ରାଉରକେଲା ୧୨/୨,(ଉତ୍କଳ ସମାଚାର) ଗତକାଲି ରାଉରକେଲା ଠାରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂତନ ଭାବରେ ନିର୍ମିତ ହୋଇଥିବା ମହାନଦୀ ଛାତ୍ରାବାସ ଓ ଯାନ୍ତ୍ରିକ କାର୍ଯ୍ୟଶାଳାର ଉଦ୍ଘାଟନ ହୋଇଯାଇଛି। ବିପିୟୁଟିର କୁଳପତି ପ୍ରଫେସର ଅମିୟ କୁମାର ରଥ ରାଉରକେଲା ଛେଣ୍ଡସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ୬୦୦ ଶଯ୍ୟା ବିଶିଷ୍ଟ “ମହାନଦୀ” ଛାତ୍ରାବାସ ଏବଂ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷା କେନ୍ଦ୍ର ପାଇଁ ଯାନ୍ତ୍ରିକ କାର୍ଯ୍ୟଶାଳା ଗୃହର ଶୁଭ ଉଦ୍ଘାଟନ କରିଛନ୍ତି। ଏହି ଉଦ୍ଘାଟନୀ ଉତ୍ସବରେ କୁଳସଚିବ ଶ୍ରୀମତୀ ନିଶି ପୁନମ ମିଞ୍ଜ, ଅର୍ଥ ଅଧିକାରୀ ଶ୍ରୀମତୀ ସେବତୀ ଦାନସେନା, ସିୟୁପିଜିଏସ୍ ନିର୍ଦ୍ଦେଶକ ପ୍ରଫେସର ଶିବକୁମାର ମିଶ୍ର, ପାଠ୍ୟକ୍ରମ ବିକାଶ ନିର୍ଦ୍ଦେଶକ ପ୍ରଫେସର ସୁଜିତ କୁମାର ଖୁଣ୍ଟିଆଙ୍କ ସହ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ବୃନ୍ଦ ଏବଂ ଇଡକୋର ପଦାଧିକାରୀମାନେ ଏହି ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ। ମହାନଦୀ ଛାତ୍ରାବାସ ଦ୍ୱାରା ଛାତ୍ରମାନଙ୍କର ରହିବା ସୁବିଧାରେ ଉଲ୍ଲେଖନୀୟ ଉନ୍ନତି ଆସିବା ସହ ନୂତନ ଯାନ୍ତ୍ରିକ କାର୍ଯ୍ୟଶାଳା ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପ୍ରାୟୋଗିକ ଶିକ୍ଷା, ଦକ୍ଷତା ବିକାଶ ଏବଂ ବୈଷୟିକ ପ୍ରଶିକ୍ଷଣକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଏକ ସହାୟକ ତଥା ଆଧୁନିକ ଶିକ୍ଷାଦାନ ପରିବେଶ ସୃଷ୍ଟି କରିବା ଦିଗରେ ଏହା ସହାୟକ ହେବ।

