ଦୁଇଟି ଭିନ୍ନ ସ୍ଥାନରେ ଟ୍ରେନ୍ର ଗତି ନିୟନ୍ତ୍ରିତ, ୧୮ଟି ଟ୍ରେନ୍ ପ୍ରଭାବିତ
ରାଉରକେଲା,୭/୧୦(ଉତ୍କଳ ସମାଚାର):ଦକ୍ଷିଣ ପୂର୍ବ ରେଳପଥର ଚକ୍ରଧରପୁର ମଣ୍ଡଳ ଅନ୍ତର୍ଗତ ହାୱଡ଼ା-ମୁମ୍ବାଇ ମୁଖ୍ୟ ରେଳପଥରେ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ବନ ବିଭାଗରୁ ଚେତାବନୀ ମିଳିବା ପରେ, ଏହି ବ୍ୟସ୍ତବହୁଳ ରୁଟ୍ର ଦୁଇଟି ଭିନ୍ନ ସ୍ଥାନରେ ହାତୀଙ୍କ ନିରାପଦ ଯାତାୟାତ ସୁନିଶ୍ଚିତ କରିବା ପାଇଁ ଟ୍ରେନ୍ଗୁଡ଼ିକର ଗତିସୀମା ଘଣ୍ଟାପ୍ରତି ୩୦ କିଲୋମିଟରକୁ ହ୍ରାସ କରାଯାଇଥିଲା। ହାୱଡ଼ା-ମୁମ୍ବାଇ ମାର୍ଗରେ ପ୍ରଥମ ପ୍ରଭାବିତ ସ୍ଥାନ ବନ୍ଧମୁଣ୍ଡା ପ୍ୟାସେଞ୍ଜର କେବିନ୍ରୁ ‘ଏ’ କେବିନ୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଏଲିଫ୍ୟାଣ୍ଟ ଜୋନ୍ (ହାତୀ ଚଳପ୍ରଚଳ ଅଞ୍ଚଳ) ଥିଲା। ସୂଚନା ଅନୁସାରେ, ଏହି ଅଞ୍ଚଳରେ ୬ ଅକ୍ଟୋବର ୨୦୨୬ ରାତି ୨୩:୦୦ ଟାରୁ ୭ ଅକ୍ଟୋବର ୨୦୨୬ ସକାଳ ୦୭:୦୦ ଟା ପର୍ଯ୍ୟନ୍ତ (ମୋଟ ୮ ଘଣ୍ଟା) ଟ୍ରେନ୍ଗୁଡ଼ିକର ଗତି ନିୟନ୍ତ୍ରଣ କରାଯାଇଥିଲା। ଏହି ସମୟ ମଧ୍ୟରେ ୬ଟି ପ୍ରମୁଖ ଟ୍ରେନ୍ର ଚଳାଚଳ ପ୍ରଭାବିତ ହୋଇଥିଲା, ଯାହାକୁ ନିୟନ୍ତ୍ରିତ ଗତିରେ ଚଲାଯାଇଥିଲା କିମ୍ବା ଅଟକାଯାଇଥିଲା। ଏହି ୬ଟି ଟ୍ରେନ୍ ମଧ୍ୟରେ ୧୨୮୦୯ ହାୱଡ଼ା-ମୁମ୍ବାଇ ସିଏସଏମଟି ମେଲ୍, ୧୨୧୦୧ ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ୍, ୧୮୦୦୬ ସମ୍ବଲେଶ୍ୱରୀ ଏକ୍ସପ୍ରେସ୍, ୧୮୦୨୯ ଏଲଟିଟି-ଶାଲିମାର ଏକ୍ସପ୍ରେସ୍, ୧୮୧୯୦ ଏର୍ଣ୍ଣାକୁଲମ୍-ଟାଟାନଗର ଏକ୍ସପ୍ରେସ୍ ଏବଂ ୧୩୩୫୨ ଧନବାଦ-ଆଲାପ୍ପୁଝା ଏକ୍ସପ୍ରେସ୍ ସାମିଲ ଅଛନ୍ତି। ଏହି ମୁଖ୍ୟ ରେଳ ମାର୍ଗରେ ଦ୍ୱିତୀୟ ସ୍ଥାନ ସୋନଖାନରୁ ସୋଗରା ଷ୍ଟେସନ୍ ମଧ୍ୟରେ ଅପ୍, ଡାଉନ୍ ଏବଂ ତୃତୀୟ ଲାଇନ୍ରେ କସନ୍ ଅର୍ଡର (ଗତି କଟକଣା) ଲାଗୁ କରାଯାଇଥିଲା। ଏଠାରେ ହାତୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଅକ୍ଟୋବର ୨୦୨୬ ସଞ୍ଜ ୧୮:୦୦ ଟାରୁ ୭ ଅକ୍ଟୋବର ୨୦୨୬ ସକାଳ ୦୬:୦୦ ଟା ପର୍ଯ୍ୟନ୍ତ (ପୂରା ୧୨ ଘଣ୍ଟା) ଟ୍ରେନ୍ଗୁଡ଼ିକର ବେଗ ଘଣ୍ଟାପ୍ରତି ୩୦ କିଲୋମିଟର ମଧ୍ୟରେ ସୀମିତ ରଖାଯାଇଥିଲା। ଏହି ୧୨ ଘଣ୍ଟାର ଦୀର୍ଘ ଗତି କଟକଣା ଯୋଗୁଁ ସୋଗରା ମାର୍ଗରେ ମୋଟ ୧୨ଟି ଟ୍ରେନ୍ ପ୍ରଭାବିତ ହୋଇଥିଲା। ଏହି ୧୨ଟି ପ୍ରଭାବିତ ଟ୍ରେନ୍ ମଧ୍ୟରେ ୧୮୪୫୧ ହାଟିଆ-ପୁରୀ ତପସ୍ୱିନୀ ଏକ୍ସପ୍ରେସ୍, ୧୮୧୧୭ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍, ୧୨୮୬୦ ହାୱଡ଼ା-ମୁମ୍ବାଇ ସିଏସଏମଟି ଗୀତାଞ୍ଜଳି ଏକ୍ସପ୍ରେସ୍, ୧୮୦୦୬ ସମ୍ବଲେଶ୍ୱରୀ ଏକ୍ସପ୍ରେସ୍, ୧୨୮୦୯ ହାୱଡ଼ା-ମୁମ୍ବାଇ ମେଲ୍, ୧୮୬୪୧ ହାଟିଆ-ଦୁର୍ଗ ଏକ୍ସପ୍ରେସ୍, ୧୮୪୦୪ ଧନବାଦ-ଭୁବନେଶ୍ୱର ଏକ୍ସପ୍ରେସ୍, ୧୮୦୩୦ ଶାଲିମାର-ଏଲଟିଟି ଏକ୍ସପ୍ରେସ୍, ୧୨୧୦୧ ଜ୍ଞାନେଶ୍ୱରୀ ଏକ୍ସପ୍ରେସ୍ ଏବଂ ୧୨୧୨୯ ପୁଣେ-ହାୱଡ଼ା ଆଜାଦ୍ ହିନ୍ଦ୍ ଏକ୍ସପ୍ରେସ୍ ସମେତ ଅନ୍ୟାନ୍ୟ ଟ୍ରେନ୍ ଅନ୍ତର୍ଭୁକ୍ତ ଥିଲେ।
