*ନବରଙ୍ଗପୁର,ନରସିଂବାଘ. (ଉତ୍କଳ ସମାଚାର). ୨୭/୧୧ ୨୦୨୬* ବାଲ୍ୟ, ଅପ୍ରାପ୍ତ ବୟସରେ ଓ ବଳପୂର୍ବକ ବିବାହର ଉଚ୍ଛେଦ ପାଇଁ ଆନ୍ତର୍ଜାତୀୟ ଦିବସ ଏବଂ ‘ବାଲ୍ୟ ବିବାହ ମୁକ୍ତ ଭାରତ’ (BVMB) ଅଭିଯାନର ଶୁଭାରମ୍ଭର ବାର୍ଷିକୀ ଅବସରରେ ଆଜି ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସମ୍ମିଳନୀ କକ୍ଷଠାରେ ଏକ ଜିଲ୍ଲାସ୍ତରୀୟ ସଚେତନତା ଓ ଜନସମ୍ପୃକ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ କରିବା ଲକ୍ଷ୍ୟରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ, ନବରଙ୍ଗପୁର ପକ୍ଷରୁ SOVA ଏବଂ Association for Voluntary Action (AVA)ର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମିଶନ ଶକ୍ତି ସମ୍ମିଳନୀ କକ୍ଷ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀ, ତୃଣମୂଳସ୍ତରୀୟ କର୍ମଚାରୀ, ଛାତ୍ରଛାତ୍ରୀ, ସମାଜସେବୀ ଓ ବିଭିନ୍ନ ଅଂଶୀଦାର ସାମିଲ ହୋଇ ବାଲ୍ୟ ବିବାହର କୁପରିଣାମ, ଶିଶୁମାନଙ୍କ ଅଧିକାର, ଶିକ୍ଷା ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ।ନବରଙ୍ଗପୁରର ଉପଜିଲ୍ଲାପାଳ ଶ୍ରୀ ପ୍ରକାଶ କୁମାର ମିଶ୍ର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପ୍ରୋଗ୍ରାମ ଅଫିସର ତଥା ସୁରକ୍ଷା ଅଧିକାରୀ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀମାନଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇଥିଲେ। ବାଲ୍ୟ ବିବାହ ରୋକିବା ଦିଗରେ ଜନସାଧାରଣଙ୍କ ସକ୍ରିୟ ସହଯୋଗ, ଏଭଳି ଘଟଣା ସମ୍ପର୍କରେ ତୁରନ୍ତ ପ୍ରଶାସନକୁ ସୂଚନା ପ୍ରଦାନ ଏବଂ ସମନ୍ୱିତ ପ୍ରତିରୋଧମୂଳକ ପଦକ୍ଷେପ ଗ୍ରହଣ କରିବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ବାଲ୍ୟ ବିବାହ ନିରାକରଣ ନିମନ୍ତେ ଆଗାମୀ ୧୦୦ ଦିନିଆ ଅଭିଯାନର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ କାର୍ଯ୍ୟଯୋଜନାସମ୍ପର୍କରେ ନିଜର ମତ ଉପସ୍ଥାପନ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ଗ୍ରାମ ଓ ଗ୍ରାମ ପଞ୍ଚାୟତକୁ ବାଲ୍ୟ ବିବାହମୁକ୍ତ କରିବା ସହ ଶିଶୁ ଓ କିଶୋରୀମାନଙ୍କ ଶିକ୍ଷା, ସୁରକ୍ଷା, ଅଧିକାର ଏବଂ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଥିଲେ। ଏଥିପାଇଁ ପ୍ରଶାସନ, ପୋଲିସ, ଶିକ୍ଷା ବିଭାଗ, ପଞ୍ଚାୟତିରାଜ ସଂସ୍ଥା, ମିଶନ ଶକ୍ତି ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକର ସମନ୍ୱିତ ଉଦ୍ୟମ ଅତ୍ୟନ୍ତ ଜରୁରୀ ବୋଲି ସେ ମତପ୍ରକାଶ କରିଥିଲେ। ଏହା ସହିତ ହବ୍ ଫର୍ ଏମ୍ପାୱାରମେଣ୍ଟ ଅଫ୍ ଓମେନ୍ (HEW) ଟିମ୍ ପକ୍ଷରୁ ଆଗାମୀ ୧୦୦ ଦିନିଆ ଅଭିଯାନର ବିସ୍ତୃତ କାର୍ଯ୍ୟଯୋଜନା