ରାଉରକେଲା, ୨୯/୪(ଉତ୍କଳ ସମାଚାର):: ରାଜ୍ୟର ସାମ୍ବାଦିକମାନଙ୍କ ସୁରକ୍ଷା ଓ ଆର୍ଥିକ ସହାୟତା ଭଳି ୬ ଦଫା ଦାବିରେ ଉତ୍କଳ ସାମ୍ବାଦିକ ସଂଘ ସହବନ୍ଧିତ ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ ଦୁର୍ବଳ। ଦେଶର ସଂଖ୍ୟାଧିକ ରାଜ୍ୟ ଏବଂ ସେହି ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କୁ ଅଧିସ୍ଵୀକୃତି ପ୍ରଦାନ କରୁଥିବା ବେଳେ ଆମ ରାଜ୍ୟରେ ଏ ସଂଖ୍ୟା ମାତ୍ର ୨୦୦ରେ ସୀମିତ ରହିଛି। ସେଥିମଧ୍ୟରେ ଉତ୍ତର ପ୍ରଦେଶ, ବିହାର, ଆସାମ, ହରିୟାଣା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଅରୁଣାଚଳ ପ୍ରଦେଶ ସମେତ ଦେଶର ୨୦ରୁ ଅଧିକ ରାଜ୍ୟରେ ସାମ୍ବାଦିକମାନଙ୍କୁ ୧୦,୦୦୦ ଟଙ୍କାରୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ପେନସନ, ରିହାତି ମୂଲ୍ୟରେ ପରିବହନ ସୁବିଧା, ସାମ୍ବାଦିକ ସୁରକ୍ଷା ଆଇନ ମାଧ୍ଯମରେ ବୃଭିଗତ ଅଭୟତା ଭଳି ନାନାଦି ଆର୍ଥକ ଓ ସାମାଜିକ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ପକ୍ଷରୁ କିଛି ସୀମିତ ଯୋଜନା ବ୍ୟତୀତ ଆବଶ୍ୟକ ମୌଳିକ ସୁବିଧାରୁ ସାମ୍ବାଦିକବର୍ଗଙ୍କୁ ବଞ୍ଚିତ କରାଯାଇଛି। ଏଥିରୁ ଏହା ପ୍ରତୀୟମାନ ହେଉଛି ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କ ଦାବି ପ୍ରତି ଆବଶ୍ୟକୀୟ ସମ୍ବେଦନଶୀଳତା ପ୍ରଦର୍ଶନ କରୁନାହାଁନ୍ତି । ଏହି ସନ୍ଦର୍ଭରେ ପୂର୍ବ ସରକାରଙ୍କ ସମୟରେ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିରନ୍ତର ଧାରଣା, ପ୍ରତିବାଦ ଓ ବିଭିନ୍ନ ପଦକ୍ଷେପ ମାଧ୍ଯମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।
ଏଠାରେ ସ୍ମରଣଯୋଗ୍ଯ ଯେ, ୨୦୨୪ ଫେବୃୟାରୀ ମାସରେ ବିଧାନସଭା ସମ୍ମୁଖରେ ତତ୍କାଳୀନ ସରକାର ବିରୋଧରେ ସାମ୍ବାଦିକମାନଙ୍କୁ ନେଇ ଏକ ବିଶାଳ ବିକ୍ଷୋଭ ଓ ସମାବେଶ ଅନୁଷ୍ଠିତ ହୋଇଥିଲା। ସେହି ସମାବେଶ ସମୟରେ ବିରୋଧୀ ଦଳର ମୁଖ୍ୟ ଛାଟିଆ ଭାବେ ମୋହନ ଚରଣ ମାଝି ଅନ୍ୟ ପାଞ୍ଚଜଣ ସହଯୋଗୀ ବିଧାୟକଙ୍କ ସହ ବିକ୍ଷୋଭସ୍ଥଳରେ ପହଞ୍ଚି ସମବେତ ତିନି ହଜାରରୁ ଉର୍ଦ୍ଧ୍ୱ ସାମ୍ବାଦିକଙ୍କୁ ଉଦ୍ବୋଧନ ମାଧ୍ୟମରେ ଆଶ୍ବାସନା ଦେଇଥିଲେ ଯେ, ସରକାରକୁ ଆସିଲେ ସାମ୍ବାଦିକମାନଙ୍କ ନ୍ୟାର୍ଯ୍ୟ ଦାବିକୁ ଛଅମାସ ମଧ୍ୟରେ ପୂରଣ କରଯିବ”। ଉଲ୍ଲେଖଯୋଗ୍ୟ ଯେ, ସରକାରକୁ ଆସିବା ପରେ ଏବଂ ବିଶେଷକରି ମୁଖ୍ୟମନ୍ତ୍ରୀ ଭାବେ ଗାଦିସୀନ ହେବା ପରେ ସାମ୍ବାଦିକଙ୍କ ମୌଳିକ ଦାବି ପୂରଣ ନେଇ ଆମ୍ଭମାନଙ୍କ ମଧ୍ୟରେ ବିପୁଳ ଆଶା ସଞ୍ଚାର ହୋଇଥିଲା ।
