ରାଉରକେଲା ୧୩/୫,(ଉତ୍କଳ ସମାଚାର) ଶ୍ରୀକ୍ଷେତ୍ର ଧାମ ପୁରୀରେ ସ୍ନାନଯାତ୍ରା ଜୁନ୍ ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ, ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଅନୁଷ୍ଠିତ ହେବାକୁ ନେଇ ସମଗ୍ର ଓଡିଶାର ଶ୍ରୀଜଗନ୍ନାଥ ଭକ୍ତମାନେ ଏହାକୁ ବିରୋଧ କରିଛନ୍ତି। ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ ପଶ୍ଚିମାଞ୍ଚଳ, ସୁନ୍ଦରଗଡ଼ ଜିଲ୍ଲା ତରଫରୁ ଇସ୍କନର ଶ୍ରୀଜଗନ୍ନାଥଙ୍କ ଅଦିନିଆ ରଥଯାତ୍ରାକୁ ନେଇ କ୍ଷୋଭ ପ୍ରକାଶ ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଅଖିଳବ୍ରହ୍ମାଣ୍ଡ ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ଵପ୍ରସିଦ୍ଧ ରଥଯାତ୍ରାକୁ ନେଇ କିଛିଦିନ ହେଲା ସାରା ବିଶ୍ଵରେ ଶ୍ରୀଜଗନ୍ନାଥଙ୍କ ପ୍ରାଣଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । କିଛି ବର୍ଷଧରି, ଭାରତ ଓ ବିଦେଶର ବିଭିନ୍ନ ସ୍ଥାନରେ ଇସ୍କନ ଦ୍ଵାରା ଅସମୟରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ପାଳନକୁ ନେଇ ସର୍ବତ୍ର ଚର୍ଚ୍ଚା ଲାଗିରହିଛି । ବିଭିନ୍ନ ପ୍ରାଚୀନ ଶାସ୍ତ୍ର, ବିଶେଷ କରି ବ୍ରହ୍ମ ପୁରାଣ ଏବଂ ସ୍କନ୍ଦ ପୁରାଣ (ପୁରୁଷୋତ୍ତମ କ୍ଷେତ୍ର ମାହାତ୍ମ୍ୟ) ଅନୁସାରେ, ଭଗବାନ ଶ୍ରୀଜଗନ୍ନାଥଙ୍କ ବାର୍ଷିକ ରଥଯାତ୍ରା କେବଳ ଆଷାଢ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ହୋଇ ନଅ ଦିନର ଅବଧିରେ ସମ୍ପୂର୍ଣ୍ଣ ହୋଇଥାଏ । ଏହି ଯାତ୍ରାର ତିଥି ସ୍ୱୟଂ ଭଗବାନ୍ ଶ୍ରୀଜଗନ୍ନାଥଙ୍କ ଦ୍ଵାରା ନିର୍ଦ୍ଦିଷ୍ଟ । ଏହି ନିର୍ଦ୍ଧାରିତ ସମୟର କୌଣସି ବିଚ୍ୟୁତି, ବିଶ୍ୱବାସୀଙ୍କ ପାଇଁ ପ୍ରତିକୂଳ ପରିଣାମ ଆଣିଦେଇଥାଏ ବୋଲି ଶାସ୍ତ୍ରରେ ଦର୍ଶାଯାଇଛି । ପବିତ୍ର ଶାସ୍ତ୍ର ଏବଂ ପ୍ରାଚୀନ ପରମ୍ପରାର ଉଲଂଘନ କରି ଇସ୍କନ ସଂଗଠନ ଦ୍ବାରା ପରିଚାଳିତ ଏହି ଅସମୟ ରଥଯାତ୍ରା ବନ୍ଦ କରିବା ପାଇଁ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂଳପୀଠର ପରିଚାଳନା ଦାୟିତ୍ଵରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ) ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ପତ୍ର ଦିଆଯାଇଛି ଓ ଉଭୟପକ୍ଷର ବିଦ୍ୟାନମାନଙ୍କ ସହ ଶାସ୍ତ୍ରୀୟ ଆଲୋଚନା ମଧ୍ୟ କରାଯାଇଛି । ପରିଶେଷରେ ଗତ ୨୦୨୫ ଅକ୍ଟୋବର ୧୦ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ପୁରୀ)ର ମୁଖ୍ୟ ପ୍ରଶାସକଙ୍କୁ ଏ ଚିଠି ମାଧ୍ୟମରେ, ଇସ୍କନ ପରିଚାଳନା ପରିଷଦ କମିଶନ, ମାୟାପୁର (ଜିବିସି) ଦ୍ୱାରା ଭାରତ ବାହାରେ ଥିବା ଦେଶଗୁଡ଼ିକରେ ବର୍ଷସାରା ବିଭିନ୍ନ ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଆୟୋଜନ ଜାରି ରଖିବା ଏବଂ କେବଳ ଉପରୋକ୍ତ ଶୁଭ ନଅ ଦିନର ଅବଧି ମଧ୍ୟରେ ଭାରତ ମଧ୍ୟରେ ଏହି ଯାତ୍ର କରିବା ପାଇଁ ଚୂଡ଼ାନ୍ତ ନିଷ୍ପତ୍ତି ଜଣାଇଛନ୍ତି । GBCର ଉପରୋକ୍ତ ନିଷ୍ପତ୍ତି ଅନୁଯାୟୀ, ଇସ୍କନ ଗତ କିଛି ମାସ ଧରି ଶାସ୍ତ୍ର ଏବଂ ପରମ୍ପରାର ଉଲଂଘନ କରି ବିଶ୍ଵର ବିଭିନ୍ନ ସ୍ଥାନରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପ୍ରଦର୍ଶନ କରିଛି, ଯେପରି କି ୱାରି ସିଟି ନାଇଜେରିଆ (୨୨ ନଭେମ୍ବର ୨୦୨୫), ତାଇପେଇ ସିଟି, ତାଇୱେନେ (୨୩ ନଭେମ୍ବର ୨୦୨୫), ଧରାନ, ନେପାଳ (୬ ଡ଼ିସେମ୍ବର ୨୦୨୫), କେପ୍ଟାଉନ, ଦକ୍ଷିଣ ଆଫ୍ରିକା (୧୩ ଡ଼ିସେମ୍ବର ୨୦୨୫), ସାବେରାଙ୍ଗ ଜୟା, ପେନାଙ୍ଗ, ମାଲେସିଆ (୧୩ ଡ଼ିସେମ୍ବର ୨୦୨୫), ସାନ ଜୁଆନ, ପୁଏଟୋ ରିକୋ, ଆମେରିକା (୨୭ଡ଼ିସେମ୍ବର ୨୦୨୫) ଅକଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ (୧ ଜାନୁଆରୀ ୨୦୨୬), କୁଆଲାଲମ୍ପୁର ମାଲେସିଆ (୩ ଜାନୁଆରି ୨୦୨୬), ମିଆମି, ଫ୍ଲୋରିଡ଼ା, ଆମେରିକା (୪ ଜାନୁଆରି ୨୦୨୬) ଏବଂ ଫୋନିକ୍ସ, ଆରିଜୋନା, ଆମେରିକା (୧୮ ଜାନୁଆରି ୨୦୨୬) । ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଏକ ଜାତୀୟ ସ୍ତରୀୟ ଶ୍ରୀଜଗନ୍ନାଥ ଚେତନାଭିଭିକ ସାଂସ୍କୃତିକ ସଂଗଠନ । ଯାହାର କେନ୍ଦ୍ରୀୟ କାର୍ଯ୍ୟାଳୟ ଶ୍ରୀଜଗନ୍ନାଥଧାମ ପୁରୀରେ ଅବସ୍ଥିତ । ଏହି ସଂଗଠନ ମୁଖ୍ୟତଃ ସାରା ବିଶ୍ଵରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ, ସଂସ୍କୃତି ଓ ପରମ୍ପରାର ଗବେଷଣା, ପ୍ରଶିକ୍ଷଣ ଏବଂ ପ୍ରଚାର ପ୍ରସାରରେ ନିୟୋଜିତ । ଏହାର ପଶ୍ଚିମାଞ୍ଚଳ ଶାଖା ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଲୋଚନା ପରେ ଉପରୋକ୍ତ ବିଷୟକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାନ ପକ୍ଷରୁ ଇସ୍କନ କର୍ତ୍ତୃପକ୍ଷଙ୍କୁ ସ୍ଵତନ୍ତ୍ର ପତ୍ର ମାଧ୍ୟମରେ, ବିଶ୍ଵର ବିଭିନ୍ନ ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ଅସମୟ ରଥଯାତ୍ରାର ପ୍ରଦର୍ଶନକୁ ଯଥାଶୀଘ୍ର ବନ୍ଦ କରିବାକୁ ଏବଂ ଶାସ୍ତ୍ର ଓ ପରମ୍ପରା ଦ୍ଵାରା ନିର୍ଦ୍ଧାରିତ ଆଷାଢ଼ ଶୁକ୍ଳ ଦ୍ଵିତୀୟା ତିଥିରୁ ଆରମ୍ଭ ହେଉଥିବା ପବିତ୍ର ନଅ ଦିନର ଅବଧିରେ ହିଁ ପରମେଶ୍ଵର ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କର ଏହି ପବିତ୍ର ଯାତ୍ରା ପାଳନ କରିବାକୁ ପତ୍ର ମାଧ୍ୟମରେ ନିବେଦନ କରାଯାଇଛି । ଏହି ପତ୍ରର ଅବିକଳ ନକଲ ପରମ ପୂଜ୍ୟପାଦ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାରାଜ, ଭାରତର ମାନ୍ୟବର ରାଷ୍ଟ୍ରପତି, ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ, ଭାରତର ମାନ୍ୟବର ଗୃହମନ୍ତ୍ରୀ, ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ, ଓଡ଼ିଶାର ମାନ୍ୟବର ରାଜ୍ୟପାଳ, ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଆଇନ ମନ୍ତ୍ରୀ, ପରମପୂଜ୍ୟ ଗଜପତି ମହାରାଜା ପୁରୀ ତଥା ମୁଖ୍ୟ ପ୍ରଶାସକ, ଶ୍ରୀଜଗନ୍ନାଥ ମନ୍ଦିର, ପୁରୀଙ୍କ ନିକଟକୁ ପଠାଯାଇଛି ।ପ୍ରତିଷ୍ଠାନ ପକ୍ଷରୁ ଅଶା କରାଯାଇଛି ଯେ, ଇସ୍କନ କର୍ତ୍ତୃପକ୍ଷ ବିଶ୍ଵର ଅଗଣିତ ଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ଉପଯୁକ୍ତ ସମ୍ବେଦନଶୀଳତା ଓ ଶ୍ରଦ୍ଧାର ସହିତ ଏହି ବିଷୟକୁ ବିଚାର କରିବେ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବମୟ ଐତିହ୍ୟକୁ ବଜାୟ ରଖିବେ । ନଚେତ୍ ଅନୁଷ୍ଠାନ ମଧ୍ୟରେ ଆନ୍ଦୋଳନ ମୂଳକ ପନ୍ଥା ଗ୍ରହଣ କରାଯିବ । ପ୍ରତ୍ୟେକ ଇସ୍କନ ମନ୍ଦିର ଓ ଅନୁଷ୍ଠାନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି। ଉଦିତନଗର ସ୍ଥିତ ଶ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ବୈଠକରେ ପ୍ରତିଷ୍ଠାନର ରାଉରକେଲା ସଭାପତି ତ୍ରିନାଥ ଦାସ ମୋହିନୀ ଓ ଉପସଭାପତି ସୁବାସ ପାତ୍ର, ସମାଜସେବୀ ହରିହର ରାଉତରାୟ, ଦିଲ୍ଲିପ କର, ସୁନାକର ନାୟକ, ସୂର୍ଯ୍ୟମଣି ବେହେରା, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ରୂଦ୍ରନାରାୟଣ ସ୍ବାଇଁ, କେଦାରନାଥ ପାଢ଼ୀ, ରାମଚନ୍ଦ୍ର ଓଝା ପ୍ରମୁଖ ଉପସ୍ଥିତ ଥିଲେ ।

