କେନ୍ଦୁଝର,18//7,(ଉତ୍କଳ ସମାଚାର) କେନ୍ଦୁଝର ଜିଲ୍ଲା ପରିଷଦ ଆନୁକୁଲ୍ୟରେ ଜିଲ୍ଲା ଜଳ ଓ ପରିମଳ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କେନ୍ଦୁଝର ସାଂସଦ ଶ୍ରୀ ଅନନ୍ତ ନାୟକଙ୍କ ସଭାପତିତ୍ୱ ଏବଂ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ କ୍ଷୁଦ୍ର ସମ୍ମିଳନୀ କକ୍ଷଠାରେ ଏହି ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଜିଲ୍ଲାର ପ୍ରତ୍ୟେକ ପରିବାର, ସମସ୍ତ ସାଧାରଣ ସ୍ଥାନ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ପାଇପ୍ ଯୋଗେ ସ୍ୱଚ୍ଛ ଓ ନିରାପଦ ପାନୀୟ ଜଳ ଯୋଗାଇ ଦେବା ପାଇଁ ତୃଣମୂଳ ସ୍ତରରେ ଜାରି ରହିଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣ ଜିଲ୍ଲାରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକର ବର୍ତ୍ତମାନର ସ୍ଥିତି ଏବଂ ଏହାର ସଫଳ ରୂପାୟନ ପାଇଁ ନିୟମିତ ସମୀକ୍ଷା କରିବା ଉପରେ ଆଲୋଚନା କରିଥିଲେ।ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ସହିତ ଜଡ଼ିତ ବିଦ୍ୟୁତ, ବନ, ପୂର୍ତ୍ତ, ଶିକ୍ଷା, ଗୃହ ନିର୍ମାଣ, ରାଜସ୍ୱ ଏବଂ ଜାତୀୟ ରାଜପଥ ନିର୍ମାଣ ଭଳି ବିଭିନ୍ନ ବିଭାଗର ଅଧିକାରୀମାନେ ଏହି କାର୍ଯ୍ୟକାରୀ ବୈଠକରେ ଯୋଗ ଦେଇ କ୍ଷେତ୍ର ସ୍ତରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ।ଜିଲ୍ଲାପାଳ ଶ୍ରୀ ସିଂହ ଏହି କାର୍ଯ୍ୟନିର୍ବାହୀ କମିଟି ବୈଠକକୁ ପ୍ରତ୍ୟେକ ଉପଖଣ୍ଡ ଓ ବ୍ଲକ ସ୍ତରରେ ମଧ୍ୟ ନିୟମିତ ଭାବେ ଆୟୋଜନ କରି କାର୍ଯ୍ୟର ଅଗ୍ରଗତି ତଦାରଖ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗୀୟ ଓ ଉପବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।