ଉପସ୍ଥାପନ କରାଯାଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜନସଚେତନତା ସୃଷ୍ଟି, ବାଲ୍ୟ ବିବାହ ରୋକିବା, ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣ ସୁନିଶ୍ଚିତ କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି ଅଭିଯାନର ଏକ ଅଂଶସ୍ୱରୂପ ଜିଲ୍ଲାର ୧୮୯ଟି ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇଥିଲା। ଏଥିରେ ନିର୍ବାଚିତ ଜନପ୍ରତିନିଧି, ସମୁଦାୟର ନେତୃବୃନ୍ଦ, ମିଶନ ଶକ୍ତି ଗୋଷ୍ଠୀ, ତୃଣମୂଳସ୍ତରୀୟ କର୍ମଚାରୀ, ଅଭିଭାବକ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ବାଲ୍ୟ ବିବାହ ନିରାକରଣ ଦିଗରେ ସାମୂହିକ ଦାୟିତ୍ୱବୋଧ ଓ ସଚେତନତା ସୃଷ୍ଟି କରିଥିଲେ। ଏହି ଅବସରରେ ‘ବାଲ୍ୟ ବିବାହ ମୁକ୍ତ ଭାରତ’ (BVMB) ପୋର୍ଟାଲ୍ ମାଧ୍ୟମରେ ଅନଲାଇନ୍ ଶପଥ ଗ୍ରହଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଉପସ୍ଥିତ ଅଧିକାରୀ, ଜନପ୍ରତିନିଧି, କର୍ମଚାରୀ ଓ ଅଂଶଗ୍ରହଣକାରୀମାନେ ପୋର୍ଟାଲ୍ରେ ଅନଲାଇନ୍ ଶପଥ ଗ୍ରହଣ କରି ବାଲ୍ୟ ବିବାହର ସମ୍ପୂର୍ଣ୍ଣ ନିରାକରଣ ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏଥିସହ ସାମୂହିକ ଶପଥ ଗ୍ରହଣ ମାଧ୍ୟମରେ ସମାଜରୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ବାଲ୍ୟ ବିବାହର କୁପରିଣାମ, ନାବାଳିକାଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ଏବଂ ଏ ସମ୍ପର୍କିତ ଆଇନଗତ ଦଣ୍ଡବିଧାନ ବିଷୟରେ ଆଲୋକପାତ କରାଯାଇଥିଲା। ବାଲ୍ୟ ବିବାହ ସମ୍ପର୍କରେ ଜାଣିବା ମାତ୍ରେ ତୁରନ୍ତ ସମ୍ପୃକ୍ତ ଅଧିକାରୀ କିମ୍ବା ପ୍ରଶାସନକୁ ସୂଚନା ଦେବା ସହ ଏହାର ପ୍ରତିରୋଧ ପାଇଁ ସମସ୍ତେ ଆଗେଇ ଆସିବାକୁ ଆହ୍ୱାନ ଦିଆଯାଇଥିଲା।ବାଲ୍ୟ ବିବାହର ସମ୍ପୂର୍ଣ୍ଣ ନିରାକରଣ କେବଳ ପ୍ରଶାସନର ଦାୟିତ୍ୱ ନୁହେଁ, ବରଂ ଏହା ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ସାମୂହିକ ଦାୟିତ୍ୱ ବୋଲି ଉପସ୍ଥିତ ଅତିଥିମାନେ ମତପ୍ରକାଶ କରିଥିଲେ। ପରିବାର, ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ ଓ ସ୍ଥାନୀୟ ପ୍ରଶାସନର ସମନ୍ୱିତ ସହଯୋଗ ମାଧ୍ୟମରେ ପ୍ରତ୍ୟେକ ଶିଶୁର ଶିକ୍ଷା, ସୁରକ୍ଷା, ସମ୍ମାନ ଓ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରାଯାଇପାରିବ ବୋଲି ସେମାନେ ମତ ଦେଇଥିଲେ। ଶେଷରେ ନବରଙ୍ଗପୁର ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଗଢ଼ିତୋଳିବା ପାଇଁ ଆଗାମୀ ୧୦୦ ଦିନିଆ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ସମସ୍ତ ବର୍ଗର ଲୋକଙ୍କୁ ଏଥିରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଥିଲା।
