ସମ୍ବଲପୁର,୧୬/୦୯(ଉତ୍କଳ ସମାଚାର),(ସରୋଜ ସାହୁ):ଓଡ଼ିଶାର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ରବି ନାଏକଙ୍କ ମା’ ସ୍ୱର୍ଗତ ଶୁଭ ନାଏକଙ୍କ ‘ଦ୍ୱାଦଶାହ କାର୍ଯ୍ୟ’ରେ ଯୋଗଦେଇ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସମବେଦନା ପ୍ରକାଶ କରିବା ସହ ସେମାନଙ୍କୁ ସମବେଦନା ଜଣାଇଛନ୍ତି । ସ୍ୱର୍ଗତ ଶୁଭ ନାଏକଙ୍କ ସ୍ମୃତିଚାରଣ କରି ଶ୍ରୀ ପ୍ରଧାନ କହିଛନ୍ତି, “ମାଉସୀଙ୍କ ଅମାୟିକ ବ୍ୟବହାର, ସଂସ୍କାର ଓ ସ୍ନେହ-ଆଶୀର୍ବାଦ ମୋ ପାଇଁ ଚିର ସ୍ମରଣୀୟ ହୋଇରହିବ। ତାଙ୍କ ଭଳି ଜଣେ ପରୋପକାରୀ ମା’ଙ୍କ ସଂସ୍କାର ଓ ଆଶୀର୍ବାଦ ଯୋଗୁଁ ଆଜି ଶ୍ରୀ ରବି ନାଏକ ଜନସେବାରେ ନିଜକୁ ସମର୍ପିତ କରିପାରିଛନ୍ତି।” ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସମଲେଇଙ୍କ ନିକଟରେ ସ୍ୱର୍ଗତ ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଏହି ଅସହ୍ୟ ଦୁଃଖକୁ ସହ୍ୟ କରିବା ପାଇଁ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରିବାକୁ ସେ ପ୍ରାର୍ଥନା କରିଛନ୍ତି।

