କେନ୍ଦୁଝର,29/4(ଉତ୍କଳ ସମାଚାର): –କେନ୍ଦୁଝର ଜିଲ୍ଲାର ସାମଗ୍ରିକ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଠାରେ ଏକାଧିକ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆୟୋଜିତ ବିକାଶ ସମାବେଶରେ ଜିଲ୍ଲାର ସାମଗ୍ରିକ ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମୋଟ ୧୮୭ଟି ପ୍ରକଳ୍ପର ଲୋକାର୍ପଣ, ଭିତ୍ତିପ୍ରସ୍ତର ସ୍ଥାପନ ଓ ନୂତନ ଘୋଷଣା କରାଯାଇଛି। ଜିଲ୍ଲାବାସୀଙ୍କୁ ସ୍ମାର୍ଟ ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଯୋଗାଇଦେବା ପାଇଁ ୨୫ଟି ଅତ୍ୟାଧୁନିକ ଇ-ବସ ସହିତ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘ଆମ ବସ’ ଡିପୋର ଲୋକାର୍ପଣ କରାଯାଇଛି।, ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ପ୍ରାୟ ୭୦୫ କୋଟି ଟଙ୍କାର ୬୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ, ପ୍ରାୟ ୨୫୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ୨୪ଟି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଏହା ବ୍ୟତୀତ ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଆଉ ୧୦୧ଟି ନୂତନ ପ୍ରକଳ୍ପ ପାଇଁ ପ୍ରାୟ ୩୭୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି, ଯାହା କେନ୍ଦୁଝରର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବ ଏହି ପ୍ରକଳ୍ପର ଅନ୍ୟତମ ବିଶେଷତ୍ୱ ହେଉଛି ନାରୀ ଶକ୍ତିର ସହଭାଗିତା। ଏହି ବସ୍ ସେବାରେ ମହିଳାମାନେ ସାରଥୀ (ଡ୍ରାଇଭର) ଏବଂ ଗାଇଡ୍ ଭାବେ ନିଯୁକ୍ତି ପାଇ ନିଜର ଦକ୍ଷତା ପ୍ରତିପାଦନ କରିବେ। ମାତ୍ର ୫ ଟଙ୍କାରୁ ଆରମ୍ଭ ହେଉଥିବା ଟିକେଟ ମୂଲ୍ୟ ଏବଂ ଡିଜିଟାଲ ପେମେଣ୍ଟ ସୁବିଧା ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ପାଇଁ ବେଶ ସହାୟକ ହେବ। ପରିବେଶ ଦୃଷ୍ଟିକୋଣରୁ ଏହି ଇ-ବସ୍ ସେବା ବାର୍ଷିକ ପ୍ରାୟ ୩୩୦ ରୁ ୩୯୦ ଟନ୍ କାର୍ବନ ନିର୍ଗମନ ହ୍ରାସ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଦିନରେ ଏହି ସେବାକୁ ରାଜ୍ୟର ଅନ୍ୟ ସହରଗୁଡ଼ିକୁ ସମ୍ପ୍ରସାରିତ କରାଯିବ ଏବଂ ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୨୩୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ “ଗ୍ରୀନ୍ ମୋବିଲିଟି” କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା କରିବ ବୋଲି ସେ କହିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ୬ ଜଣ ହିତାଧିକାରୀଙ୍କୁ ମୋଟ ୫,୭୫,୦୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିରେ କେନ୍ଦୁଝରର ହେମନ୍ତ ମହାନ୍ତଙ୍କୁ ବିବାହ ସହାୟତା ବାବଦରେ ୫୦,୦୦୦ ଟଙ୍କା ଏବଂ ଲବଙ୍ଗ ମହାନ୍ତଙ୍କୁ ମୃତ୍ୟୁକାଳୀନ ସହାୟତା ଭାବେ ୩,୦୫,୦୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ସେହିପରି ‘ଉଦ୍ୟମୀ’ ଯୋଜନାରେ ଚମ୍ପୁଆର ମା’ ମଙ୍ଗଳା ଏସଏଚଜି, ଯୋଡ଼ାର ବନିତା ନାଏକ ଏବଂ ଝୁମ୍ପୁରାର କେଦାର ଚନ୍ଦ୍ର ନାଏକଙ୍କୁ ୬୦,୦୦୦ ଟଙ୍କା ଲେଖାଏଁ ଏବଂ ନୀଲମ ମହାକୁଡ଼ଙ୍କୁ ୪୦,୦୦୦ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।

