ରାଉରକେଲା ୧୮/୪,(ଉତ୍କଳ ସମାଚାର) ବିଶ୍ରା ଥାନା ଅନ୍ତର୍ଗତ ଜାମବେଣ୍ଡା ଗ୍ରାମର ନାବାଳିକା ଛାତ୍ରୀ ପୂଜା ମାହାତୋ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅପରାଧକୁ କଠୋର ଶାସ୍ତି ବିଧାନ କରିବା ଦାବିକରି ଆଜି ବିଶ୍ରା ବ୍ଲକର ତେତେରକେଲା ଗ୍ରାମପଞ୍ଚାୟତର ବିଭିନ୍ନ ଗ୍ରାମର ଜନସାଧାରଣଙ୍କ ସମେତ ରାଉରକେଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଗତ ଫେବୃଆରୀ ୫ ତାରିଖ ଦିନ ବିଶ୍ରା ବ୍ଲକ ଅନ୍ତର୍ଗତ ଜାମବେର୍ଣ୍ଣା ଗ୍ରାମର ପୂଜା ମାହାତୋ ସ୍କୁଲରୁ ଘରକୁ ଫେରି ନଥିଲା। ଗ୍ରାମବାସୀମାନେ ପୂଜାକୁ ମୁମୂର୍ଷ ଅବସ୍ଥାରେ ତେତେରକେଲା ପାର୍ଶ୍ବ ଜଙ୍ଗଲରୁ ଉଦ୍ଧାର କରିଥିଲେ। ଗୋଟିଏ ଦିନ ପରେ ରାତି ୨ଟାରେ ପୂଜା ଆଖି ବୁଜି ଦେଇଥିଲା। ପୂଜା ମାହାତୋର ଏଭଳି ମୃତ୍ୟୁ ଏକ ସୁପରିକଳ୍ପିତ ହତ୍ୟା ବୋଲି ପରିବାର ଲୋକ ଏବଂ ଅଞ୍ଚଳବାସୀ ଦୃଢ଼ ବିଶ୍ବାସ କରିବା ସହିତ ପୂଜାକୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି କେତେକ ପ୍ରମାଣ ହସ୍ତଗତ ହୋଇଥିଲା। ସ୍ଥାନୀୟ ପୋଲିସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅପରାଧିକୁ ଗିରଫ କରାଯିବା ଘଟଣା ସ୍ଥାନୀୟ ଜନସାଧାରଣଙ୍କ ଭିତରେ ଗଭୀର କ୍ଷୋଭ ଓ ଉଦବେଗ ସୃଷ୍ଟି କରିଥିଲା। ଉକ୍ତ ଘଟଣାକୁ ନେଇ ଆଜି ରାଉରକେଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ପୂଜା ମାହାତୋ ସକାଳ ସାଢେ ୯ଟାରେ ସ୍କୁଲକୁ ଯାଇଥିଲା, ମାତ୍ର ସ୍କୁଲ ଛୁଟି ସମୟ ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ସେହିଦିନ ସେ ଆଉ ଘରକୁ ଫେରିନଥିଲା। ପରିବାର ଲୋକଙ୍କ ସହ ଗ୍ରାମବାସୀମାନେ ବିଭିନ୍ନ ସ୍ଥାନରେ ଖୋଜା ଖୋଜି କରି ଶେଷରେ ଚେତେରକେଲା ଗ୍ରାମ ନିକଟସ୍ଥ ଜଙ୍ଗଲରୁ ରାତି ୮ଟାରୁ ୯ଟା ମଧ୍ୟରେ ମୁମୂର୍ତ୍ତ ଅବସ୍ଥାରେ ପୂଜାକୁ ଉଦ୍ଧାର କରାଯାଇଥିଲା। ପୂଜା