ରାଜଗାଙ୍ଗପୁର:29//7,(ଉତ୍କଳ ସମାଚାର) ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରସ୍ଥିତ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ (ଉତ୍କୃଷ୍ଟ କେନ୍ଦ୍ର) ପରିସରରେ ଜୁଲାଇ ୩୦ ଓ ୩୧ ତାରିଖରେ ଦୁଇଦିନିଆ ମେଳା ଆୟୋଜନ ପାଇଁ ଚାଲିଥିବା ପ୍ରସ୍ତୁତିକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିବାଦ ଦେଖାଦେଇଛି। ସ୍କୁଲ ଖେଳ ପଡ଼ିଆରେ ଦୋକାନ, ଟେଣ୍ଟ ଓ ଦୋଳି ଲାଗିବା ପ୍ରସ୍ତୁତି ଚାଲିଥିବା ବେଳେ ଅଭିଭାବକ, ସ୍ଥାନୀୟ ବାସିନ୍ଦା ଓ ବିଭିନ୍ନ ସଂଗଠନ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ସରକାରୀ ବିଦ୍ୟାଳୟ ପରିସରକୁ ବ୍ୟବସାୟିକ ମେଳା ପାଇଁ ବ୍ୟବହାର କରାଯିବା ସରକାରୀ ନିୟମର ଉଲ୍ଲଂଘନ। ସେମାନଙ୍କ କହିବା ଅନୁସାରେ, ଏଭଳି ଆୟୋଜନ ଦ୍ୱାରା ବିଦ୍ୟାଳୟର ଶିକ୍ଷା ପରିବେଶ ପ୍ରଭାବିତ ହେବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ମଧ୍ୟ ବିପଦରେ ପଡ଼ିପାରେ।ଏହି ଘଟଣାରେ ସବୁଠାରୁ ବଡ଼ ପ୍ରଶ୍ନ ଉଠିଛି ଅନୁମତିକୁ ନେଇ। ବ୍ଲକ ଶିକ୍ଷା ଅଧିକାରୀ (BEO) କହିଛନ୍ତି ଯେ କିଛି ବ୍ୟକ୍ତି ତାଙ୍କ ନିକଟକୁ ଆବେଦନ ନେଇ ଆସିଥିଲେ, କିନ୍ତୁ ସେ କୌଣସି ଅନୁମତି ଦେଇନଥିଲେ ଏବଂ ବିଷୟଟିକୁ ଜିଲ୍ଲା ଶିକ୍ଷା ଅଧିକାରୀ (DEO)ଙ୍କ ନିକଟକୁ ପଠାଇଥିଲେ।ଅନ୍ୟପକ୍ଷରେ, ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ଯେ ସେ ଏହି ବିଷୟରେ ଅବଗତ ନଥିଲେ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିବାକୁ ପରାମର୍ଶ ଦେଇଥିଲେ। ତେବେ ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟାରେ କୁହାଯାଇଛି ଯେ ତାଙ୍କ ନିକଟରେ ଦରଖାସ୍ତ ଦାଖଲ ହୋଇଥିଲେ ମଧ୍ୟ ସେ ନିଜେ କୌଣସି ଅନୁମତି ଦେଇନାହାନ୍ତି। ପରବର୍ତ୍ତୀ ସମୟରେ ସେ ଦାବି କରିଥିଲେ ଯେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଅନୁମତି ମିଳିଛି, କିନ୍ତୁ ସେହି ସମ୍ପର୍କିତ କୌଣସି ଲିଖିତ ପ୍ରମାଣ ଦେଖାଇପାରିନଥିଲେ।ଏହି ଦ୍ଵନ୍ଦ ବୟାନ ପରେ ପ୍ରକୃତରେ କିଏ ଅନୁମତି ଦେଇଛନ୍ତି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକ ଓ ବିଭିନ୍ନ ସଂଗଠନ ପ୍ରଶ୍ନ ଉଠାଇଛନ୍ତି ଯେ, ଯଦି କୌଣସି ଅଧିକାରୀ ଅନୁମତି ଦେଇନାହାନ୍ତି, ତେବେ ବିଦ୍ୟାଳୟ ପରିସରରେ ଟେଣ୍ଟ, ଦୋକାନ ଓ ଦୋଳି କିପରି ଲାଗୁଛି।ଏହାସହ ସ୍ଥାନୀୟ ଲୋକଙ୍କ ଆଶଙ୍କା ରହିଛି ଯେ ମେଳା ଯୋଗୁଁ ପାଠପଢ଼ା ବ୍ୟାହତ ହେବା ସହ କୌଣସି ଅଘଟଣ ଘଟିଲେ ତାହା ପାଇଁ ଦାୟୀ କିଏ ରହିବେ।ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ତୁରନ୍ତ ତଦନ୍ତ କରି ପ୍ରକୃତ ସ୍ଥିତି ସ୍ପଷ୍ଟ କରିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।ବର୍ତ୍ତମାନ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କେଉଁ ପଦକ୍ଷେପ ନେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

