ରାଇଘର,13//7,(ଉତ୍କଳ ସମାଚାର)ନରସିଂବାଘ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଏହି ଦୁର୍ଘଟଣାରେ ଏକେ ପରିବାରର ତିନିଜଣଙ୍କ ମୃତ୍ୟୁ ଘଟିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଶୋକ ସହ ଆକ୍ରୋଶ ପ୍ରକାଶ ପାଇଛି।ସୂଚନା ଅନୁସାରେ, ଛତିଶଗଡ଼ର କର୍ତ୍ତାଭରି ଗ୍ରାମର ବଳରାମ ଗଣ୍ଡ (୩୫) ତାଙ୍କ ପତ୍ନୀ ଏବଂ ତିନି ପୁଅଙ୍କ ସହ ବାଇକ୍ରେ ଓଡ଼ିଶାରୁ ଘରକୁ ଫେରୁଥିବା ବେଳେ ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତାର ଦେଓଭରାଣ୍ଡି ଠାରେ ଏକ ଦ୍ରୁତଗାମୀ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା। ଧକ୍କା ପରେ ବାଇକ୍ଟିକୁ ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେବାରୁ ବଳରାମ ଏବଂ ତାଙ୍କର ଦୁଇ ପୁଅଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହି ଦୁର୍ଘଟଣାରେ ବଳରାମଙ୍କ ପତ୍ନୀ ଓ ଅନ୍ୟ ଜଣେ ପୁଅ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପ୍ରଥମେ ହାଟଭରଣ୍ଡୀ ଚିକିତ୍ସାଳୟ ଏବଂ ପରେ ଉମରକୋଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଅବସ୍ଥା ଗମ୍ଭୀର ରହିଛି।ଦୁର୍ଘଟଣା ପରେ ମୃତକଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ଅଞ୍ଚଳବାସୀ କ୍ଷତିପୂରଣ ଦାବିରେ ରାଇଘର-କୁନ୍ଦେଇ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଏହାରେ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା ଏବଂ ଅଞ୍ଚଳରେ ତଣ୍ଟାଳି ସ୍ଥିତି ସୃଷ୍ଟି ହୋଇଥିଲା।ସୂଚନା ପାଇ ସହିତେ ରାଇଘର ଏବଂ କୁନ୍ଦେଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବା ବେଳେ ଟ୍ରକ୍ଟିକୁ ଜବତ କରିଛନ୍ତି। ତଥାପି ଟ୍ରକ୍ ଚାଳକ ଘଟଣା ପରେ ଫାରାର ହୋଇଯାଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ସ୍ଥାନୀୟ ନେତା ଅକ୍ଷୟ ଗୁପ୍ତପ୍ରସାଦ ଝାଙ୍କର ଓ ଯୁବ ନେତା ସନରାଜ ଗଣ୍ଡ ଉପସ୍ଥିତ ରହି ସ୍ଥାନୀୟ ଲୋକମାନଙ୍କୁ ଶାନ୍ତ କରିବା ସହ ପ୍ରଶାସନ ସହ ଆଲୋଚନା କରିଥିଲେ। ପରେ କ୍ଷତିପୂରଣ ନେଇ ଆଶ୍ୱାସନ ମିଳିବା ପରେ ପ୍ରାୟ ରାତି ୧ଟା ସମୟରେ ରାସ୍ତା ଅବରୋଧ ଉଠାଯାଇଥିବା ସୂଚନା ମିଳିଛି।ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ଏବଂ ଅଭିଯୁକ୍ତ ଚାଳକଙ୍କ ଖୋଜ ଚାଲିଛି।

