ନରସିଂବାଘ 24/06/26,(ଉତ୍କଳ ସମାଚାର)ସରକାରୀ ନିୟମ ଅନୁସାରେ କୌଣସି ଜନକଲ୍ୟାଣମୂଳକ କାର୍ଯ୍ୟ ଆରମ୍ଭ ପୂର୍ବରୁ ସେଠାରେ ସୂଚନା ଫଳକ ଲଗାଇବା ଅନିବାର୍ୟ। କିନ୍ତୁ ଏହି ନିୟମକୁ ଅବହେଳା କରି କିଛି ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ମିଶି ବିନା ସୂଚନା ଫଳକରେ ନିମ୍ନମାନର କାମ କରୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ସରକାରୀ ଟଙ୍କା ଦୁରୁପଯୋଗ ଓ ହରିଲୁଟ ହେଉଥିବାର ଆଶଙ୍କା ମଧ୍ୟ ଉଠିଛି।ସୂଚନା ଫଳକ ନ ଲଗାଇବା ପଛରେ ଉଦ୍ଦେଶ୍ୟ ହେଉଛି—ଲୋକମାନେ କାମ ସମ୍ପର୍କରେ ତଥ୍ୟ ଜାଣିନ ପାରନ୍ତୁ। ଯଦି ସୂଚନା ଫଳକ ରହେ, ତେବେ କୌଣସି କାମ କେଉଁ ବିଭାଗ କରୁଛି, ଅଟକଳ ମୂଲ୍ୟ କେତେ, କାମର ମାପ କେତେ ଓ ଶ୍ରମିକଙ୍କ ମଜୁରୀ କେତେ—ଏସବୁ ତଥ୍ୟ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚିବ। ଏହା ଫଳରେ ଅନିୟମିତତା ଓ ଦୁର୍ନୀତି ପ୍ରକାଶ ପାଇପାରେ।ଏପରି ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସି ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି। ପଞ୍ଚାୟତର ୬ନଂ ୱାର୍ଡର ରାବଣାଗୁଡା ଅଞ୍ଚଳରେ ଏକ ସିସି ରୋଡ଼ ଓ ଜାମଡଡି ଗ୍ରାମରେ ଡ୍ରେନ ନିର୍ମାଣ କାମ ଚାଲିଛି। କିନ୍ତୁ କୌଣସି ସ୍ଥାନରେ ମଧ୍ୟ ସୂଚନା ଫଳକ ଲଗାଯାଇନାହିଁ।ଏହି କାରଣରୁ ସ୍ଥାନୀୟ ଲୋକମାନେ ରାସ୍ତାର ଅଟକଳ ମୂଲ୍ୟ, ଲମ୍ବ ଓ ପ୍ରସ୍ଥ ସହିତ କାମର ବିବରଣୀ ବିଷୟରେ ଅଜ୍ଞାତ ରହିଛନ୍ତି। ଫଳସ୍ୱରୂପ ରାବଣାଗୁଡା ଓ ଜାମଡଡି ଗ୍ରାମରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏହି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଶୀଘ୍ର ହସ୍ତକ୍ଷେପ କରି ଉକ୍ତ କାର୍ଯ୍ୟଗୁଡ଼ିକର ତଦନ୍ତ ଓ ନିରୀକ୍ଷଣ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

