିଲେ । ଜାନୁଆରୀ ୨୦୨୪ରେ ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ଦେଇଥିଲେ ବୋଲି ଚାଷୀମାନେ କହୁଛନ୍ତି । ଅଥଚ ଏହି ଅଭିଯୋଗର କିଛି କାମ ଆଗେଇ ପାରିଲା ନାହିଁ । ମୁଖ୍ୟମନ୍ତ୍ରୀ ବେଶୀ କୁହନ୍ତି ନାହିଁ, କାମ କରନ୍ତି ବୋଲି କହୁଥିବା ବେଳେ ଏହା କି ପ୍ରକାର କାମ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଜାଣିଶୁଣି ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଭ୍ରମିତ କରିଛନ୍ତି । ସମ୍ବଲପୁର ସମେତ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଧୋକା ଦେଇଛନ୍ତି । ଏଥିପାଇଁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ବିଜେପି ସରକାର ହେଲେ ଉକ୍ତ ସ୍ଥାନରେ ଏକ ଭବ୍ୟ ମାର୍କେଟ କମ୍ପଲେକ୍ସ କରାଯିବ । କେବଳ ଏହି ଗୋଟିଏ କଥା ନୁହଁ, ମୁଖ୍ୟମନ୍ତ୍ରୀ ବିଭିନ୍ନ ଜାଗାରେ ଅନେକ କଥା କୁହନ୍ତି । କିନ୍ତୁ କୌଣସି ମଧ୍ୟ ପୂରଣ କରନ୍ତି ନାହିଁ । ୨୦୧୩ରେ ସୋହେଲାରେ ଧାନରେ ୧୦୦ ଟଙ୍କା ବୋନ୍‌ସ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ୯ ବର୍ଷ ପରେ ମଧ୍ୟ ଚାଷୀଙ୍କୁ ବୋନ୍‌ସ ମିଳିଲାନି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ଧୋକା ଦେଇଛନ୍ତି । ଏହା ମୁଖ୍ୟମନ୍ତ୍ରୀଙ୍କ ‘କଥାରେ ନୁହେଁ କାମରେ’ର ନମୁନା କି ? ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।   ବିଜେପି ସବୁବେଳେ ଚାଷୀଙ୍କ ସହ ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫୋକ୍‌ସରେ କୃଷକ ରହିଛନ୍ତି । ଓଡ଼ିଶାରେ ବିଜେପି ସକରାର ଆସିଲେ ଚାଷୀଙ୍କ ଉନ୍ନତି କରାଯିବ । ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି କରାଯିବ । ସରକାର ସିଧାସଳଖ ଚାଷୀଙ୍କ ଠାରୁଧା ନ କିଣିବେ । ମଧ୍ୟସ୍ଥି ମିଲର ରହିବେ ନାହିଁ । ସରକାରଙ୍କ ଠାରୁ ମିଲର ଧାନ ନେବେ । କଟନୀ ଛଟନୀ ହଟିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।

Leave a Reply

Your email address will not be published. Required fields are marked *