ନବରଙ୍ଗପୁର,30//10,(ଉତ୍କଳ ସମାଚାର) ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ ଅବସରରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କିସ୍ତିରେ ଜିଲ୍ଲାର ମୋଟ ୧,୦୯,୧୫୬ ଜଣ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୨୧ କୋଟି ୮୩ ଲକ୍ଷ ୧୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ନବରଙ୍ଗପୁରଙ୍କ ନେତୃତ୍ୱରେ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ ଉପସ୍ଥିତ ଚାଷୀମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲାରେ ବହୁମୁଖୀ ଫସଲ ଚାଷ ଓ କୃଷିର ବିବିଧକରଣକୁ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ଚାଷୀଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ହିଁ ସମୃଦ୍ଧ ଓଡ଼ିଶା ଗଠନର ମୂଳ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ।କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ, ସ୍ୱତନ୍ତ୍ର ବିକାଶ ପରିଷଦର ଉପାଧ୍ୟକ୍ଷ ଶ୍ରୀ ଲଙ୍ଗରାଜ ଭତ୍ରା ଏବଂ ଅତିରିକ୍ତ ଜିଲ୍ଲାପାଳ ଡଃ ପ୍ରମୋଦ ପୃଷ୍ଟି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଓ ବୈଜ୍ଞାନିକବୃନ୍ଦ ତଥା କୃଷି ବିଭାଗର ଅଧିକାରୀମାନେ ଚାଷୀଙ୍କୁ ବିଭିନ୍ନ କୃଷିଭିତ୍ତିକ ଯୋଜନା, ଆଧୁନିକ ଚାଷ ପ୍ରଣାଳୀ ଓ ଉପଲବ୍ଧ ସରକାରୀ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।ପ୍ରାରମ୍ଭରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅତିଥି ଓ ଚାଷୀମାନଙ୍କୁ ସ୍ୱାଗତ ଜଣାଇବା ସହ ପିଏମ୍-କିଷାନ ଯୋଜନାର ଉଦ୍ଦେଶ୍ୟ ଏବଂ ଚାଷୀଙ୍କ ଆର୍ଥିକ ସଶକ୍ତୀକରଣରେ ଏହାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥିମାନେ ଚାଷୀଙ୍କ ଆୟ ବୃଦ୍ଧି, କୃଷି କାର୍ଯ୍ୟରେ ଆର୍ଥିକ ସହାୟତା ଏବଂ ସରକାରୀ ଯୋଜନାର ସୁଫଳ ତୃଣମୂଳସ୍ତରରେ ପହଞ୍ଚାଇବାର ଆବଶ୍ୟକତା ଉପରେ ମତପ୍ରକାଶ କରିଥିଲେ।ଏହି ଜିଲ୍ଲାସ୍ତରୀୟ ସମାରୋହରେ ପ୍ରାୟ ୧୦୦ ଜଣ ଚାଷୀ ଯୋଗଦେଇଥିବାବେଳେ କୃଷି ବିଭାଗ ଓ କୃଷି ବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ଚାଷୀଙ୍କ ସହ ଭାବ ବିନିମୟ କରି ସେମାନଙ୍କୁ ବିଭିନ୍ନ କୃଷି ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ।

