ସମ୍ବଲପୁର,୨୪/୧୦(ଉତ୍କଳ ସମାଚାର),(ସରୋଜ ସାହୁ):ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାଠାରେ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ପକ୍ଷରୁ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ବିଭିନ୍ନ ସମାଜର ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପଶ୍ଚିମ ଓଡ଼ିଶାର ଇତିହାସ, ବୌଦ୍ଧ ପୀଠଗୁଡ଼ିକର ବିକାଶ ଏବଂ ଆଗାମୀ ୧୧ତମ ସମର୍ପଣ ଉତ୍ସବ ଆୟୋଜନ ନେଇ ଆଲୋଚନା ହୋଇଥିଲା।ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ବୌଦ୍ଧ ପୀଠ ରହିଥିଲେ ମଧ୍ୟ ସମନ୍ୱୟର ଅଭାବରୁ ସେଗୁଡ଼ିକର ଉଚିତ ବିକାଶ ହୋଇପାରୁନାହିଁ। ଏହି ପୀଠଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସହ ପଶ୍ଚିମ ଓଡ଼ିଶାର ବୌଦ୍ଧ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଭାରତୀ ସମାଜ ପକ୍ଷରୁ ଗୁରୁ ପଦ୍ମ ସମ୍ଭବ ପ୍ରଚାର ସମିତି ଗଠନ କରାଯାଇଛି। ପଶ୍ଚିମାଞ୍ଚଳର ବିଭିନ୍ନ ଐତିହାସିକ ସ୍ଥଳ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଥିବା ବୈଠକରେ ସୂଚନା ଦିଆଯାଇଥିଲା।ଅକ୍ଟୋବର ୩୧ରେ ଲକ୍ଷ୍ମୀ ଡୁଙ୍ଗୁରିଠାରେ ସମର୍ପଣ ଉତ୍ସବ ଅବସରରେ ବୃକ୍ଷପୂଜା ଆୟୋଜନ କରାଯିବ। ନଭେମ୍ବର ୧ରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ୧୧ତମ ସମର୍ପଣ ଉତ୍ସବ ଅବସରରେ ଏକ ଆଲୋଚନାଚକ୍ର ଆୟୋଜନ ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ବୈଠକରେ ବିଗତ ଦଶବର୍ଷ ଧରି ଆୟୋଜିତ ସମର୍ପଣ ଉତ୍ସବ ସମ୍ପର୍କରେ ସୂଚନା ଦିଆଯାଇଥିଲା।ପଶ୍ଚିମ ଓଡ଼ିଶାର ବୌଦ୍ଧ ଇତିହାସ ସହ ସମ୍ବଲପୁତ୍ର ଗୁରୁ ପଦ୍ମ ସମ୍ଭବ, ରାଜା ଇନ୍ଦ୍ରଭୂତି ଓ ଲକ୍ଷ୍ମୀକରାଙ୍କ ସମ୍ପର୍କିତ ତଥ୍ୟକୁ ଲୋକଲୋଚନକୁ ଆଣିବାକୁ ଭାରତୀ ସମାଜ ଉଦ୍ୟମ କରୁଛି ବୋଲି ସମିତିର ମହାସଚିବ ଡ. ସ୍ୱୟଂ ପ୍ରକାଶ ପଣ୍ଡା କହିଥିଲେ। ପଶ୍ଚିମାଞ୍ଚଳର ବିଭିନ୍ନ ଅଞ୍ଚଳର ସପ୍ତମ ଶତାବ୍ଦୀର ଇତିହାସ ସମ୍ପର୍କରେ ସ୍ଥାନୀୟ ଲୋକଙ୍କଠାରୁ ଲୋକକଥା ଓ ଐତିହାସିକ ତଥ୍ୟ ସଂଗ୍ରହ କରାଯିବ। ଏଥିପାଇଁ ବିଭିନ୍ନ ଜିଲ୍ଲାର ଗାଁଗୁଡ଼ିକରୁ ଲୋକଙ୍କୁ ନିମନ୍ତ୍ରଣ କରାଯାଉଛି। ପଶ୍ଚିମ ଓଡ଼ିଶାର ବୌଦ୍ଧ କରିଡରର ବିକାଶ ମାଧ୍ୟମରେ ପର୍ଯ୍ୟଟନକୁ ଆଗକୁ ନେବା ଲକ୍ଷ୍ୟ ରହିଥିବା ଆଲୋଚନା ହୋଇଥିଲା।ସମିତିର ଆବାହକ ଭବାନୀଶ ଭୋଇଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଗୋପବନ୍ଧୁ ସେନାପତି, ମାନସ ରଞ୍ଜନ ବକ୍ସି, ଲଲିତା ଭୋଇ ଓ ରଞ୍ଜିତ ସାହୁଙ୍କ ସମେତ ବିଭିନ୍ନ ସମାଜର ଚୂଡ଼ାମଣି ଭୀମ, ବସନ୍ତ କୋକବାଗ, ବଳରାମ ମଟାରୀ, ପ୍ରଦୀପ କୁମାର ପଣ୍ଡା, ଜନାର୍ଦ୍ଦନ ବାର୍ଗେ, ସୁରେନ୍ଦ୍ର ବଗର୍ତ୍ତି ଓ ସୁବ୍ରତ ପ୍ରଧାନ ଉପସ୍ଥିତ ଥିଲେ

