ରାଉରକେଲା,୨୭/୩(ଉତ୍କଳ ସମାଚାର): ରାମନବମୀ ଅବସରରେ ବୀର ବଜରଙ୍ଗ ଆଖଡ଼ା ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ବାହାର କରାଯାଇଥିଲା । ଇସ୍ପାତ ଅଚଂଳ ସେକ୍ଟର-୧୬ର ବୀର ବଜରଙ୍ଗ ଆଖଡ଼ା କମିଟି ରାମନବମୀ ଅବସରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରିଥିଲା । ଏକ ଟ୍ରଲରରେ ବଜରଙ୍ଗବାଲିଙ୍କ ଏକ ବିଶାଳ ପ୍ରତିମା ରଖାଯାଇ ପୂଜା କରାଯାଇଥିଲା ଏବଂ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଥିଲା । ସେକ୍ଟର-୧୬ର ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଏହି ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ଢୋଲ୍ ଏବଂ ଝାଞ୍ଜର ଶବ୍ଦରେ ସମଗ୍ର ଅଚଂଳ ପ୍ରକମ୍ପିତ ହୋଇଥିଲା । ଏହି ସମୟରେ, ଆଖଡ଼ା କମିଟିର ଖେଳାଳିମାନେ ଲାଠି ଖେଳ, ଷ୍ଟିଲ୍ ରିଲେ ଖେଳ ଏବଂ ଅନ୍ୟାନ୍ୟ ଖେଳ ପ୍ରଦର୍ଶନ କରିଥିଲେ । ବିଶେଷକରି ଛୋଟ ପିଲା ଏବଂ ଯୁବକମାନଙ୍କ ମଧ୍ୟରେ ଏହି ରାମନବମୀ ଶୋଭାଯାତ୍ରା ପାଇଁ ବହୁତ ଉତ୍ସାହ ଥିଲା । ବିନୋଦ କୁମାର ଓରଫ ମିଟାଂ, ରାଜେଶ କୁମାର, ସୁନୀଲ ଶେଟ୍ଟି, ଜିତେନ୍ଦ୍ର ଠାକୁର, ଚିନୁ ଲାଲ ଏବଂ ଆଖଡ଼ା କମିଟିର ଅନ୍ୟାନ୍ୟ ପଦାଧିକାରୀ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ଶୋଭାଯାତ୍ରା ସେକ୍ଟର-୧୬ ହନୁମାନ ମନ୍ଦିରରୁ ଆରମ୍ଭ ହୋଇଥିଲା ଏବଂ ଖେଳ ପ୍ରଦର୍ଶନ କରି ସ୍ଥାନୀୟ ଅଚଂଳ ପରିକ୍ରମା କରିଥିଲା । ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଛକ ଛକରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ସରବତ ଏବଂ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

