କେନ୍ଦୁଝର,3//11,(ଉତ୍କଳ ସମାଚାର): କେନ୍ଦୁଝର ସହରସ୍ଥିତ ଧରଣୀଧର କ୍ରୀଡ଼ା ପରିସର, ଶଙ୍କରପୁରଠାରେ ୭୦ତମ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଧନୁର୍ବିଦ୍ୟା (ଆର୍ଚେରୀ) ଓ ବାଳିକା ଫୁଟବଲ୍ ପ୍ରତିଯୋଗିତା ୨୦୨୬-୨୭ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଘାଟିତ ହୋଇଛି। ନଭେମ୍ବର ୨ ତାରିଖରେ ଧନୁର୍ବିଦ୍ୟା ଏବଂ ନଭେମ୍ବର ୩ ତାରିଖରେ ବାଳିକା ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଜିଲ୍ଲାର ୧୩ଟି ବ୍ଲକରୁ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ନିଜ ନିଜର କ୍ରୀଡ଼ା ପ୍ରତିଭା ପ୍ରଦର୍ଶନ କରୁଛନ୍ତି।ଉଦ୍ଘାଟନୀ ସମାରୋହରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ଖେଳାଳିମାନେ ନିଜର କ୍ରୀଡ଼ା ପ୍ରତିଭାର ବିକାଶ କରି ଆଗାମୀ ଦିନରେ ଜିଲ୍ଲା ତଥା ରାଜ୍ୟର ଗୌରବ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଥିଲେ।ଏହି ଅବସରରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ତମ ପ୍ରଦର୍ଶନ ପାଇଁ ପ୍ରେରଣା ଦେଇଥିଲେ। କେନ୍ଦୁଝର ଜିଲ୍ଲାରେ ଥିବା କ୍ରୀଡ଼ା ପ୍ରତିଭାର ବିକାଶ ସହ ରାଜ୍ୟସ୍ତରରେ ଜିଲ୍ଲାର ଗୌରବ ବୃଦ୍ଧି କରିବା ଦିଗରେ ଏଭଳି ପ୍ରତିଯୋଗିତାର ଗୁରୁତ୍ୱ ରହିଛି ବୋଲି ମତ ପ୍ରକାଶ ପାଇଥିଲା।ଆଜିର ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ପ୍ରତିଯୋଗିତାରେ ଯୋଡ଼ା ବ୍ଲକ ଚାମ୍ପିଅନ୍ ଏବଂ ଝୁମ୍ପୁରା ଦଳ ରନର୍ସ-ଅପ୍ ହୋଇଛନ୍ତି।ପ୍ରତିଯୋଗିତାକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ୨୦ ଜଣ ଅଫିସିଆଲ୍ଙ୍କୁ ନିଯୁକ୍ତ କରାଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଖେଳାଳିମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବା ବେଳେ ପ୍ରତିଯୋଗିତାକୁ ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ହୋଇଛି। ଶେଷରେ ଜିଲ୍ଲା କ୍ରୀଡ଼ା ସମ୍ପାଦକ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ
