ସମ୍ବଲପୁର,୨୧/୦୨,(ଉତ୍କଳ ସମାଚାର),(ସରୋଜ ସାହୁ):ସମ୍ବଲପୁର ସହରର ବିଭିନ୍ନ ପ୍ରସିଦ୍ଧ ମନ୍ଦିରରୁ ଚୋରି କରୁଥିବା ଜଣେ ଅଭିଯୁକ୍ତକୁ ଟାଉନ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ପୋଥାଭୁଇଁ ଛିନୁପଡ଼ାର ମୁନୁ ଓରଫ ରଜନୀକାନ୍ତ ଭଇଁସାଲ (୨୫)।ସୂଚନା ଅନୁଯାୟୀ, ଗତ ୧୭ ଫେବୃଆରୀ ସନ୍ଧ୍ୟାରେ ବାଲିବନ୍ଧା ସ୍ଥିତ ଶ୍ରୀ ସୋମନାଥ ବାବା ମନ୍ଦିରରୁ ଏକ ପ୍ରାୟ ୨ କିଲୋଗ୍ରାମ ଓଜନର ପିତ୍ତଳ ଗଣେଶ ମୂର୍ତ୍ତି ଚୋରି ହୋଇଥିଲା। ଏ ନେଇ ମନ୍ଦିର ଟ୍ରଷ୍ଟ ସଭ୍ୟ ଲୋକନାଥ ପାଣ୍ଡେ ଟାଉନ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଧରିବା ସହ ତା’ ନିକଟରୁ ଚୋରି ହୋଇଥିବା ଗଣେଶ ମୂର୍ତ୍ତି, ୫ଟି ପିତ୍ତଳ ଘଣ୍ଟି (ଗୋଟିଏ ବଡ଼ ଓ ୪ଟି ଛୋଟ) ଜବତ କରିଛି। ଉଲ୍ଲେଖଯୋଗ୍ୟ ଯେ ତାର ଫଟୋ ବାଲି ବନ୍ଧା ସୋମନାଥ ମନ୍ଦିର ରାସ୍ତାରେ ସିସିଟିଭି କ୍ୟାମେରା ରୁ ମିଳିଥିଲା। ତଦନ୍ତରୁ ଜଣାପଡିଛି ଯେ, ଅଭିଯୁକ୍ତ ଜଣକ କେବଳ ସୋମନାଥ ମନ୍ଦିର ନୁହେଁ, ବରଂ ଧମା ରୋଡ଼ ସ୍ଥିତ ଲିମସରିଏନ ମନ୍ଦିର ଏବଂ ଦେଉଳବନ୍ଧ ସ୍ଥିତ ବଟେଶ୍ଵର ବାବା ମନ୍ଦିରରୁ ମଧ୍ୟ ଘଣ୍ଟି ଚୋରି କରିଥିଲା। ପୋଲିସ କେସ୍ ନମ୍ବର ୪୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି। ସଦର ଏସଡ଼ିପିଓ ତୋଫାନ ବାଗ ଆୟୋଜିତ ସାମ୍ବାଦିକ ସଂମ୍ବିଳନୀ ରେ ସୂଚନା ଦେଇଛନ୍ତି I

