ଉମରକୋଟ: ନରସିଂବାଘ. (ଉତ୍କଳ ସମାଚାର). ୦୬/୦୩.ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବେହେଡା ଗାଁରେ ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଏକ ଭାଲୁ ଗାଁ ଭିତରକୁ ପ୍ରବେଶ କରିଥିବା ଘଟଣା ଦେଖାଦେଇଛି। ଭାଲୁଟି ଗାଁର ବିଦ୍ୟାସାଗରଙ୍କ ଘର ବାଡ଼ି ଭିତରକୁ ପସି କିଛି ସମୟ ପର୍ଯ୍ୟନ୍ତ ସେଠାରେ ଘୁରିବା ସହ ରହିଥିଲା। ତେବେ ଭାଗ୍ୟକ୍ରମେ ଏହି ଘଟଣାରେ କାହାରୋ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ଭାଲୁଟି କିଛି ସମୟ ପର୍ଯ୍ୟନ୍ତ ଘର ବାଡ଼ି ଭିତରେ ଘୁରିବା ପରେ ପୁଣି ଜଙ୍ଗଲ ଦିଗକୁ ଫେରିଯାଇଥିଲା। ଏହି ଘଟଣାକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କିଛି ସମୟ ପାଇଁ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା।ସ୍ଥାନୀୟ ଲୋକଙ୍କ ମତାନୁସାରେ ବେହେଡା ଗାଁ ନିକଟରେ ଘନ ଜଙ୍ଗଲ ନଥିବାରୁ ବେଳେବେଳେ ବନ୍ୟ ପ୍ରାଣୀମାନେ ଖାଦ୍ୟ ଓ ପାଣିର ସନ୍ଧାନରେ ଗାଁ ଅଞ୍ଚଳକୁ ପ୍ରବେଶ କରୁଥିବା ଘଟଣା ଦେଖାଯାଉଛି।ଉଲ୍ଲେଖନୀୟ ଯେ, ଗତ କିଛି ଦିନ ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଗୋଟିଏ ହେଟା ବାଘ ରାସ୍ତା ପାର ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିବା ଘଟଣା ସମ୍ମୁଖରେ ଆସିଥିଲା। ଏହାକୁ ନେଇ ଅଞ୍ଚଳବାସୀ ବନ୍ୟ ପ୍ରାଣୀ ସୁରକ୍ଷା ଓ ଗ୍ରାମବାସୀଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି।