ସ୍କୁଲକୁ ନେଇ ଯାଇଥିବା ସାଇକେଲ୍ ତେତେରକେଲା ଗ୍ରାମର ସାଧୁ ଓରାମ୍ ଘରୁ ମିଳିଥିଲା। ଉଦ୍ଧାରକାରୀଙ୍କ କହିବା ମୁତାବକ ପୂଜା ଶୋଇଥିବା ଚାଦର ଏବଂ ପାରିପାର୍ଶ୍ବକ ଅବସ୍ଥାକୁ ଲକ୍ଷ୍ୟ କଲେ ଜଣା ପଢୁଥିଲା ଯେ ସେ ସ୍ୱାଭାବିକ ଭାବରେ ଶୋଇଥିଲା । ବିଷପାନ କରିଥିଲେ ଏହା ସମ୍ଭବ ହୋଇ ନଥାନ୍ତା । ତେଣୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଏବଂ ଗ୍ରାମବାସୀ ବିଶ୍ବାସ କରୁଛନ୍ତି। ପୂଜା ମାହାତୋ ହତ୍ଯାକାଣ୍ଡର ୭୨ ଦିନ ଅତିବାହିତ ହୋଇ ଯାଇଥିଲେ ମଧ୍ୟ ଅପରାଧିମାନେ ଧରାପଡି ନାହାଁନ୍ତି । ଫଳରେ ସେ ଅଞ୍ଚଳର ଝିଅମାନେ ନିଜକୁ ଅସୁରକ୍ଷିତ ଭାବୁଛନ୍ତି ଏବଂ ଛାତ୍ରୀମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି ।ଏଥିସହିତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ମଦ ଓ ମାଦକ ଦ୍ରବ୍ୟ ବହୁଳ ଅଞ୍ଚଳରେ ମାଦକଦ୍ରବ୍ଯ ସହଜ ଭାବେ ଉପଲବ୍ଧ ହେଉଥିବାରୁ, ସେ ଅଞ୍ଚଳରେ ଅପରାଧିକ କାର୍ଯ୍ୟ କଳାପ ବଢିବାରେ ଲାଗିଛି। ଦାବିପତ୍ରରେ ଅନୁରୋଧ କରାଯାଇଛି ଯେ, ସଠିକ ପଦକ୍ଷେପ ଗ୍ରହଣ କରାଯାଇ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ସହିତ ସମ୍ପୃକ୍ତ ଅପରାଧମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ ଦଣ୍ଡବିଧାନ କରାଯାଇପାରିବ। ଏହାଦ୍ବାରା ଅଂଚଳବାସୀଙ୍କ ପୁଲିସ ଓ ପ୍ରଶାସନଙ୍କ ଉପରେ ଭରଷା ଫେରିଆସିବ ଏବଂ ନାରୀ ସମାଜ ନିଜକୁ ସୁରକ୍ଷିତ ବୋଲି ଭାବିପାରିବେ।ଆଜିର ଏହି ବିକ୍ଷୋଭ ଓ ଦାବିପତ୍ର ପ୍ରଦାନରେ ନାରୀ ନିର୍ଯାତନା ପ୍ରତିରୋଧ କମିଟିର ଆବାହିକା ଛବିରାଣି ମହାନ୍ତି, ସଦସ୍ୟ ବୀରେନ ନାଏକ, ବିଷ୍ଣୁ ପଣ୍ଡା, ବିଦ୍ଯୁତ ମହାନ୍ତ, ଶୁଭ୍ରାଂଶୁ ମିଶ୍ର, ବବିତା ମହାପାତ୍ର, ଛବି ମହାନ୍ତି, ଗ୍ରାମବାସୀଙ୍କ ମଧ୍ୟରେ ପହଲୁ ମାହୋତ, ସୁରେଶ ମାହାତୋ, ନରେନ୍ଦ୍ର ଗୋପ, ହୁଲାସ ମାହାତୋ ପ୍ରମୁଖ ନେତୃତ୍ବ ନେଇଥିଲେ।

