ରାଉରକେଲା,26//2,(ଉତ୍କଳ ସମାଚାର) ଫେବୃଆରୀ ୬, ୭ ଓ ୮ ତାରିଖରେ ପୁରୀ ଠାରେ ଆୟୋଜିତ ଭାରତୀୟ ମଜଦୁର ସଙ୍ଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନରେ ପାରିତ ପ୍ରସ୍ତାବ ଅନୁଯାୟୀ ଭାରତୀୟ ମଜଦୂର ସଂଘ ପକ୍ଷରୁ ଆଜି ଦେଶବ୍ୟାପୀ ବିରୋଧ ଦିବସ ପାଳନ କରାଯାଇଛି। ଭାରତୀୟ ମଜଦୁର ସଙ୍ଘ ସହବନ୍ଧିତ ସମସ୍ତ ୟୁନିୟନ ଜିଲ୍ଲା ମୁଖ୍ୟାଳୟ ଠାରେ ଧାରଣା ପ୍ରଦର୍ଶନ କରି ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ବିଏମ୍ଏସ୍ ସମୟ ସମୟରେ ଶ୍ରମିକଙ୍କ ଅନେକ ଜ୍ବଳନ୍ତ ମୁଦ୍ଦା ଉପସ୍ଥାପନ କରି ସରକାରଙ୍କୁ ଅବଗତ କରାଯାଇଛି। କିନ୍ତୁ ସରକାର ଏ ଯାଏଁ ସେସବୁର ଆଶାନୁରୂପ ସକାରାତ୍ମକ ପଦକ୍ଷେପ ଗ୍ରହଣ କରିନାହାଁନ୍ତି ବୋଲି ବିଏମ୍ଏସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ପ୍ରଦାନ କରାଯାଇଥିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ବିଏମ୍ଏସର ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ଅମର ଭୂୟାଁଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀପତ୍ରରେ ପ୍ରମୁଖ ଦାବୀଗୁଡିକ ହେଲା, ଅନ୍ତୋଦୟର ପ୍ରକୃତ ଭାବନା ଅନୁଯାୟି ସମସ୍ତ କ୍ଷେତ୍ର ଓ ବର୍ଗର ଶ୍ରମିକଙ୍କ ପାଇଁ ଶ୍ରମ ଆଇନ କଡାକଡି ଭାବେ ଲାଗୁ କରାଯିବା ସହିତ ଶିଳ୍ପ ସମ୍ପର୍କ କୋଡ଼ (IR CODE -2020) ଏବଂ ବୃତିଗତ ସୁରକ୍ଷା, ସ୍ବାସ୍ଥ୍ୟ ଏବଂ କାର୍ଯ୍ୟସ୍ଥିତି କୋଡ ୨୦୨୦ରେ ଥିବା ଶ୍ରମିକ ବିରୋଧୀ ନିୟମକୁ ସଂଶୋଧନ କରାଯିବାକୁ ବିଏନ୍ଏସ୍ ପକ୍ଷରୁ ଉଲ୍ଲେଖ କରାଯାଇଛି। ଆହୁରି ମଧ୍ଯ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଶୀଘ୍ର ଭାରତୀୟ ଶ୍ରମ ସମ୍ମିଳନୀ କରାଯିବା ସହିତ ବିଭିନ୍ନ ପାକ୍ଷିକ କମିଟିଗୁଡିକର ପୁନର୍ଗଠନ କରି ସେମାନଙ୍କର ନିୟମିତ ବୈଠକ କରାଯିବାକୁ ଦାବି କରାଯାଇଛି। ସମସ୍ତ ସ୍କିମ୍ ୱାର୍କରମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରାଯିବା ସହ ଇପିଏସ୍-୯୫ରେ ଥିବା ସର୍ବନିମ୍ନ ଫେସିକାନ ୧ ହଜାର ଟଙ୍କାରୁ ୭ ହଜାର ୫୦୦ ଟଙ୍କାକୁ ବୃଦ୍ଧି କରାଯିବା ସହିତ ମହଙ୍ଗା ଭତ୍ତା (DA) ପ୍ରଦାନ କରାଯିବାକୁ ବିଏମ୍ଏସ୍ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିବା ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ।

