ରାଉରକେଲା ୨୩/୨,(ଉତ୍କଳ ସମାଚାର)ବି ସ୍କୁଲ ଫୋରମ ଏବଂ ରିମ୍ସର ମିଳିତ ଆନୁକୂଲ୍ୟରେ ଛେଣ୍ଡ ସ୍ଥିତ ରିମ୍ସ ଏଚଆର ହଲ ଠାରେ ଜାତୀୟ ମେନେଜମେଣ୍ଟ ଦିବସ ପାଳନ ଅବସରରେ ‘ଡିଜିଟାଲ ସକ୍ଷମ’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ରିମ୍ସର ସେକ୍ରେଟାରୀ ଡ଼. ଆର୍ଯ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ ସହ ଡିଜିଟାଲ ବ୍ୟବସ୍ଥାର ସୁଯୋଗ ନେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ l ରିମ୍ସର ଚେୟାରପର୍ସନ ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଆଇଟିର ଡିନ ତଥା ଏମବିଏ ବିଭାଗ ପ୍ରଫେସର ରାଜୀବ କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଲୋଚନା ପ୍ରସଙ୍ଗରେ କହିଥିଲେ ଯେ ଡିଜିଟାଲ ବ୍ୟବସ୍ଥାର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରି ଏହାକୁ ଅଧିକ ଲୋକାଭିମୁଖୀ କରିବାକୁ ଆହ୍ୱାନ କରିଥିଲେ l କୃତ୍ରିମ ବୁଦ୍ଧିମତ୍ତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ନହୋଇ ନିଜର ସୃଜନଶୀଳତା ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ l ୟୁଥ ମୁଭମେଣ୍ଟ ଫେଡେରେସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଡିଜିଟାଲ ସକ୍ଷମ ନାରୀ ସଶକ୍ତିକରଣ ପାଇଁ ଏକ ନୂତନ ଯୁଗ ସୃଷ୍ଟିର ଲକ୍ଷ୍ୟ ରହିଥିବା କହିଥିଲେ l ତୃଣମୂଳ ସ୍ତରରେ କିପରି ଏହି ଡିଜିଟାଲ ସାକ୍ଷରତା ବୃଦ୍ଧି କରିହେବ, ସେ ଦିଗରେ ମେନେଜମେଣ୍ଟ ଓ ଅନ୍ୟ ଛାତ୍ର ଛାତ୍ରୀ ତଥା ଯୁବ ବର୍ଗ ଅଭିନଵ କୌଶଳ ଓ ଚିନ୍ତାଧାରା ପ୍ରକଟ କରିବାକୁ ଆହ୍ୱାନ କରିଥିଲେ l ପ୍ରାରମ୍ଭରେ ପ୍ର. ଝେଲମ ନାୟକ ସାବିତ୍ରୀ ଚାଁଟିଙ୍ଗ କରିଥିଲେ l କାର୍ଯ୍ୟକ୍ରମର ସଂଯୋଜିକା ପ୍ର. ଡ଼.ରଂଜିତା ସ୍ୱାଇଁ ଆଲୋଚ୍ୟ ବିଷୟ ବସ୍ତୁର ଲକ୍ଷ୍ୟ ଓ ଉଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ l ଗବେଷକ ଗୌତମ ମହାନ୍ତି ଏହି ଆଲୋଚନା ଚକ୍ର ଛାତ୍ର ଛାତ୍ରୀଙ୍କ ପାଇଁ କିପରି ଉପଯୋଗୀ ସେ ସମ୍ପର୍କରେ ଆଲୋଚନା କରିଥିଲେ l ଆଇ.ଏମ.ଏଫ.ଏର ବରିଷ୍ଠ ଉପଦେଷ୍ଟା ଟି. ସି. ହୋତା ସମ୍ମାନିତ ବକ୍ତା ଭାବେ ଯୋଗ ଦେଇ ଅନଲାଇନ ମାଧ୍ୟମରେ ତାଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ l ସେହିପରି ଅନ୍ୟତମ ବକ୍ତା ଭାବେ ଆଇଡେଣ୍ଟିଟି ଗ୍ରୁପର ଏମ.ଡି ଯଶବନ୍ତ ନାରାୟଣ ସିଂହଲ ବକ୍ତବ୍ୟ ଉପସ୍ଥାପନା କରିଥିଲେ l ମିଶନ ସକ୍ଷମର ସଫଳ ରୂପାୟନ ସହ ଛାତ୍ର ଛାତ୍ରୀ ଜୀବନରେ ସଫଳତା ପାଇବା ପାଇଁ ଉଦିଷ୍ଟ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା, ଯୋଗାଯୋଗ ମାଧ୍ୟମକୁ ବଳିଷ୍ଠ କରିବା ଓ ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ l ରିମ୍ସର ଛାତ୍ର ଛାତ୍ରୀ ରସପ୍ରୀତ କୌର, ଜୟ କୁମାର, ସିଦ୍ଧି ସାହା ଓ ଡାଉଦ ପ୍ରମୁଖ ସେମାନଙ୍କର ପିପିଟି ଉପସ୍ଥାପନା କରିଥିଲେ l ଅଜିମ ପ୍ରେମଜୀ ଫାଉଣ୍ଡେସନର ସଂଯୋଜିକା ରଂଜିତା ମୁଦୁଲି ଅନଲାଇନରେ ଉପସ୍ଥିତ ଥିଲେ l ଶେଷରେ ସହ ସଂଯୋଜିକା ସହକାରୀ ପ୍ର. କଳିଙ୍ଗ କନ୍ୟା ପରିଡା ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ପ୍ର. ସନ୍ତୋଷ କୁମାର ବିଶ୍ୱାଳ, ପ୍ର.ଡ଼ ସିଦ୍ଧାର୍ଥ ପ୍ରଧାନ, ପ୍ର. ସୁବ୍ରତ ପ୍ରସାଦ ପଟ୍ଟନାୟକ, ପ୍ର. ତ୍ରିଲୋଚନ ଜେନା ଓ ପ୍ର. ଡ଼ ସ୍ଵାତି ରେଖା ମହାନ୍ତିଙ୍କ ସମେତ ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମକୁ ଛାତ୍ରୀ ଅନୁଷ୍କା ଦାସ ସଂଯୋଜନା କରିଥିଲେ l

