ରାଉରକେଲା ୧୦/୭,(ଉତ୍କଳ ସମାଚାର) ବେଦବ୍ୟାସ ବ୍ରାହ୍ମଣୀତରଙ୍ଗ ଥାନା ଅଧିନସ୍ଥ ରୋଡ କଡ଼ରେ ଥିବା ଏକ ଆପାର୍ଟମେଣ୍ଟ ପାଖରେ ଖୋଲା ମେଲାରେ ମାଟି ଉପରେ ଟାଟା ପାୱାର (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଏକ ବିଜୁଳି ଟ୍ରାନ୍ସଫର୍ମର ଲଗା ଯାଇଛି। ଏଥିରେ ବିଦ୍ୟୁତ୍ ସରବରାହ ଅନବରତ ଚାଲୁଥିବା ବେଳେ, ଏହି ରାସ୍ତା ଦେଇ ଶହ ଶହ ଯାତ୍ରୀ ଯିବା ଆସିବା କରିବା ସହିତ ହଜାର ହଜାର ଗାଡ଼ି ମୋଟର ଯିବା ଆସିବା କରିଥାନ୍ତି। ରାସ୍ତା କଡ଼ର ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଟାଟା ପାଓ୍ବାର ବିଦ୍ୟୁତ ବିଭାଗ ଉଦାସୀନତା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଅଞ୍ଚଳର ଜନସାଧାରଣ। ଏଥିସହିତ ଟ୍ରାନସଫର୍ମର ନିକଟରେ ଅନାବନା ଘାସ ଉଠିଛି, ଏହାକୁ ଖାଇବାକୁ ଆସି ପଶୁ ମୃତୁ ହେବାର ସମ୍ଭାବନା ରହିଛି। ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ପ୍ରତିଦିନ ଏହି ରାସ୍ତା ଦେଇ ଯାଉଥିବା ବେଳେ, ସେମାନେ ଏହାକୁ ଅଣଦେଖା କରି ଚାଲିଯାଉଛନ୍ତି।ଏପରି ପରିସ୍ଥିତିରେ କୌଣସି ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେଲେ, ଏଥିପାଇଁ ଦାୟୀ କିଏ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକମାନେ। ଟାଟା ପାଓ୍ବାର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟର ୫୦୦ ମିଟର ଦୂରରେ ଥିବା ଅବହେଳିତ, ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି ଟ୍ରାନ୍ସଫର୍ମର ମୃତ୍ୟୁର ଯନ୍ତା ପାଲଟିବ ନାହିଁତ !!
