ରାଇଘର, ନରସିଂ ବାଘ.୨୯/୦୭:(ଉତ୍କଳ ସମାଚାର) ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁରାବେଡା ପଞ୍ଚାୟତର କଳିଆପଦର ଗ୍ରାମରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଗତ ୨୭ ଓ ୨୮ ତାରିଖର ଲଗାଣ ବର୍ଷାରେ ଜଣେ ବିଧବା ମହିଳାଙ୍କ ଘରର ଏକ କାନ୍ଥ ଭୁଶୁଡ଼ି ପଡ଼ିବା ସହ ଘର ଭିତରେ ଥିବା ସବାବପତ୍ର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହା ପରେ ତିନି ସନ୍ତାନଙ୍କୁ ନେଇ ସେ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି।ସୂଚନା ଅନୁଯାୟୀ, କଳିଆପଦର ଗ୍ରାମର ୩୫ ବର୍ଷୀୟା ବିଧବା ପ୍ରଶାନ୍ତି ହରିଜନଙ୍କ ସ୍ୱାମୀଙ୍କର ପ୍ରାୟ ସାତ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା। ସେହିଦିନଠାରୁ ସେ ନିଜର ଦୁଇ ଝିଅ ଓ ଜଣେ ପୁଅଙ୍କୁ ନେଇ ଅତ୍ୟନ୍ତ କଷ୍ଟରେ ଜୀବନ ବିତାଉଛନ୍ତି। ତାଙ୍କର ବଡ଼ ଝିଅ ଚିନୁ (୧୨), ପୁଅ ସିନୁ (୧୦) ଓ ସାନ ଝିଅ ମାମୁନି (୮) ବର୍ଷ ବୟସ!ଲଗାତାର ବର୍ଷା ଯୋଗୁଁ ଘରର ଏକ କାନ୍ଥ ହଠାତ୍ ଭୁଶୁଡ଼ି ପଡ଼ିଥିଲା। କାନ୍ଥ ଭାଙ୍ଗି ପଡ଼ିବା ସହ ଘର ଭିତରେ ଥିବା ଆଲମାରୀ ଉପରେ ଇଟା ପଡ଼ି ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଯାଇଛି। ସୌଭାଗ୍ୟବଶତଃ ଘଟଣା ସମୟରେ ପରିବାରର କେହି ଆହତ ହୋଇନଥିଲେ। ତେବେ ଘରର ଅବସ୍ଥା ବିପଦଜନକ ହୋଇପଡ଼ିଥିବାରୁ ବର୍ଷା ଦିନରେ ପରିବାରର ସୁରକ୍ଷିତ ରହଣିକୁ ନେଇ ଗଭୀର ଚିନ୍ତା ସୃଷ୍ଟି ହୋଇଛି।ଏହି ଘଟଣା ପରେ ସ୍ଥାନୀୟ ଲୋକପ୍ରତିନିଧି ଓ ଗ୍ରାମବାସୀମାନେ ପ୍ରଶାସନଙ୍କୁ ପ୍ରଶାନ୍ତି ହରିଜନଙ୍କୁ ସରକାରୀ ରିଲିଫ୍ ସହାୟତା, କ୍ଷତିପୂରଣ ଏବଂ ପକ୍କା ଘର ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି। ଜଣେ ବିଧବା ମହିଳା ତିନି ଛୋଟ ପିଲାଙ୍କୁ ନେଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବାରୁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ମାନବିକ ଦୃଷ୍ଟିକୋଣରୁ ସହାୟତା ଯୋଗାଇବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଜୋର ଧରିଛି।

