ରାଉରକେଲା:2//3,(ଉତ୍କଳ ସମାଚାର)”ବାସୁଦେବପୁର ଜନ କଲ୍ୟାଣ ପରିଷଦ” ଆଜି ଏହାର ରଜତ ଜୟନ୍ତୀ ସେକ୍ଟର – ୭ ସ୍ଥିତ ମଧୁ ମଣ୍ଡପ ଠାରେ ପାଳନ କରିଛି। ସଂଘର ସଭାପତି ଡାକ୍ତର ରବିନାରାୟଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବକୁ ଅତିଥି ମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ ତଥା ଗବେଷକ ଡଃ.ଅଜୟ କୁମାର ପଣ୍ଡା ତାଙ୍କ ବକ୍ତବ୍ୟରେ କହିଲେ ଯେ, ବାସୁଦେବପୁର କେବଳ ଏକ ଭୌଗୋଳିକ ଭୂଖଣ୍ଡ ନୁହେଁ ଏହା ଏକ ଜୀବନ୍ତ ସତ୍ତା। ସେ ବାସୁଦେବପୁରର ଐତିହ୍ୟ ସମ୍ପର୍କରେ ସବିଶେଷ ଆଲୋଚନା କରିବା ସହ ଆମ ସମସ୍ତଙ୍କୁ ମାଟି ମନସ୍କ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ଏବଂ ରଘୁନାଥପାଲିର ବିଧାୟକ ଦୁର୍ଗା ଚରଣ ତନ୍ତୀ ପରିଷଦର ସମାଜ କଲ୍ୟାଣ ମୂଳକ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସହଯୋଗ ହାତ ବଢ଼ାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବାସୁଦେବପୁରର ବିଧାୟକ ଅଶୋକ କୁମାର ଦାସ ବାସୁଦେବପୁରର ଗୌରବୋଜ୍ବଳ ଅତୀତକୁ ସ୍ମରଣ କରି ସ୍ମୃତି ଚାରଣ କରିବା ସହ ଏହାର ଐତିହାସିକ ଗୁରୁତ୍ବ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଦୀର୍ଘ ୨୫ ବର୍ଷ ଧରି ବହୁ ଘାତପ୍ରତିଘାତ ଭିତରେ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏହାକୁ ସୁଚାରୁରୂପେ ପରିଚାଳିତ କରି ଆସୁଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରାଉରକେଲା ଇସ୍ପାତ କାରଖାନାର ସେବାନିବୃତ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି ଅନୁଷ୍ଠାନର ସାମାଜିକ ପ୍ରତିବଦ୍ଧତା ଓ ସେବା ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ। ଏହି ଅବସରରେ ଅନୁଷ୍ଠାନର ସ୍ମରଣିକା ବେଳାଭୂମି କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ସଭାପତି ଅଭିଭାଷଣରେ ଡାକ୍ତର ରବିନାରାୟଣ ମହାପାତ୍ର ପରିଷଦ ଗଠନର ପ୍ରାରମ୍ଭିକ ଦିନ ମାନଙ୍କର ସ୍ମୃତି ଚାରଣ କରିଥିଲେ। ଉପସଭାପତି ଡାକ୍ତର ରବୀନ୍ଦ୍ର କୁମାର ପଣ୍ଡା ମଞ୍ଚାସୀନ ଥିଲେ। ଅନ୍ୟତମ ଉପସଭାପତି ଉଦୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ଲକ୍ଷ୍ମଣନାଥ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।ଯୁଗ୍ମ ସମ୍ପାଦକ ଶରତ କୁମାର ଦାସ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଶିକ୍ଷାବିତ୍ କବୀ ସୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗ୍ରୀଷ୍ମା ତିଓ୍ବାରୀ ଏକକ ଓଡ଼ିଶୀ ନୃତ୍ୟ ଏବଂ ସିଲକୀ ପଲାଇ ଓ ଉପାସନା ତନ୍ତୀ ଯୁଗ୍ମ ଭାବେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ସାଂସ୍କୃତିକ ସମ୍ପାଦକ ବିବେକାନନ୍ଦ ପଣ୍ଡାଙ୍କ ନେତୃତ୍ବରେ ମ୍ୟୁଜିକ ସର୍କଲର କଳାକାର ମାନେ ଅଳକା ଚାନ୍ଦଙ୍କ ରଚିତ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଶେଷରେ କୋଷାଧ୍ୟକ୍ଷ ବିଶ୍ବନାଥ ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଉତ୍ସବରେ ବିଦ୍ୟାଳୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଫଳକ ଏବଂ ପ୍ରମାଣ ପତ୍ର ଦେଇ ଅତିଥି ମାନେ ପୁରସ୍କୃତ କରିବାସହ ପରିଷଦର ବୟୋଜ୍ୟେଷ୍ଠ ସଦସ୍ୟ ନିଶାକର ନାୟକ, ସୁବାସ ଚନ୍ଦ୍ର ମହାପାତ୍ର, ବିଶ୍ବନାଥ ସାହୁ, ଉଦୟ କୁମାର ସାହୁ ଏବଂ ଅଚ୍ୟୁତାନନ୍ଦ ଦାସ ପ୍ରମୁଖଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ସଙ୍ଗଠନ ସମ୍ପାଦକ କୃପାସିନ୍ଧୁ ବେହେରା ଓ ସନାତନ ପତି, ସତ୍ୟଜିତ୍ ସାହୁ, ଉଜ୍ଜ୍ୱଳ ପ୍ରଦୀପ ଦାସ, ପ୍ରଭାତ କୁମାର ଦାସ, ପ୍ରଶାନ୍ତ କୁମାର ଦାସ, ଅନିରୁଦ୍ଧ ଦାସ ପ୍ରମୁଖ ସହାୟତା କରିଥିଲେ।

