ରାଉରକେଲା :19//3,(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲାର ଅନ୍ୟତମ ସାରସ୍ୱତ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦର ସପ୍ତଦଶ ତମ ପ୍ରତିଷ୍ଠା ଉତ୍ସବ ରାଜଗାଙ୍ଗପୁର ମାଲିଡିହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ପ୍ରତିଷ୍ଠାତା ସମ୍ପାଦକ ସୁନୀଲ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ମହୋତ୍ସବରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସୁଶୀଲ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ” ପରିବେଶ ସ୍ଵଛତା, ନିଶା ନିବାରଣ, ଓ ଅଂଶୁଘାତ ପାଇଁ ସତର୍କତା ” ଶୀର୍ଷକରେ ଆଲୋଚନା କରି କହିଥିଲେ ଯେ, ବଣ ଜଙ୍ଗଲ ଆମର ମୂଲ୍ୟବାନ ସମ୍ପତ୍ତି l ଏହାର ସୁରକ୍ଷା ଦାୟିତ୍ୱ ଆମର l ପ୍ରତ୍ୟେକ ବ୍ୟକ୍ତି ନିଜ ମାଆଙ୍କ ନାମରେ ଗଛଟିଏ ଲଗାଇ ଏହାର ଯତ୍ନନେବା ଉଚିତ l ସମାଜସେବୀ ବିନିତା କୁଲୁ ନିଶା ସେବନର କୁପରିଣତି ବିଷୟରେ କହିବା ସହ ନିଶା ସେବନକୁ ଦୂରେଇ ରଖିବାକୁ ପରାମର୍ଶ ଦେଇଥିଲେ l ସମ୍ପାଦକ ସୁନୀଲ ମହାନ୍ତି ସ୍ୱାଗତ ପ୍ରଦାନ ପୂର୍ବକ ବକ୍ତବ୍ୟ ରଖିଥିଲେ ଯେ, ମନର ସ୍ୱଛତା, ଦେହର ସ୍ଵଛତା ଓ ପରିବେଶର ସ୍ଵଛତା ଆଦି କ୍ଷେତ୍ରରେ ଆମେ ଯତ୍ନବାନ ହେବା ଉଚିତ l ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଆମେ ଘରୁ ବାହାରିଲା ବେଳେ ପାଦରେ ଚପଲ, ଛତା, ଓଦା ଗାମୁଛା, ପାଣି ବୋତଲ ସାଙ୍ଗରେ ନେବା ଉଚିତ l ଏହି ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ନେଇ ନୃତ୍ୟ, ଗୀତ ଓ ସାଧାରଣ ଜ୍ଞାନ ଆଦି ପ୍ରତିଯୋଗିତା କରାଯାଇଥିଲା l ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଉପହାର ପ୍ରଦାନ କରାଯିବା ସହ ସ୍ଵଛତା ରକ୍ଷା ପାଇଁ ଶପଥ ପାଠ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଭୀମସେନ ବୁଢା, ବ୍ରହ୍ମାନନ୍ଦ ପାଢ଼ୀ, ବିଭୁତି ଦାଶ ପ୍ରମୁଖ ସହଯୋଗ କରିଥିଲେ ।ଚାଳିଶରୁ ଅଧିକ ଗ୍ରାମବାସୀ ଯୋଗଦେଇଥିବା ବେଳେ ବୁଦ୍ଧଲାଲ ଭୂମିଜ ଧନ୍ୟବାଦ ପ୍ରଦାନ କରିଥିଲେ l

