ସମ୍ବଲପୁର,୧୯/୦୨(ଉତ୍କଳ ସମାଚାର),(ସରୋଜ ସାହୁ):ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ଶ୍ରୀ ରାମକୃଷ୍ଣ ପରମହଂସ ଅଧ୍ୟାପକ ମିଳନ ବୁର୍ଲା, ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଇ-ଲର୍ଣ୍ଣିଙ୍ଗ୍ ସେଣ୍ଟରରେ ଅଧ୍ୟାପକ ଏବଂ ଗବେଷକ ସମ୍ମିଳନୀ ଆୟୋଜନ କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରକକାର୍ଯ୍ୟବାହ ଦତ୍ତାତ୍ରେୟ ହର୍ସବୋଲେ, ଯିଏକି ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ, ନିଜ ଅଭିଭାଷଣରେ ସଂଘର ଶହେ ବର୍ଷର ଯାତ୍ରା ବିଷୟରେ ଏକ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ସେ ସଂଘ ଗଠନ ହେବା ଦିନଠାରୁ ଏହାର ଯାତ୍ରାରେ ବିଭିନ୍ନ ମାଇଲ୍ ଖୁଣ୍ଟ ଏବଂ ଆହ୍ୱାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଆରଏସ୍ଏସ୍ ହିନ୍ଦୁତ୍ୱକୁ ରାଷ୍ଟ୍ରବାଦ ଦୃଷ୍ଟିକୋଣରୁ ଦେଖେ। ରାଷ୍ଟ୍ରର ସେବା ପ୍ରତି ସମର୍ପିତ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ କାର୍ଯ୍ୟ ଦ୍ୱାରା ଦେଶର ମର୍ଯ୍ୟାଦା ବୃଦ୍ଧି କରୁଛନ୍ତି। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଲୋକମାନଙ୍କୁ ଚରିତ୍ର ନିର୍ମାଣ, ବ୍ୟକ୍ତି ନିର୍ମାଣ, ପରିବାର ନିର୍ମାଣ, ସମାଜ ଏବଂ ରାଷ୍ଟ୍ର ନିର୍ମାଣ ପାଇଁ ଆଗକୁ ଆସିବାକୁ ପ୍ରେରଣା ଦେଇଥାଏ। ବିଭିନ୍ନ ଜରୁରୀକାଳୀନ ପରିସ୍ଥିତିରେ ସଂଘ ସମାଜ ପାଇଁ ନିସ୍ପାର୍ଥପର ଭାବରେ ଛିଡ଼ା ହୋଇଛି, ଏଥିପାଇଁ କୌଣସି ପ୍ରମାଣର ଆବଶ୍ୟକତା ନାହିଁ। ସ୍ୱାଧୀନତା ପରଠାରୁ ଭାରତର ବିକାଶ ଯାତ୍ରାକୁ ସେ କହିଥିଲେ ଯେ, ଖାଦ୍ୟ ପ୍ରଯୁକ୍ତି, ଶିକ୍ଷା, କ୍ରୀଡ଼ା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ଭାରତ ଅଭୂତପୂର୍ବ ପ୍ରଗତି କରିଛି। ଏବେ ଆମକୁ ନିଜର ଖାଦ୍ୟ ପାଇଁ ଅନ୍ୟ କୌଣସି ଦେଶରୁ ଖାଦ୍ୟ ମାଗିବାକୁ ପଡୁନାହିଁ। ଜାତୀୟ ଭାବନାକୁ ସର୍ବାଗ୍ରେ ରଖି ସେ କହିଥିଲେ ଯେ, କୌଣସି ପ୍ରସଙ୍ଗରେ ଆମେ ଆମ ମଧ୍ୟରେ କୌଣସି ବିବାଦ ଥିଲେ ମଧ୍ୟ ଯେତେବେଳେ ଦେଶ କଥା ଆସେ, ଆମେ ଏକାଠି ଠିଆ ହୋଇଥିବା ଦେଖିବା, ଦେଖିବାକୁ ମିଳିଥାଏ। ଅଲମ୍ପିକ ରେ କେଉଁ ଜାତିର ଖେଳାଳି ପଦକ ଜିତିଛନ୍ତି କିମ୍ବା କେଉଁ ଜାତିର ବ୍ୟକ୍ତି ନିଜ ଦକ୍ଷତା ଦ୍ୱାରା ଦେଶକୁ ଗର୍ବିତ କରିଛନ୍ତି, ତାହା ଆମେ ଦେଖୁନାହୁଁ। ଏହିଭଳି ଅବସରରେ ଆମେ ସମସ୍ତେ ଗର୍ବ ଅନୁଭବ କରୁ ଏବଂ ଏହା ହିଁ ଭାରତର ସୌନ୍ଦର୍ଯ୍ୟତା । ଭାରତର ଶକ୍ତି ହେଉଛି ଏହାର ଏକତା ଏବଂ ଅଖଣ୍ଡତା। ଭାରତର ଆତ୍ମନିର୍ଭରଶୀଳତା ବିଷୟରେ ଆଲୋଚନା କରି ସେ କରୋନା ମହାମାରୀ ବିଷୟରେ ଏବଂ ଚିକିତ୍ସା ଉପକରଣ ବ୍ୟତୀତ ଭାରତ କିପରି ବିଶ୍ୱର ବିଭିନ୍ନ ଦେଶକୁ ସାହାଯ୍ୟ କରିଥିଲା, ସେ, ସେ ବିଷୟରେ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ହେଉଛି ବସୁଧୈବ କୁଟୁମ୍ବକମ୍ ଲକ୍ଷ୍ୟ ସହିତ ଏକ ସାମାଜିକ ସଙ୍ଗଠନ, ଯାହା ଭାରତୀୟ ସଂସ୍କୃତିର ସାରମର୍ମ।ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଯଶବିନ୍ଦର ବୀର୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ବୀର ସୁରେନ୍ଦ୍ର ସାଏ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ ରିସର୍ଚ୍ଚର ସ୍ତ୍ରୀ ରୋଗ ବିଶେଷଜ୍ଞ, ସହକାରୀ ପ୍ରଫେସର ଡକ୍ଟର ସତ୍ୟନାରାୟଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଦେବଦତ୍ତ ମିଶ୍ର, ସମ୍ବଲପୁର ବିଶ୍ଵବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ବ ବିଦ୍ୟାଳୟ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ, ଆଇ ଆଇ ଏମ୍ ସମ୍ବଲପୁର, ଭିମସାର୍ ଓ ଭିସୁଟ ସମେତ ସମ୍ବଲପୁର ନିକଟବର୍ତ୍ତୀ ବିଭିନ୍ନ ବିଶ୍ଵବିଦ୍ୟାଳୟ ର ଅଧ୍ୟାପକ ଓ ପି ଏଚ ଡି ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।

