ସମ୍ବଲପୁର,୨୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଭୀମସାର ବୁର୍ଲାର ଆଞ୍ଚଳିକ ନିଦାନ କେନ୍ଦ୍ରରେ ରକ୍ତ ପରୀକ୍ଷା ପାଇଁ ରୋଗୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ଖାଲି ପେଟରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ରହୁଥିବାରୁ ବୟସ୍କ, ଅସୁସ୍ଥ ଓ ଦୂରଦୂରାନ୍ତରୁ ଆସୁଥିବା ରୋଗୀମାନେ ବିଶେଷ ହଇରାଣ ହେଉଛନ୍ତି। ଏହାର ସମାଧାନ ପାଇଁ ସକାଳ ୭ଟାରୁ ରକ୍ତ ସଂଗ୍ରହ ଆରମ୍ଭ କରିବାକୁ ଦାବି ହୋଇଛି।ଅଭିଯୋଗ ଅନୁଯାୟୀ, ଅକ୍ଟୋବର ୨୩ ତାରିଖ ସକାଳ ୮ଟା ୩୦ରେ ରକ୍ତ ପରୀକ୍ଷା ପାଇଁ ଯାଇଥିବା ପ୍ରଶାନ୍ତ ପାଢ଼ୀ ଗୋଟିଏ ଧାଡ଼ିରେ ୪୩ ନମ୍ବରରେ ଥିବାବେଳେ ଅନ୍ୟ ଧାଡ଼ିରେ ମଧ୍ୟ ବହୁ ରୋଗୀ ଅପେକ୍ଷା କରିଥିଲେ। ସକାଳ ୯ଟା ପରେ କର୍ମଚାରୀ ପହଞ୍ଚି ନଥିବା ଏବଂ ପରେ ମେସିନ୍ ଚାଲୁ କରିବାରେ ସମସ୍ୟା ଯୋଗୁଁ ରକ୍ତ ସଂଗ୍ରହ ବିଳମ୍ବ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଶେଷରେ ସକାଳ ୧୧ଟା ୨୦ରେ ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା।ଏନେଇ ସେ ଭୀମସାର ନିର୍ଦ୍ଦେଶକ ଡାକ୍ତର ଲାଲମୋହନ ନାୟକଙ୍କୁ ଫୋନ୍ରେ ଜଣାଇଥିବା କହିଛନ୍ତି। ରିପୋର୍ଟ ବଣ୍ଟନ ବ୍ୟବସ୍ଥାରେ ମଧ୍ୟ ଅବ୍ୟବସ୍ଥା ଥିବା ଅଭିଯୋଗ ହୋଇଛି। ନିର୍ଦ୍ଧାରିତ ସମୟରେ ରିପୋର୍ଟ ନମିଳିବା ଏବଂ ଅପରାହ୍ନ ୩ଟାରେ ୩୦୦ରୁ ଅଧିକ ରୋଗୀ ଧାଡ଼ିରେ ଥିବା ସେ ଦାବି କରିଛନ୍ତି।ରୋଗୀଙ୍କ ଅସୁବିଧା ଦୂର କରିବା ପାଇଁ ସକାଳ ୭ଟାରୁ ରକ୍ତ ସଂଗ୍ରହ, ଓପିଡି ରୋଗୀଙ୍କ ପାଇଁ ସ୍ୱତନ୍ତ୍ର କାଉଣ୍ଟର, ପର୍ଯ୍ୟାପ୍ତ କର୍ମଚାରୀ ନିଯୁକ୍ତି, ମେସିନ୍ର ସୁଚାରୁ ପରିଚାଳନା ଓ ରିପୋର୍ଟ ବଣ୍ଟନରେ ଶୃଙ୍ଖଳା ଆଣିବାକୁ ପ୍ରଶାନ୍ତ ପାଢ଼ୀ ଦାବି କରିଛନ୍ତି। ଏନେଇ ସେ ସମ୍ବଲପୁର ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ଭୀମସାର ନିର୍ଦ୍ଦେଶକ ଓ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।ରୋଗୀଙ୍କୁ ଦୀର୍ଘ ସମୟ ଅପେକ୍ଷାରୁ ମୁକ୍ତି ଦେବା ସହ ସମୟୋଚିତ ଓ ମାନବିକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

