ପ୍ରମିଳା ବସ୍ ସହ ଲୁହାପଥର ବୋଝେଇ ଟିପର ଧକ୍କାରେ ୪ ମୃତ ଏବଂ ୨୦ରୁ ଅଧିକ ଆହତ
ରାଉରକେଲା ,୨୯/୪,(ଉତ୍କଳ ସମାଚାର):: ଗତକାଲି ରାତିରେ ରାଉରକେଲାରୁ ଯାଜପୁର ରୋଡ ଅଳକୁଣ୍ଡ ଯାଉଥିବା ପ୍ରମିଳା ବସ୍ ସହିତ ଲୁହାପଥର ବୋଝେଇ ଟିପ୍ପର ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବସ୍ ଓ ଟିପ୍ପରର ଡ୍ରାଇଭରଙ୍କ ସମେତ ୪ ଜଣଙ୍କ ଆକସ୍ମିକ ମୃତ୍ୟୁ ଘଟିବା ସହ ୨୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଥିବା ଜଣାଯାଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ବସ୍ ଏବଂ ଟ୍ରକ୍ ଦୁଇଟି ଚୁରମାର୍ ହୋଇଯାଇଛି। ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଥିବା ବେଳେ ୨୦ ଜଣ ଯାତ୍ରୀ ଏବେବି ରାଉରକେଲା ସରକାରୀ ହସ୍ପିଟାଲ୍ ଏବଂ ଅନ୍ୟାନ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସୂଚନା ଅନୁସାରେ ଗତକାଲି ରାତି ୭ଟାରେ ରାଉରକେଲା ସେକ୍ଟର-୨ ବସ୍ ଷ୍ଟାଣ୍ଡରୁ ଯାଜପୁର ଅଳକୁଣ୍ଡ ଅଭିମୁଖେ ବାହାରିଥିବା ପ୍ରମିଳା ବସ୍ ଚାନ୍ଦିପୋଷ ନିକଟରେ ଡିଜେଲ ପକାଇବାକୁ ପେଟ୍ରୋଲ ପମ୍ପରେ ଅଟକିଥିଲା। ସେତେବେଳେ ବସରେ ମୋଟ ୩୭ ଜଣ ଯାତ୍ରୀ ଥିଲେ। ବସର ଡ୍ରାଇଭର ମାନସ ପଣ୍ଡା ବସ୍ ଚ ଚଳାଉଥିବା ବେଳେ, କ୍ଯାବିନେଟରେ ବସିଥିଲେ ହେଲଫର ଶିବ ପ୍ରସାଦ ନାୟକ ଏବଂ କଣ୍ଡକ୍ଟର ଆଖି ଗେଡି। ଏହି ଦୁର୍ଘଟଣାରେ ଡ୍ରାଇଭର ମାନସ ପଣ୍ଡା ଏବଂ ହେଲଫର ଶିବ ପ୍ରସାଦ ନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ, ନିଶ୍ଚିତ ମୃତ୍ଯୁମୁଖରୁ ବର୍ତ୍ତି ଯାଇଛନ୍ତି କଣ୍ଡକ୍ଟର ଆଖି ଗେଡି।
ସୂଚନା ଅନୁସାରେ ବସ୍ ଚାନ୍ଦିପୋଷ ପେଟ୍ରୋଲ ପମ୍ପରେ ଡିଜେଲ ଭରିବା ପରେ ଆଗକୁ ବଢିଥିଲା। କିନ୍ତୁ ମୁଷାବିରା ଛକ ନିକଟରେ ରାସ୍ତା କାମ ଯୋଗୁଁ ବସ୍ ଆଗକୁ ନବଢି ଡାଇଭରସନ୍ ନେଇଥିଲା। ଅପରପାର୍ଶ୍ୱ ରାସ୍ତାରେ ସମ୍ମୁଖରୁ ଆସୁଥିବା ଏକ ଲୁହାପଥର ବୋଝେଇ ଟ୍ରକ ସହ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କ ମୃତ୍ୟୁ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଆଣିବା ସମୟରେ ଘଟିଥିଲା।
ଏହି ବସ୍ ଦୁର୍ଘଟଣାରେ ୫ଟି ଆମ୍ବୁଲାନ୍ସକୁ ନିୟୋଜିତ କରାଯିବା ସହିତ ସମସ୍ତ ଆହତଙ୍କୁ ରାଉରକେଲା ଅଣାଯାଇଥିଲା। ସେଥିମଧ୍ୟରୁ ଗୁରୁତର ଆହତ ଦୁଇ ଜଣଙ୍କୁ କଟକ ପଠାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ରାଉରକେଲା ସରକାରୀ ଡାକ୍ତରଖାନାରେ ପହଞ୍ଚି ଆତଙ୍କ ତୁରନ୍ତ ଚିକିତ୍ସାର ବନ୍ଦୋବସ୍ତ କରିଥିଲେ। ଆହତଙ୍କ ମଧ୍ଯରେ ନିରଞ୍ଜନ ଦାସ (୬୦), ଶେଷଧର ମଲ୍ଲିକ (୪୯), ଶେଖ ରେହାନ୍ (୧୬), ଶେଖ୍ ଆଦମ୍ (୧୦ ମାସ), ଜହାଗ ବେଗମ୍ (୩୬), ରୁକ୍ମଣୀ ଦାସ (୬୫), ଆହିଫା (୧୦), ସନ୍ତୋଷ ବାରିକ୍ (୩୯), ଲକ୍ଷ୍ମୀ ନାୟକ (୪୦), ସମୀର ଦାସ (୪୮), ସୁବାଷିନୀ ଦାସ (୪୬), ଚିନ୍ମୟ ସ୍ବାଇଁ (୩୯), ପ୍ରକାଶ ସ୍ବାଇଁ (୫୫), ସୁନୀଲ ସାହୁ (୩୯), ମିତାରାଣୀ ସାହୁ (୩୨), ଗୀତାଞ୍ଜଳି ବେହେରା (୪୫), ବିଜୟ ବାରିକ (୪୪), ଚିନ୍ମୟୀ ସ୍ବାଇଁ (୨୬), ପ୍ରକାଶ ନାୟକ (୫୩), ସବନମ୍ ପରଓ୍ବିନ (୭), ସମା ପରଓ୍ବିନ (୩୦), ଖୁସି ଦାସ ପ୍ରମୁଖ ଆହତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡିଛି।
ରାଉରକେଲା ପୋଲିସ ପକ୍ଷରୁ ଦୁର୍ଘଟଣାର ଯାଞ୍ଚ କରାଯିବା ସହିତ ମୃତ ବ୍ଯକ୍ତିମାନଙ୍କ ଶବକୁ ବ୍ଯବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
