ନବରଙ୍ଗପୁର,4//7,(ଉତ୍କଳ ସମାଚାର)ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ସିଆରସି ପକ୍ଷରୁ ଜୁଲାଇ ମାସିକ ସିଆରସିସି ସ୍ତରୀୟ ବୈଠକ ପକନାଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ସିଆରସିସି ଶ୍ରୀ ବାବୁଲାଲ ସାଗର ବିଭିନ୍ନ ଶୈକ୍ଷିକ ଓ ପ୍ରଶାସନିକ ଏଜେଣ୍ଡା ଉପରେ ବିସ୍ତୃତ ଆଲୋଚନା କରିଥିଲେ।ବୈଠକରେ ନୂତନ ଏସ୍ଏମ୍ସି ଗଠନ, ବିଲ୍ଡିଂ କମିଟି ଓ ଏକାଡେମିକ କମିଟି ଗଠନ ସମ୍ବନ୍ଧୀୟ ବୈଠକ କାର୍ଯ୍ୟବିବରଣୀ, କମିଟିର ତାଲିକା ଏବଂ ହାର୍ଡ କପି ଆସନ୍ତା ୧୫ ଜୁଲାଇ ସୁଦ୍ଧା ସିଆରସିସିଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଥିଲା। ସମସ୍ତ ବିଦ୍ୟାଳୟର ରିପୋର୍ଟ ସଂଗ୍ରହ ପରେ ବିଇଓ କାର୍ଯ୍ୟାଳୟରେ ଦାଖଲ କରାଯିବ ବୋଲି ସୂଚନା ଦିଆଯାଇଥିଲା।ଶୈକ୍ଷିକ କ୍ୟାଲେଣ୍ଡର ଅନୁଯାୟୀ ସମୟ ସାରଣୀ ପ୍ରସ୍ତୁତ କରି ପ୍ରତ୍ୟେକ ଶ୍ରେଣୀଗୃହରେ ପ୍ରଦର୍ଶନ, ଶିକ୍ଷକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟର ସଠିକ ପାଳନ, ନୂତନ ଏଫ୍ଏଲ୍ଏନ୍ ରେଜିଷ୍ଟରରେ ପ୍ରତ୍ୟେକ ସୋମବାର ବୈଠକର ବିବରଣୀ ଲିପିବଦ୍ଧ କରିବା ଏବଂ ଶିକ୍ଷାଦାନର ଗୁଣବତ୍ତା ବୃଦ୍ଧି ପାଇଁ ଲେସନ୍ ନୋଟ୍ର ଗୁରୁତ୍ୱ ଉପରେ ସିଆରସିସି ଆଲୋକପାତ କରିଥିଲେ।ଏହାସହ ନିପୁଣ ଆପ୍ରେ ଶିକ୍ଷାର୍ଥୀଙ୍କ ନାମ ସଠିକ ଭାବେ ଅଦ୍ୟତନ, ସୋପାନ ରେଜିଷ୍ଟରର ସଠିକ ପୂରଣ, ବିଦ୍ୟାଳୟ ଗ୍ୟାଲେରୀ ସମ୍ବନ୍ଧୀୟ ତଥ୍ୟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ସମସ୍ତ ଶିକ୍ଷକଙ୍କୁ ପରାମର୍ଶ ଦିଆଯାଇଥିଲା।ବୈଠକରେ ଉପସ୍ଥିତ ପ୍ରଧାନ ଶିକ୍ଷକମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବା ସହ ବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ଆହୁରି ସୁଦୃଢ଼ କରିବା ପାଇଁ ମତ ପ୍ରକାଶ କରିଥିଲେ।ବୈଠକରେ ସମସ୍ତ ଶିକ୍ଷକଙ୍କୁ ମାଣ୍ଡେଟରୀ ବାୟୋମେଟ୍ରିକ୍ (Mandatory Biometric) ତଥ୍ୟ ଯଥାସମୟରେ ଅଦ୍ୟତନ (Update) କରିବାକୁ ସିଆରସିସି ଶ୍ରୀ ବାବୁଲାଲ ସାଗର ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଶିକ୍ଷା ବିଭାଗର ସମସ୍ତ ନିର୍ଦ୍ଦେଶ, ଅନଲାଇନ୍ ତଥ୍ୟ ପୂରଣ ଏବଂ ବିଦ୍ୟାଳୟ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସଠିକ ଭାବରେ ସମ୍ପାଦନ କରିବା ପ୍ରତ୍ୟେକ ଶିକ୍ଷକଙ୍କ ଦାୟିତ୍ୱ। ଶେଷରେ ସେ ସମସ୍ତ ଉପସ୍ଥିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଜଣାଇ ସଫଳ ବୈଠକର ସମାପ୍ତି ଘୋଷଣା କରିଥିଲେ

