ରାଉରକେଲା:10//5,(ଉତ୍କଳ ସମାଚାର) ରାଉରକେଲାରେ ଶ୍ରମିକ ଆନ୍ଦୋଳନକୁ ଏକ ନୂତନ ଦିଗ ଦେଇଥିବା ସିଟୁର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ୭୪ ବର୍ଷୀୟ ବିଷ୍ଣୁ ମହାନ୍ତିଙ୍କର ଶନିବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଯାଇଛି। ସେ ମଧୁମେହ ଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କର ପାର୍ଥିବ ଶରୀର ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରୁ ବାହାରି କୋଇଡ଼ା, କାଲଟା, ରକ୍ସି, ରାଜାମୁଣ୍ଡା ଛକ ଦେଇ ରାତିରେ ତାଙ୍କର ଛେଣ୍ଡ ସ୍ଥିତ ବାସଭବନରେ ପହଞ୍ଚିଥିଲା।ରବିବାର ସକାଳେ ପାର୍ଥିବ ଶରୀରକୁ ଛେଣ୍ଡ ବାସଭବନରୁ ଏକ ଶୋଭାଯାତ୍ରା ମାଧ୍ୟମରେ ବାହାର କରାଯାଇ ସିପିଆଇ(ଏମ)ର ଶକ୍ତିନଗର ସ୍ଥିତ ପାର୍ଟି କାର୍ଯ୍ୟାଳୟ ହୋଇ ସେକ୍ଟର-୧୬ ସ୍ଥିତ ସିଟୁ ଜିଲ୍ଲା କାର୍ଯ୍ୟାଳୟ ‘ଶ୍ରମିକ ଭବନ’ରେ ରଖାଯାଇଥିଲା। ଏଠାରେ ବିଭିନ୍ନ ରାଜନୈତିକ ଦଳ, ଟ୍ରେଡ୍ ୟୁନିଅନ, ସାମାଜିକ ଏବଂ ସାଂସ୍କୃତିକ ସଂଗଠନ, ବିଧାୟକ ତଥା ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଦ୍ୱାରା କମ୍ରେଡ୍ ବିଷ୍ଣୁ ମହାନ୍ତିଙ୍କ ଅନ୍ତିମ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ସିଟୁ ନେତା ବିମାନ ମାଇତି, ବସନ୍ତ ନାୟକ, ଜାହାଙ୍ଗୀର ଅଲ୍ଲୀ, ରାଜକିଶୋର ପ୍ରଧାନ, ଜଜାତି କେଶରୀ ସାହୁଙ୍କ ସମେତ ଅନ୍ୟମାନେ ନିଜ ନେତାଙ୍କର ଅନ୍ତିମ ଦର୍ଶନ କରିଥିଲେ।ଏହା ପରେ ଅନ୍ତିମ ଯାତ୍ରା ରାଉରକେଲା ନୂଆ ବସଷ୍ଟାଣ୍ଡ, ରାଉରକେଲା ଓକିଲ ସଂଘ କାର୍ଯ୍ୟାଳୟ, ପାନପୋଷ ଦେଇ ବେଦବ୍ୟାସରେ ପହଞ୍ଚିଥିଲା। ସେଠାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।ତାଙ୍କ ନିଧନରେ ସାଂସଦ ଜୁଏଲ ଓରାମ, ରାଜ୍ୟସଭା ସଦସ୍ୟ ଦିଲ୍ଲୀପ ରାୟ, ରାଉରକେଲା ବିଧାୟକ ଶାରଦା ନାୟକ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତାନ୍ତୀ,ଆରଏସପି ଡ଼ିଆଇସି ଆଲୋକ ବର୍ମା ପୂର୍ବତନ ବିଧାୟକ ସୁବ୍ରତ ତରାଇ, ପ୍ରଭାତ ମହାପାତ୍ର, ହରିହର ରାଉତରାୟ, ଗିରୀଶ ମହାପାତ୍ର, ପି.ପି ରାୟ, ବିଜେପି ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ଆରଏସଏସ ସଭାପତି ପ୍ରଶାନ୍ତ ବେହେରା, ପ୍ରଶାନ୍ତ ସେଠୀ, କଂଗ୍ରେସର ବରିଷ୍ଠ ନେତା ରବି ରାୟ, ସୁନୀଲ ପଟ୍ଟନାୟକ, ଆରଆଇକେକେଏସ ର ସାଧାରଣ ସମ୍ପାଦକ ହିମାଂଶୁ ବଳ, ରାଉରକେଲା ମଜଦୁର ସଭାର ସଭାପତି ଶଶଧର ନାୟକ, ଷ୍ଟିଲ୍ ମଜଦୁର ୟୁନିଅନର ସାଧାରଣ ସମ୍ପାଦକ ରମେଶ ସେଠୀ, ରାଉରକେଲା ଖବରକାଗଜ ବିକ୍ରେତା ସଂଘର ସାଧାରଣ ସମ୍ପାଦକ ବିମାନ ମାଇତି, ଷ୍ଟେସନ ଖବରକାଗଜ ପଏଣ୍ଟର ସଭାପତି ମହିର ପାତ୍ର, ସମ୍ପାଦକ କିଶୋର ରାଉତ, ସେକ୍ଟର-୨ ଖବରକାଗଜ ପଏଣ୍ଟର ସଭାପତି ମନୋଜ ପଟ୍ଟନାୟକ, ସମ୍ପାଦକ ସୁକେନ୍ଦୁ ପାତ୍ରଙ୍କ ସମେତ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

