ରାଉରକେଲା ୨୭/୨,(ଉତ୍କଳ ସମାଚାର) ସହରର ସରକାରୀ ଜମିରେ ବେଆଇନ ନିର୍ମାଣ ତଥା ଜବରଦଖଲ ଯୋଗୁଁ ସହରର ପ୍ରଗତି ବାଧାପ୍ରାପ୍ତ ହେବା ସହିତ ଦିନକୁଦିନ ବଢିଚାଲିଛି ଜବରଦଖଲ। ଏହି ଜବରଦଖଲକୁ ପ୍ରଶ୍ରୟ ଦେଉଛନ୍ତି ମହାନଗରର ଲ୍ଯାଣ୍ଡ ଗାର୍ଡ। ରାଉରକେଲା ସହରକୁ ରାଜ୍ୟ ବାହାରର ଲୋକମାନେ ଆସିବା ସହ ପ୍ରଥମେ ରାସ୍ତା କଡରେ ବ୍ଯବସାୟ ଆରମ୍ଭ କରିବା, ପରେ ସେଠାରେ ଜରି ପାଲ ଟାଣିବା ସହ ଟ୍ରଲିରେ ବ୍ଯବସାୟ କରିବା, ତାପରେ ସରକାରୀ ଜମିକୁ ଅକ୍ତିଆର କରି ବ୍ଯବସାୟ ଆରମ୍ଭ କରିବା। ଏହିପରି ବହୁ ଘଟଣା ନଜରକୁ ଆସିଥିଲେ ମଧ୍ୟ, ପୁରୁଷ ହକି ବିଶ୍ୱକପ୍-୨୦୨୪ ସମୟରେ ରାଉରକେଲାକୁ ସରସ ଓ ସୁନ୍ଦର କରିବା ପାଇଁ ପାନପୋଷ ଠାରୁ ବିର୍ସା ଛକ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ସମେତ ରିଙ୍ଗ୍ ରୋଡର ଉଭୟ ପାର୍ଶ୍ଵକୁ ସୌନ୍ଦର୍ଯ୍ୟକରଣ କରାଯାଇଥିଲା। ଏଥିସହିତ ରାସ୍ତାର ଉଭୟ ପାର୍ଶ୍ବରେ ସିମେଣ୍ଟ ସ୍ଲାବ ଲଗାଇ ପାଚେରୀ ନିର୍ମାଣ କରାଯାଇ, ସେଥିରେ ରଙ୍ଗରେ ବିଭିନ୍ନ ଚିତ୍ର କରାଯାଇଥିଲା। ଯାହାକି ବିଦେଶରୁ ଆସିଥିବା ହକି ଖେଳାଳିମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ସହରକୁ ସୌନ୍ଦର୍ଯ୍ୟ କରିଥିଲା। ବର୍ତ୍ତମାନ ଦେଖାଯାଉଛି ଯେ, କେତେକ ଗାଇ ଓ ମଇଁଷି ଆଦି ରଖି ଖଟାଲ କରିଥିବା ବ୍ଯକ୍ତି ଏହି ପାଚେରୀକୁ ଭାଙ୍ଗି ଭିତରେ ବେଦଖଲ କରି ବ୍ଯବସାୟ କରୁଛନ୍ତି।\ଏଠାରେ ପ୍ରଶ୍ନ ଉଠେ, ରାଉରକେଲା ମହାନଗର ନିଗମରେ ମାସିକ ଦରମା ନେଇ ଲ୍ଯାଣ୍ଡ ଗାର୍ଡ ଭାବେ କାର୍ଯ୍ୟ କରୁଥିବା ମହାନଗର ନିଗମ କର୍ମଚାରୀମାନେ ଜାଣିଶୁଣି କାର୍ଯ୍ଯର ଅବହେଳା କରୁଛନ୍ତି ନାଁ, ଖଟାଲ ମାଲିକଙ୍କ ଠାରୁ ମାସିକ ଅର୍ଥ ନେଇ ସେମାନଙ୍କୁ ସୁରକ୍ଷା ଦେଉଛନ୍ତି ! ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ବେ ମହାନଗର ନିଗମ ତଥା ପ୍ରଶାସନ ପକ୍ଷରୁ ବେଆଇନ ଜବରଦଖଲକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ପ୍ରଶାସନ ପକ୍ଷରୁ ରାଉରକେଲାରେ ବେଆଇନ ଜବରଦଖଲକୁ ଉଚ୍ଛେଦ କରାନଯାଇ ପ୍ରୋତ୍ସାହନ ଦେବା ସମସ୍ତଙ୍କ ମଧ୍ୟରେ ପ୍ରଶ୍ନ ଉଠାଇଛି। ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।

