ନବରଙ୍ଗପୁର.ନରସିଂବାଘ.24//2, (ଉତ୍କଳ ସମାଚାର)ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଳକର ନାରୀ ମହାସଙ୍ଘ ପକ୍ଷରୁ ଆଜି ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଏକ 5ଦଫା ବିଶିଷ୍ଟ ଦାବିପତ୍ର ପ୍ରଦାନ କରାଯାଇଛି |ତେନ୍ତୁଳୀଖୁଣ୍ଟି ବ୍ଳକରେ ଚାଲିଥିବା ଦେଶୀ ଓ ବିଦେଶୀ ମଦ ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିବା ସହିତ ମଦ ବ୍ୟବସାୟୀ ମାନଙ୍କୁ ଗିରଫ କରାଯିବା, ବ୍ଳକ ମଧ୍ୟରେ ମଦ୍ୟପାନ କରି ଗାଁ ଗାଁରେ ଅଶାନ୍ତି ସୃଷ୍ଟି କରୁଥିବା ମଦ୍ୟପ ମାନଙ୍କୁ ସ୍ଥାନୀୟ ଏସ ଏଚ ଜି ଓ ନାରୀ ମହାସଂଘ ଦ୍ୱାରା ଚିହ୍ନଟ କରି ଗିରଫ କରିବା,ବ୍ଳକରେ ନିଶାମୁକ୍ତ ଅଭିଯାନକୁ ସୁଦୃଢ କରିବା ପାଇଁ ନାରୀ ମହାସଙ୍ଘ ଓ ସ୍ଥାନୀୟ ପୋଲିସ ପ୍ରଶାସନ ମିଶି ଏକ କମିଟି ଗଠନ କରିବା, ପ୍ରତ୍ୟେକ ଗ୍ରାମରେ ନାରୀ ମହାସଙ୍ଘର ବୈଠକ ପାଇଁ ବୈଠକ ଗୃହ ଯୋଗେଇ ଦେବା ଓ ଅବକାରୀ ବିଭାଗ ମଦ ବ୍ୟବସାୟର ନୀତି ନିୟମ ବିଷୟରେ ସଚେତନ କାର୍ଯ୍ୟକ୍ରମ କରେଇବା,ଆଇନ ଅନୁସାରେ ତେନ୍ତୁଳୀଖୁଣ୍ଟି ବ୍ଳକରେ ନିଶା କରବାର ବନ୍ଦ କରିବା ପାଇଁ ସ୍ୱତନ୍ତ୍ର ଗ୍ରାମସଭା କରିବା ଆଦି ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି |ଏଠାରେ ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲାରେ ଦିନ କୁ ଦିନ ଦେଶୀ ଓ ବିଦେଶୀ ମଦ ଦୋକାନ ବୃଦ୍ଧି ପାଉଥିବା ବେଳେ ମଦ ବେପାରୀ ମାନଙ୍କ ସଂଖ୍ୟା ମଧ୍ୟ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଉଛି |ପରିଣାମ ସ୍ୱରୂପ ଗ୍ରାମ ଠାରୁ ସହର ସବୁଠାରେ ମଦ୍ୟପ ଙ୍କ ସଂଖ୍ୟା ତୀବ୍ର ଗତିରେ ବୃଦ୍ଧି ପାଇବାରେ ଲାଗିଛି |ଘରେ ଘରେ ଅଶାନ୍ତିର ବାତାବରଣ ଦେଖିବାକୁ ମିଳୁଛି,ସମାଜରେ ଚୋରୀ, ଡକାୟତି, ଅପହରଣ, ବଳାତ୍କାର ଭଳି ଅସାମାଜିକ କାର୍ଯ୍ୟ ବି ବୃଦ୍ଧି ପାଉଛି, ସୁନା ପରିବାର ଚୁନା ହୋଇଯାଉଛି, ସମ୍ପର୍କର କୌଣସି ମୂଲ୍ୟ ରହୁନି, ମଦ ନିଶାରେ ସମ୍ପର୍କକୁ ଭୁଲିଯାଉଛନ୍ତି, ଅସଭ୍ୟ ଭାଷା, ଗାଳିଗୋଲଜ, ମାର ପିଟ, କଟାହଣା ଆଦି ପ୍ରାୟ ଗ୍ରାମରେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି |ଆଉ ଏସବୁ ପଛରେ ନିଶା ର ଭୂମିକା ହିଁ ସର୍ବଶ୍ରେଷ୍ଠ ରହିଛି |ତେଣୁ ତେନ୍ତୁଳୀଖୁଣ୍ଟି ବ୍ଳକରେ ଏସବୁ ର ପ୍ରତିକାର ପାଇଁ ମଦ ବ୍ୟବସାୟ ବନ୍ଦ ହେବା ଅନିବାର୍ଯ୍ୟ ରହିଥିବା ତେନ୍ତୁଳୀଖୁଣ୍ଟି ବ୍ଳକ ନାରୀ ମହାସଂଘ ଦୃଢ଼ ପଦକ୍ଷେପ ନେଇଥିବା ସଂଘର ନେତ୍ରୀ ମାନେ କହିଛନ୍ତି |