କିନ୍ତୁ ଦୁଃଖର ସହ ବ୍ୟକ୍ତ କରିବାକୁ ପଡ଼ୁଛି କି, ଆପଣଙ୍କ ସରକାର ପ୍ରାୟ ଦୁଇବର୍ଷ ପୂର୍ଣ୍ଣ କରିବାକୁ ଯାଉଥିବା ବେଳେ ସାମ୍ବାଦିକମାନଙ୍କ ଦୀର୍ଘଦିନର ମୁଖ୍ୟ ଦାବିଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ନିଆଯାଇ ନାହିଁ । ଅଧିକନ୍ତୁ ବିଗତ ବିଧାନସଭାରେ ସରକାରଙ୍କ ନିରାଶା ସୂଚକ ଉତ୍ତର ସାମ୍ବାଦିକମାନଙ୍କ ମଧ୍ୟରେ ଘୋର ନୈରାଶ୍ୟତା ସୃଷ୍ଟି କରିଛି ।
ଏହି ପରିପ୍ରେକ୍ଷୀରେ ରାଜ୍ୟର ସର୍ବ ପୁରାତନ ତଥା ସର୍ବବୃହତ ସାମ୍ବାଦିକ ୟୁନିୟନ “ଉତ୍କଳ ସାମ୍ବାଦିକ ସଂଘ” ପକ୍ଷରୁ ନିମ୍ନଲିଖିତ ନ୍ୟାର୍ଯ୍ୟ ଦାବିଗୁଡ଼ିକ ପ୍ରତି ଆପଣଙ୍କ ସଦୟ ଦୃଷ୍ଟି ଆକର୍ଷଣ କରୁଅଛୁ।
ପ୍ରଦାନ କରାଯାଇଥିବା ଦାବି ମଧ୍ଯରେ ରହିଛି, ଅଧିସ୍ଵୀକୃତି କମିଟି ପୁନର୍ଗଠନ ସହିତ ପ୍ରଚଳିତ ଆଇନରେ ସଂଶୋଧନ ପୂର୍ବକ ଜିଲ୍ଲା ଓ ରାଜ୍ୟସ୍ତରରେ ଯୋଗ୍ୟ ସାମ୍ବାଦିକମାନଙ୍କୁ ବ୍ୟାପକ ଭାବେ ମାନ୍ୟତା ପ୍ରଦାନ କରାଯିବା। କ୍ରମାଗତ ଭାବେ ସାମ୍ବାଦିକମାନଙ୍କ ଉପରେ ବୃଦ୍ଧି ପାଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯିବା। ୬୦ ବର୍ଷ ବୟସରୁ ଅଧିକ ବୟସ୍କ ସାମ୍ବାଦିକମାନଙ୍କ ପାଇଁ ମାସିକ ଅନ୍ୟୁନ ୧୫ ହଜାର ଟଙ୍କାର ପେନସନ୍ ବ୍ୟବସ୍ଥା କରାଯିବା। ଓଡ଼ିଶା ପ୍ରେସ୍ ଏକାଡ଼େମୀ ଗଠନ ପୂର୍ବକ ଭୁବନେଶ୍ଵରରେ ଭବନ ନିର୍ମାଣ କରି ବୃତ୍ତିଗତ କାର୍ଯ୍ୟରେ ରାଜଧାନୀ ଆସୁଥିବା ସାମ୍ବାଦିକଙ୍କ ପାଇଁ ସ୍ଵଳ୍ପ ମୂଲ୍ୟରେ ରହଣି ସୁବିଧା ଦେବା। ଗୋପବନ୍ଧୁ ସ୍ଵାସ୍ଥ୍ୟବୀମା ଯୋଜନା ପରିସରରେ ଅବସରପ୍ରାପ୍ତ ସାମ୍ବାଦିକ, ହିତାଧୀକାରୀଙ୍କ ମାତା-ପିତା ଏବଂ ୨୫ ବର୍ଷରୁ ଉର୍ଦ୍ଧ୍ଵ ସନ୍ତାନମାନଙ୍କୁ ସାମିଲ୍ କରାଯିବା। ରାଜ୍ୟର ହଜାର ହଜାର ସାମ୍ବାଦିକଙ୍କ ଏହି ମୌଳିକ ଦାବି ପ୍ରତି ବର୍ତ୍ତମାନର ସରକାର ଧ୍ଯାନ ଦେବାକୁ ଦାବି କରାଯାଇଛି।
ଆଜି ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଦେଶ୍ଯରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ସମୟରେ ସାମ୍ବାଦିକ ଶିବଶରଣ ମିଶ୍ର, ଜଗବନ୍ଧୁ ଗାୟନ, ଉମେଶ ଚନ୍ଦ୍ର ସାହୁ, ଜ୍ଯୋତି କୃଷ୍ଣ ମିଶ୍ର, ବିଭୂତି ଭୂଷଣ କର, ଧୀରେନ୍ଦ୍ର କୁମାର ମାହାନ୍ତ, ଦାଶରଥି ପାତ୍ର, ପଞ୍ଚାନନ କର, ହବିବ୍ ଖାନ୍, ସନ୍ତୋଷ କୁମାର ପ୍ରଧାନ, ଦାମୋଦର ସାହୁ, ସୁଜିତ୍ ମହାପାତ୍ର, ଝସକେତନ ମାହାନ୍ତ, ଦିନେଶ କୁମାର ମିଶ୍ର, ଦିଲ୍ଲୀପ ଶର୍ମା, ଚିନ୍ମୟ ତ୍ରିପାଠୀ, ଗାନ୍ଦୁର ଓରାମ, ସୁବାସ ବର୍ମା, ଶୈଳେନ୍ଦ୍ର କୁମାର ସାହୁ, ବିରେନ କୁମାର ପତି, ମଳୟ ରାୟ, ମଳୟ ରଞ୍ଜନ ସାହୁ, ଦେବବ୍ରତ ପଟ୍ଟନାୟକ ପ୍ରମୁଖ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
