ରାଉରକେଲା,୧୨/୧୦(ଉତ୍କଳ ସମାଚାର): ବିଜେପି ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ନେତୃତ୍ୱରେ ଆଜି ରାଉରକେଲା , ସେକ୍ଟର – ୨୧ ସ୍ଥିତ କଂଗ୍ରେସ ଭଵନ ସମ୍ମୁଖରେ ମଣିପୁରର କଂଗ୍ରେସ ସାଂସଦ ଡ଼. ଆଙ୍ଗୋମ୍ଚା ବିମୋଲ ଆକୋଇଜାମଙ୍କ କାରନାମା ଉପରେ କଂଗ୍ରେସ ଦଳ ଚୁପି ସାଧିବା ବିରୋଧରେ ମହିଳା ମୋର୍ଚ୍ଚା ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଥିଲା। ମହିଳା ମୋର୍ଚ୍ଚା ତରଫରୁ କଂଗ୍ରେସ ବିରୁଦ୍ଧରେ ସ୍ଲୋଗାନ ଦେବା ସହିତ କଂଗ୍ରେସ ଦଳ ମହିଳା ବିରୋଧୀ ବୋଲି ପ୍ରକାଶ କରିଥିଲେ । ସାମ୍ନାକୁ ଆସିଥିବା ଖବର ଅନୁଯାୟୀ, ଜେଏନ୍ୟୁରେ ଅଧ୍ୟାପନା କରୁଥିବା ତଥା ମଣିପୁରର କଂଗ୍ରେସ ସାଂସଦ ଡ଼. ବିମୋଲ ଆକୋଇଜାମଙ୍କ ବିରୋଧରେ ଏକାଧିକ ମହିଳା ଛାତ୍ରୀ ଯୌନ ଉତ୍ପୀଡ଼ନ ସମ୍ପର୍କିତ ଅଭିଯୋଗକୁ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ତଦନ୍ତ କରି ୯ ଅକ୍ଟୋବର ୨୦୨୬ରେ ଜେଏନ୍ୟୁ ପ୍ରଶାସନ ତଦନ୍ତ କମିଟିର ରିପୋର୍ଟ ଓ ଉପଲବ୍ଧ ତଥ୍ୟକୁ ବିଚାର କରି ତାଙ୍କୁ ଅଧ୍ୟାପକ ପଦରୁ ବହିଷ୍କାର କରିଥିବା ଖବର ପ୍ରକାଶ ପାଇଛି। ଏହି ଘଟଣା ପରେ ଶ୍ରୀ ଆକୋଇଜାମ ଅଭିଯୋଗଗୁଡ଼ିକୁ ଖଣ୍ଡନ କରିବା ସହ ନିଜ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ଦର୍ଶାଇ ବା ଅତାନ୍ତ୍ୟ ଦୃଭାଗ୍ୟ ଜନକ ବୋଲି ମହିଳା ମୋର୍ଚ୍ଚା କହିଛି । ଏହା ସମଗ୍ର ସମାଜର ଦାୟିତ୍ୱ। ଯେଉଁ ଦଳ ହେଉନା କାହିଁକି, ନିଜ ଦଳର ନେତା କିମ୍ବା ଜନପ୍ରତିନିଧିଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆସିଲେ ତାହାକୁ ଗମ୍ଭୀରତାର ସହ ନେବା ଦରକାର। ଦଳୀୟ ସ୍ୱାର୍ଥଠାରୁ ମହିଳାଙ୍କ ସମ୍ମାନ, ନ୍ୟାୟ ଓ ଆଇନର ଶାସନ ବଡ଼ ହେବା ଉଚିତ । କଂଗ୍ରେସ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ ନକରି ଚୁପି ସାଧିବା ସେମାନଙ୍କର ମାନସିକତାର ପ୍ରତିଫଳନ ବୋଲି ନେତ୍ରୀମାନେ ତାଙ୍କ ବକ୍ତବ୍ୟରେ କହିଛନ୍ତି। ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟା, ମହିଳା ନେତ୍ରୀ ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ନିରୁପମା ବଳିଆରସିଂ, ବନ୍ଦିତା ମହାନ୍ତ ଓ ମିନତୀ ଦେବତା ଆଦି ବକ୍ତବ୍ୟ ଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବତୀ ନାୟକ, ନମ୍ରତା ବାଗ, ରଞ୍ଜିତା କିସପୋଟା, ମମତା ମହାନ୍ତି, ଲକ୍ଷ୍ମୀ ଭୂମିଜ ଆଦି ମହିଳା ନେତ୍ରୀ ମାନଙ୍କ ସମେତ ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଗଣ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ରଞ୍ଜିତ ନାୟକ, ଗଙ୍ଗାଧର ଦାଶ, ମନୋଜ ସେନାପତି, ସତ୍ୟପ୍ରିୟ ସାହୁ, ପ୍ରଫୁଲ୍ଲ ମିଶ୍ର, ପରଣତାପ ଦାସ, ତ୍ରୀବିକ୍ରମ ମାଝୀ, ଜଗବନ୍ଧୁ ସାହୁ, ବିଶ୍ଵନାଥ ମହାନ୍ତି, ସଂଗ୍ରାମ ମହାନ୍ତି, ନରନାଥ କନୱର ଏବଂ ବିକ୍ରମ ସିଂହ ସହଯୋଗ କରିଥିଲେ ।

