ରାଉରକେଲା ୧୬/୫,(ଉତ୍କଳ ସମାଚାର) ସ୍ୱାମୀଙ୍କ ଦୀର୍ଘ ଜୀବନ ଏବଂ ଘରର ସୁଖ ସମୃଦ୍ଧି କାମନା କରି ବିବାହିତ ମହିଳାମାନେ ଆଜି ସାବିତ୍ରୀ ଅମାବାସ୍ୟାରେ ଲକ୍ଷ୍ମୀନାରାୟଣଙ୍କ ପୂଜା କରିବା ସହିତ ବ୍ରତ ଧାରଣ କରିଛନ୍ତି। ଲାଲ ଶାଢ଼ି ଏବଂ ଲାଲ ଚୁନି ପିନ୍ଧି ବଟ ବୃକ୍ଷ ତଳେ ପୂଜା କରିବା ପରେ ଏବଂ ଗଛରେ ଲାଲ ସୂତା ବାନ୍ଧିଥିଲେ। ସାବିତ୍ରୀ ବ୍ରତ ପାଳନ ଉପଲକ୍ଷେ ଆଜି ରାଉରକେଲା ସହରର ରେଲୱେ କଲୋନୀ ସ୍ଥିତ କାଳୀ ମନ୍ଦିର ପରିସରରେ ବହୁ ସଂଖ୍ୟକ ବିବାହିତ ମହିଳାଙ୍କୁ ଦେଖିବାକୁ ମିଳିଥିଲା। ମନ୍ଦିରର ପୂଜକ ଗୋଲକ ବିହାରୀ ଦାସଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜା କରାଯାଇଥିଲା। ମହିଳାମାନଙ୍କୁ ସାବିତ୍ରୀ ମା’ଙ୍କ କାହାଣୀ ଶୁଣାଯାଇଥିଲା। ମହିଳାମାନେ ପୂଜାରେ ଫଳ, ଫୁଲ ଏବଂ ଶାଢ଼ି ଏବଂ ହାତପଙ୍ଖା ସମେତ ପୂଜା ସାମଗ୍ରୀ ମଧ୍ୟ ପ୍ରଦାନ କରିଥିଲେ। ଆଜି ପୂଜା ପାଇଁ କାଳୀ ମନ୍ଦିର ପରିସରରେ ସକାଳରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ମହିଳାମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ବାସନ୍ତୀ କଲୋନୀ ଆଇସ୍ ଫ୍ୟାକ୍ଟ୍ରି ଛକ ନିକଟ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ମଧ୍ୟ ବଟ ସାବିତ୍ରୀ ପୂଜା ପାଇଁ ମନ୍ଦିରର ପୂଜକ ମହିଳାମାନଙ୍କୁ ସାବିତ୍ରୀଙ୍କ କାହାଣୀ ଶୁଣାଇଥିଲେ। ସକାଳରୁ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ହନୁମାନ ବାଟିକା ପାନପୋଷ ରୋଡରେ ଥିବା ତାରିଣୀ ମନ୍ଦିର, ପାନପୋଷ କାଳୀ ମନ୍ଦିର ଦେଓଗାଁ ତରକେରା ଧବଳେଶ୍ୱର ଶିବ ମନ୍ଦିର, ରାଉରକେଲା ରେଳ ଷ୍ଟେସନ ନିକଟରେ ଥିବା ସଙ୍କଟ ମୋଚନ ମନ୍ଦିର, ସେକ୍ଟର-୩ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ସମେତ ସହରର ବିଭିନ୍ନ ମନ୍ଦିରରେ ବିବାହିତ ମହିଳାମାନେ ବଟ ସାବିତ୍ରୀ ପୂଜା କରିଥିଲେ। ସାବିତ୍ରୀ ବ୍ରତକୁ ନେଇ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।


