ରାଉରକେଲା ୨୬/୫,(ଉତ୍କଳ ସମାଚାର) ସୋମବାର ଅପରାହ୍ନ ୩ଟା ୪୫ ସମୟରେ ଶିଳ୍ପ ନଗରୀ ରାଉରକେଲାରେ କାଳବୈଶାଖୀ ଘୂର୍ଣ୍ଣିଝଡ଼ର ତାଣ୍ଡବ ଦେଖିବାକୁ ମିଳିଛି। ଏହି ଘୂର୍ଣ୍ଣିଝଡ଼ର ତାଣ୍ଡବରେ ବିଜୁଳି ମାରିବା ସହିତ କୁଆପଥର ବର୍ଷା ଆରମ୍ଭ ହୋଇଥିଲା। ତାପରେ ଘୂର୍ଣ୍ଣିଝଡ଼ର ତାଣ୍ଡବରେ ବହୁ ବଡ ବଡ ଗଛ ଉପୁଡି ପଡିବା ସହିତ କେତେକ ଗଛ ଭାଙ୍ଗି ଯାଇ ଅପୂରଣୀୟ କ୍ଷତି ଘଟାଇଛି। ଘୂର୍ଣ୍ଣିଝଡ଼ର ତାଣ୍ଡବରେ ବିଜୁଳି ତାର ଚିଡିବା ସହିତ ଆଜି ଅପରାହ୍ନ ସୁଦ୍ଧା ସେକ୍ଟର ଅଞ୍ଚଳରେ ବିଦ୍ୟୁତ ଶକ୍ତି ପୁନଃ ନିର୍ବାହ କରାଯାଇ ପାରିନାହିଁ।ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିଝଡ଼ର ପ୍ରଭାବରେ ରାଉରକେଲା ରିଙ୍ଗ ରୋଡର ସେକ୍ଟର ୨୧, ୧, ୨ ଏବଂ ୨୦ ପରି ଅଞ୍ଚଳ ସମେତ ସେକ୍ଟର-୨ର ବିଜୁ ପଟ୍ଟନାୟକ ଛକରୁ ରାଉରକେଲା କ୍ଲବ ଛକ ଏବଂ ସେକ୍ଟର-୧୮ ଛକ ପର୍ଯ୍ୟନ୍ତ ଅନେକ ଗଛ ଉପୁଡ଼ି ପଡ଼ିଥିଲା। ଗଛର ଡାଳ ଭାଙ୍ଗି ଯାଇଥିଲା, ଯାହା ଫଳରେ ଯାତାୟାତ ଏବଂ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେହିପରି, ରାଉରକେଲା ହାଉସ ଛକ ନିକଟରେ ପାର୍କିଂ ହୋଇଥିବା ଏକ ଅଟୋରିକ୍ସା ଉପରେ ଏକ ଗଛ ପଡ଼ିଥିଲା, ଯାହା ଫଳରେ ବହୁତ କ୍ଷତି ହୋଇଥିଲା। ଏହା ବ୍ୟତୀତ, ସେକ୍ଟର-୧ ଏବଂ ସେକ୍ଟର-୨ ମଧ୍ୟରେ ଅବସ୍ଥିତ ଖାରିଆ ବାହାଲ ବସ୍ତିରେ ଅନେକ ଅଞ୍ଚଳରେ ଗଛ ଉପୁଡ଼ି ପଡ଼ିଥିଲା ଏବଂ ଗଛର ଡାଳ ଭାଙ୍ଗି ଯାଇଥିଲା, ଯାହା ଫଳରେ ବହୁତ କ୍ଷତି ହୋଇଥିଲା ଏବଂ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ଶିଳ୍ପ ନଗରୀର ସେକ୍ଟର-୧ ଏବଂ ସେକ୍ଟର-୨ ସମେତ କେତେକ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ସହିତ କୁଆପଥର ବର୍ଷା ହୋଇଥିଲା। ସେହିପରି, ସେକ୍ଟର-୨ ସ୍ଥିତ ଦୁର୍ଗା ପୂଜା ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା “ଶ୍ରୀଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ଓ ପଞ୍ଚ ଦିବସୀୟ ବିଷ୍ଣୁ ମହାଯଜ୍ଞ” କାର୍ଯ୍ୟକ୍ରମର ପ୍ରସ୍ତୁତି ମଧ୍ୟ ପ୍ରବଳ ପବନ ଏବଂ କାଳବୈଶାଖୀ ଝଡ଼ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଏହି ଘୂର୍ଣ୍ଣିଝଡ଼ ସମୟରେ, ସେକ୍ଟର-୨୦ ସ୍ଥିତ ଦ୍ବି-ମହଲା ମାର୍କେଟ୍ ଏବଂ ଚିପ୍ ଟାଇପ୍ ମାର୍କେଟ୍ ଅଞ୍ଚଳରେ ଅନେକ ଗଛ ଉପୁଡ଼ି ପଡ଼ିଛି ଏବଂ ଡାଳ ଭାଙ୍ଗି ପଡ଼ିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବାରୁ କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି।ସର୍ବଶେଷ ସୂଚନା ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନା ନଗର ପ୍ରଶାସନ ଏବଂ ସ୍ଥାନୀୟ ଜିଲ୍ଲା ପ୍ରଶାସନ ସ୍ୱାଭାବିକତା ଫେରାଇ ଆଣିବା ଏବଂ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ଆରମ୍ଭ କରିଛନ୍ତି।


